ଘୃଣା ଓ ହିଂସାର ରାଜନୀତି ଦେଶରେ ବୃଦ୍ଧି ପାଇଛି

ଭୁବନେଶ୍ବର : ଚଳିତ ନିର୍ବାଚନ ଦେଶ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ସ୍ବାଧୀନତା ପରେ ଯେତେ ବି ନିର୍ବାଚନ ହୋଇଛି, ଚଳିତବର୍ଷର ନିର୍ବାଚନ ଦେଶର ସମ୍ବିଧାନକୁ ସୁରକ୍ଷିତ ରଖିବା ଦୃଷ୍ଟିରୁ ମହତ୍ବପୂର୍ଣ୍ଣ। ଗତ ୫ ବର୍ଷ ଭିତରେ କେନ୍ଦ୍ର ସରକାର ନିର୍ବାଚନ ସମୟରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି। ଘୃଣା ଓ ହିଂସାର ରାଜନୀତି ଦେଶରେ ବୃଦ୍ଧି ପାଇଛି। ତେଣୁ ନିର୍ବାଚନରେ ମୋଦୀଙ୍କ ବଦଳରେ ଅନ୍ୟ କାହାକୁ ବି ଭୋଟ ଦେବାକୁ ବିଭିନ୍ନ ଗଣ ସଂଗଠନଙ୍କ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଆହ୍ବାନ ଦେଇଛନ୍ତି।

ଆଜି ଲୋହିଆ ଏକାଡେମିରେ ନିର୍ବାଚନ ପରିପ୍ରେକ୍ଷୀରେ ଜନସଂପର୍କ ଓ ଜନସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ପ୍ରଫେସର ଜୟତୀ ଘୋଷ ଓ ବରିଷ୍ଠ ସାମ୍ବାଦିକ ମନୋଜ ମିତ୍ତ ଯୋଗଦେଇ ନିର୍ବାଚନ ଉପରେ ପ୍ରସ୍ତୁତ ହୋଇଥିବା ଚାର୍ଜସିଟ୍ ସଂପର୍କରେ ଉଲ୍ଲେଖ କରିଥିଲେ। ପ୍ରଫେସର ଘୋଷ କହିଥିଲେ, ୨୦୧୪ ନିର୍ବାଚନ ସମୟରେ କେନ୍ଦ୍ର ବିଜେପି ସରକାର ଯେଉଁ ସବୁ ବିଷୟ ଉପରେ ପ୍ରତିଶ୍ରୁତି ଦେଇ ଭୋଟ ପାଇଥି‌ଲେ, ସେ ବିଷୟରେ ଆଲୋଚନା କରୁନାହାନ୍ତି। ଗତ ୨ମାସ ଭିତରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ଏହାର ପରବର୍ତୀ ସମୟରେ ବାଲାକୋଟ ଏୟାରଷ୍ଟ୍ରାଇକ୍ ଉପରେ ଆଲୋଚନା କରୁଛନ୍ତି। ବିମୁଦ୍ରୀକରଣ ଏକ ବଡ଼ ଅପରାଧ ହୋଇଥିବା ବେଳେ ଏହାକୁ ସରକାର ଭୁଲି ଗଲେଣି। କଳାଧନ ବିରୋଧରେ ପ୍ରହାର ନୁହେଁ ବରଂ ରାଜନୈତିକ ଉଦ୍ଦେଶ୍ୟ ରଖି ବିମୁଦ୍ରୀକରଣ କରାଯାଇଥିଲା। ଏହା ଯୋଗୁଁ ଆଜି ପର୍ଯ୍ୟନ୍ତ ୭/୮ଲକ୍ଷ ଲୋକ ନିଯୁକ୍ତି ହରାଇ ସାରିଲେଣି। ସେହିପରି କୃଷକଙ୍କ ସମସ୍ୟାର ମଧ୍ୟ ସମାଧାନ ହେବା ବଦଳରେ ବଢ଼ିଛି। କୃଷି ବିରୋଧୀ ନୀତି ଯୋଗୁଁ କୃଷକଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୪ ମସିହା ପୂର୍ବରୁ ବ୍ୟାଙ୍କଗୁଡ଼ିକରେ ଏନ୍‌ପିଏ ଯେତିକି ରହିଥିଲା, ତାହା ଏବେ ଯଥେଷ୍ଟ ବୃଦ୍ଧି ପାଇଛି। ନିରବ ମୋଦି, ମେହୁଲ ଚୋକ୍‌ସି, ବିଜୟ ମାଲ୍ୟା ଭଳି ୪୩ଜଣ କୋଟିପତି ଦେଶ ଛାଡ଼ି ପଳାଇଛନ୍ତି।

ମୋଟ ଘରୋଇ ଉତ୍ପାଦ ବା ଜିଡିପିର ତଥ୍ୟକୁ ଏପଟସେପଟ କରି ହିସାବ ଦିଆଯାଉଛି। ଯେଉଁ ଢଙ୍ଗରେ ଜିଡିପିର ହିସାବ ହେଉଛି, ଏହାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍ ମଧ୍ୟ ଆପତ୍ତି ଉଠାଇଛି। ଗତ ନିର୍ବାଚନ ସମୟରେ ବିଜେପି ସରକାର ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦେବ ବୋଲି କହିଥିଲେ। ୨୦୧୨ରେ ହୋଇଥିବା ନିର୍ଭୟା କାଣ୍ଡ ଦେଶକୁ ଦୋହଲାଇ ଦେଇଥିବା ବେଳେ ଲୋକମାନେ କେନ୍ଦ୍ର ସରକାରଙ୍କଠାରୁ ଅନେକ କିଛି ଆଶା କରୁଥିଲେ। ମାତ୍ର ଏଥିରେ ସରକାର ବିଫଳ ହୋଇଛନ୍ତି। ଉଜ୍ଜଳା ଯୋଜନାକୁ ଅଧିକ ପ୍ରଚାର କରାଯାଉଥିଲେ ହେଁ ବାସ୍ତବ ଚିତ୍ର ଅଲଗା। ପ୍ରଥମ ସିଲିଣ୍ଡର ପରେ ଅନେକ ମହିଳା ଦ୍ବିତୀୟ ସିଲିଣ୍ଡର କିଣି ପାରୁନାହାନ୍ତି। ଗ୍ୟାସ ସିଲିଣ୍ଡର ଦାମ୍‌ରେ ଯ‌ଥେଷ୍ଟ ବୃଦ୍ଧି ହୋଇଛି। ସରକାରୀ ପ୍ରତିଷ୍ଠାନ ଉପରେ ବ୍ୟାପକ ଆକ୍ରମଣ ହେଉଛି। ଜେଏନ୍‌ୟୁଠାରୁ ଆରମ୍ଭ କରି ନିର୍ବାଚନ କମିସନ, ସିବିଆଇ ଭଳି ସଂସ୍ଥା ନିଜର ବିଶ୍ବସନୀୟତା ହରାଇଥିବା ପ୍ରଫେସର ଘୋଷ କହିଥିଲେ।

ବରିଷ୍ଠ ସାମ୍ବାଦିକ ମନୋଜ ମିତ୍ତ କହିଲେ, ବିକାଶକୁ ଏଜେଣ୍ଡା କରି ନିର୍ବାଚନ ଲଢ଼ିଥିବା ବିଜେପି ଏବେ ହିନ୍ଦୁତ୍ବ ଉପରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି। କୌଣସିଠାରେ କେନ୍ଦ୍ର ସରକାର ଆଉ ବିକାଶ କଥା କହୁ ନାହାନ୍ତି। ଯେଉଁମାନେ ସରକାରଙ୍କ ସହିତ ସ୍ବର ମିଳାଉ ନାହାନ୍ତି, ସେମାନଙ୍କୁ ଦେଶ ବିରୋଧୀ ଆଖ୍ୟା ଦିଆଯାଉଛି। ଯାହାକି ଏକ ଫାଶୀବାଦୀ ସରକାରର ଲକ୍ଷଣ। ସଂଖ୍ୟାଲଘୁ, ଆଦିବାସୀ ଓ ଦଳିତଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ ହେଉଛି। ସାମାଜରେ ଘୃଣାର ବାତାବରଣ ବୃଦ୍ଧି ପାଇଛି। ତେଣୁ ଚଳିତ ନିର୍ବାଚନରେ କେନ୍ଦ୍ର ସରକାର ବଦଳିଲେ ଗଣତନ୍ତ୍ରର ବିଜୟ ହେବ ବୋଲି ଶ୍ରୀ ମିତ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ଗୋଲଖ ନାଥ, ଅଭିରାମ ବେହେରା ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର