ରାଜନୀତିରେ ଛନ୍ଦି ହୋଇଗଲା କୋଟିଆ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ: ଧର୍ମେନ୍ଦ୍ର ପ୍ରଧାନ
ଆନ୍ଧ୍ର ସହ ସଂପର୍କ ତୁଟିବା ପରେ କୋଟିଆ ପ୍ରୀତି: ମହେଶ୍ୱର
ବିଜେପି ଓ କେନ୍ଦ୍ରମନ୍ତ୍ରୀ କୁମ୍ଭୀର କାନ୍ଦଣା କରୁଛନ୍ତି: ତାରା

କୋରାପୁଟ/ଭୁବନେଶ୍ୱର : ବିବାଦୀୟ କୋଟିଆ ପୁଞ୍ଜ ଆଜି ରାଜନୈତିକ ବିବାଦ ଭିତରେ ଛନ୍ଦି ହୋଇଯାଇଛି। ଏ ପ୍ରସଙ୍ଗରେ ଉଁ କି ଚୁଁ ମୁହଁ ଖୋଲୁନଥିଲା ରାଜ୍ୟ ବିଜେପି। ହେଲେ ରାଜ୍ୟ ସରକାର ସେ ଅଞ୍ଚଳର ବିକାଶ ପାଇଁ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାର ୪୮ ଘଣ୍ଟା ନ ପୂରୁଣୁ ଆଜି ହଠାତ୍‌ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ଓ ସ୍ଥାନୀୟ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସୂଚନା ଦେବା ଘଟଣା ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଆଜି ଖୋଦ୍‌ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। କଂଗ୍ରେସ ବି କଡ଼ା ସମାଲୋଚନା କରିଛି।

ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଏହି ବିବାଦୀୟ ଅଂଚଳରେ ଆଜି ପହଞ୍ଚିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ ଓ ସେବାଶ୍ରମ ସ୍କୁଲ ବୁଲି ଦେଖିଥିଲେ। ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରି କୋଟିଆ ଗାଁକୁ ଯାଇଥିଲେ।

ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ବର୍ଷ ବର୍ଷ ଧରି କୋଟିଆ ଓଡ଼ିଶାର ହୋଇ ରହିଛି ଓ ଆଗାମୀ ଶତାବ୍ଦୀ ଶତାବ୍ଦୀ ଧରି ଏହା ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ଏହାକୁ ଓଡ଼ିଶା ଠାରୁ କେହି ଛଡ଼ାଇ ପାରିବେ ନାହିଁ। କାରଣ କୋଟିଆବାସୀଙ୍କ ସହ ସମଗ୍ର ଓଡ଼ିଶାର ଲୋକ ଅଛନ୍ତି। ଆମକୁ କେବଳ କୋଟିଆ ଅଂଚଳର ବିକାଶ କରିବାକୁ ପଡିବ। ଏନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ଏହି ଅଂଚଳର ସାମଗ୍ରିକ ବିକାଶ ପାଇଁ ସେ ବ୍ୟକ୍ତିଗତ ଭାବେ ଦାୟିତ୍ୱ ନେଇ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କୋଟିଆକୁ ନେଇ ରାଜନୀତି ନ କରି ସମସ୍ତେ ନିଜ ନିଜ ଦାୟିତ୍ୱ ତୁଲାଇବାକୁ ଆହ୍ଵାନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, କୋଟିଆବାସୀଙ୍କ କିଛି ଦାବିକୁ ରାଜ୍ୟ ସରକାର ପୂରଣ କରିଥିବାରୁ ସେ ଏହାର ପ୍ରଶଂସା କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ କୋରାପୁଟ ରହିଛି ଓ ଏଥିରେ କୋଟିଆକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ।

କୋଟିଆର ଇତିହାସ, ସ୍ଥିତି ଓ ବିବାଦ ସଂପର୍କରେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପୂର୍ବତନ ସାଂସଦ କୋଟିଆବାସୀଙ୍କ ଦାବିକୁ ମନ୍ତ୍ରୀଙ୍କ ଆଗରେ ରଖିବା ସହ ଏହି ଅଂଚଳର ଗୌରବମୟ ଅତୀତ ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଉପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନ କରିଛନ୍ତି, କୋଟିଆ ବିକାଶରେ ବି ରାଜନୀତି କରାଯିବ? ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ,ବିଜେପି ଛୋଟ ଛୋଟ ରାଜ୍ୟ ଉପରେ ବିଶ୍ୱାସ କରେ। ଏକଥା ସେମାନଙ୍କ ନେତାମାନେ ବାରମ୍ବାର କହିଛନ୍ତି। ପଶ୍ଚିମ ଓଡ଼ିଶାରେ କୋଶଳ କଥା ଉଠାଇ ବିଭାଜନର ମଞ୍ଜି ବୁଣିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି।

ଠିକ୍‌ ଏମିତି ସମୟରେ କୋଟିଆକୁ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସନ୍ଦେହ ସୃଷ୍ଟି କରୁଛି। କାରଣ, ୨୦୦୦ରୁ ୨୦୦୯ ଯାଏ ରାଜସ୍ୱ ବିଭାଗ ଦାୟିତ୍ୱରେ ବିଜେପି ଥିଲା। ସେ ସମୟରେ କୋଟିଆ ନେଇ କିଛି କଲେନି। ଏବେ ରାଜ୍ୟ ସରକାର ଯେତେବେଳେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଏକ କମିଟି କରିଛନ୍ତି, ୧୫୦ କୋଟିର ପ୍ୟାକେଜ୍‌ କରାଯାଇଛି, କେବିକେ ମୁଖ୍ୟ ପ୍ରଶାସକ ପ୍ରତିମାସରେ ଓ ସେ ନିଜେ ତିନିମାସରେ ସମୀକ୍ଷା କରିବେ ବୋଲି ସ୍ଥିର ହୋଇଛି, ସେତେବେଳେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ନାଟକବାଜି କାହିଁକି କରୁଛନ୍ତି? ଆନ୍ଧ୍ର ସହିତ ମେଣ୍ଟ ଥିଲା ଯାଏ, କେନ୍ଦ୍ରମନ୍ତ୍ରୀ ଓ ବିଜେପି କୁଆଡେ ଥିଲେ? ଏବେ ମେଣ୍ଟ ଭାଙ୍ଗିବା ପରେ ଚିନ୍ତା ପଶିଲା?

କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆନ୍ଧ୍ର ସରକାର ସେଠାରେ ବାରମ୍ବାର କ୍ୟାମ୍ପ କରିଛନ୍ତି। କେହି ମୁହଁ ଖୋଲୁନଥିଲେ। ଆଜିଯାଏ କେନ୍ଦ୍ରମନ୍ତ୍ରୀ କେଉଁଠି ଥିଲେ? ଆଜି ସେ ଅଞ୍ଚଳକୁ ଗସ୍ତ କରି ମନ୍ତ୍ରୀ କୁମ୍ଭୀର କାନ୍ଦଣା କରୁଛନ୍ତି। ଏହା ବିଜେପିର ଡ୍ରାମାର ଏକ ଅଂଶବିଶେଷ। ଯଦି ମନ୍ତ୍ରୀ ପାରୁଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ କହି ବୋରା ଅଞ୍ଚଳକୁ ସୁରକ୍ଷା ଦିଅନ୍ତୁ। ସେହିଭଳି ରାଜ୍ୟ ସରକାରଙ୍କ ୧୫୦ କୋଟି ପ୍ୟାକେଜ୍‌କୁ ମଧ୍ୟ ତାରା ସମାଲୋଚନା କରିଥିଲେ। କହିଥିଲେ, ଆଜିଯାଏ ସରକାର କୋଟିଆ କଥା ଚିନ୍ତା କରିନଥିଲେ କାହିଁକି?

ସମ୍ବନ୍ଧିତ ଖବର