ଚର୍ଚ୍ଚାରେ ନବୀନ ନିବାସର ଆତିଥ୍ୟ : ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ ପଟ୍ଟନାୟକଙ୍କ ସମେତ ଶାହା, ମମତା, ନୀତିଶ ଓ ଧର୍ମେନ୍ଦ୍ର

ପରଷାଗଲା ଓଡ଼ିଆ ଖାଦ୍ୟ, ମେନୁରେ ଭାତ, ଡାଲି, ମାଛ ବେସର, ଟ‌ମାଟୋ ଚଟଣି, ଛେନାପୋଡ଼

ଭୁବନେଶ୍ବର : ମୁହାଁମୁହିଁ ସ୍ଥିତିରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନାଗରିକତା ସଂଶୋଧନ ଆଇନକୁ ଖୋଲା ବିରୋଧ କରୁଛନ୍ତି ମମତା। କଥା କଥାକେ ଉଭୟ ଉଭୟଙ୍କ ବିରୋଧରେ ବର୍ଷିବା ଆଉ ନୂଆ କଥା ନୁହେଁ।

ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ବେଶ୍ ଗର୍ଜନ ତର୍ଜନ କରିଥିଲେ ଶାହ। ପୋଡା ଟ୍ରାନସଫର୍ମର, ଫିଙ୍ଗି ଦେବା ଲାଗି ଆହ୍ବାନ ଦେଇଥିଲେ। ଓଡ଼ିଶା ପ୍ରମୁଖ ବିରୋଧୀ ଦଳ ବିଜେପିର ସେ ଅନ୍ୟତମ ମୁଖିଆ। କେନ୍ଦ୍ର ସରକାରରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଚୌକି ଉପରେ ନଜର ପକାଇଛନ୍ତି।

ଏସବୁ ନେତାଙ୍କ ସଂପର୍କକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା କିଛି କମ୍ ନାହିଁ। ଏମାନଙ୍କ ଉପରେ ସବୁବେଳେ ନଜର ରଖିଛି ପୂରା ଭାରତ ବର୍ଷ। ହେଲେ ପୂର୍ବାଞ୍ଚଳ ପରିଷଦ ବୈଠକ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ କାର୍ଡ ଖେଳିଛନ୍ତି। ସବୁ ବିରୋଧୀ ତତ୍ତ୍ବକୁ ଗୋଟିଏ ଟେବୁଲରେ ବସାଇବାରେ ସକ୍ଷମ ହୋଇଛନ୍ତି
ନବୀନ। ମଧ୍ୟାହ୍ନ େଭାଜନ ସରକାରୀ କାର୍ଯ୍ୟକ୍ରମର ଅଂଶବିଶେଷ ନଥିଲା। ଏଣୁ ଏସବୁ ନେତାଙ୍କ ପାଖରେ ବାଧ୍ୟବାଧ୍ୟକତା ନଥିଲା। ତା ସତ୍ତ୍ବେ ମଧ୍ୟାହ୍ନ େଭାଜନ ପାଇଁ ନବୀନଙ୍କ ନିମନ୍ତ୍ରଣକୁ ସମସ୍ତେ ସମ୍ମାନ ଦେଇ ଏକାଠି ବସିଥିଲେ।

ଦେଶକୁ ଏକ ବାର୍ତା ଯାଇଛି, ରାଜନୀତି ଯୁଆଡେ ପଛେ ଯାଉ, ରାଜନୈତିକ ବାଧ୍ୟବାଧ୍ୟକତା କିଛି ବି ଥାଉ, ବ୍ୟକ୍ତିଗତ ସଂପର୍କ ରାଜନୀତିରେ ଅନେକ ମହତ୍ବ ରଖେ। ପରସ୍ପର ସହିତ ଆଲୋଚନା ବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଯେ କୌଣସି ସମସ୍ୟାର ସମାଧାନର ଏକ ବଡ଼ ଅସ୍ତ୍ର।

ପୂର୍ବାଞ୍ଚଳ ପରିଷଦ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ନଥିଲେ ହେଁ, ତାଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଥିଲେ ନବୀନ। ଧର୍ମେନ୍ଦ୍ର ଏହାକୁ ରକ୍ଷା କରି ମଧ୍ୟାହ୍ନ େଭାଜନରେ ଯୋଗ ଦେଇଥିଲେ। ତେବେ ଝାଡଖଣ୍ଡ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣକୁ ଗ୍ରହଣ କଲେନି କି ତାଙ୍କୁ ଡକାଯାଇନଥିଲା, ତାହା ଜଣାପଡ଼ି ନାହିଁ।

ନବୀନ ଆଜି ମଧ୍ୟାହ୍ନ େଭାଜନରେ ଅତିଥିଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଥିଲେ। ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ପରଷା ଯାଇଥିଲା। ସମ୍ପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ବି ଦିଆଯାଇଥିଲା।

ଖାଦ୍ୟ ପାଇଁ ଆଜିର ଏହି ମଧ୍ୟାହ୍ନ େଭାଜନ ଯେତିକି ଚର୍ଚ୍ଚାରେ ନାହିଁ। ଆଗକୁ ପଶ୍ଚିମବଙ୍ଗ ଓ ବିହାର ନିର୍ବାଚନ ଥିଲେ ହେଁ, ଉଭୟ ରାଜ୍ୟ ମୁଖିଆଙ୍କର ଶ୍ରୀ ଶାହଙ୍କ ସହିତ ବୈଠକ ଜାତୀୟ ରାଜନୀତି ପାଇଁ ବେଶ୍ େଖାରାକ ଯୋଗାଇଛି। ଏସବୁ ରାଜ୍ୟ ରାଜନୀତିରେ ମଧ୍ୟ ଏହାର ପ୍ରଭାବ ପଡିବ, ଏକଥା ଏଡାଇ ଦିଆଯାଇନପାରେ।

ସାଧାରଣ ନିର୍ବାଚନ ପରେ ବିଜେଡି-ବିଜେପି ମଧ୍ୟରେ ଯେଉଁ ନୂଆ ସମୀକରଣ ହୋଇଛି, ତାହାକୁ ନେଇ ରାଜ୍ୟ ବିଜେପି କର୍ମୀ ଦ୍ବନ୍ଦ୍ବରେ ଅଛନ୍ତି। ଦଳୀୟ ନେତା ଅପେକ୍ଷା କରୁଥିଲେ, ନୂଆ ସଭାପତି (ସମୀର ମହାନ୍ତି)ଙ୍କ ହାତକୁ ଟାଣ କରିବା ଲାଗି ଶ୍ରୀ ଶାହ କିଛି ନୂଆ ବାର୍ତା ଦେବେ। କିନ୍ତୁ ନବୀନ ନିବାସରେ ଶ୍ରୀ ଶାହ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମଧ୍ୟାହ୍ନ େଭାଜନ ପରେ ବିଜେଡିର କ୍ଷତି େହାଇନି, ବରଂ ବିଜେପି କର୍ମୀ ବୁଝିଗଲେ ଉଭୟ ଦଳ ଭିତରେ ଦୂରତା ଯଥେଷ୍ଟ କମିଯାଇଛି। ଶ୍ରୀ ଶାହଙ୍କ ଭଳି ବ୍ୟକ୍ତିତ୍ବ ନବୀନ ନିବାସ ଯିବେ, ସେମାନେ କଳ୍ପନା କରିନଥିଲେ। ଏବେ ରାଜ୍ୟ ବିଜେଡି ସରକାର ବିରୋଧରେ ଯେତେ ତମ୍ବିତୋଫାନ କଲେ ବି ଏହା ପଛରେ ଯେ ନେତୃତ୍ବର ଆନ୍ତରିକତା ନାହିଁ, ଏକଥା ସାଧାରଣରେ ଆଉ ବୁଝିବାକୁ ବାକି ରହିଲା ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଆତିଥ୍ୟ ଦେବାରେ ନବୀନ ନିବାସର ଏକ ଲମ୍ବା ଇତିହାସ ରହିଛି। ବିଜୁବାବୁଙ୍କ ସମୟରୁ ଅନେକ ଆଞ୍ଚଳିକ ଓ ଜାତୀୟ ସ୍ତରର ନେତା ଏଠାରେ ଆପ୍ୟାୟିତ ହୋଇଛନ୍ତି। ନବୀନବାବୁ ବି ଏ କ୍ଷେତ୍ରରେ ପଛରେ ନାହାନ୍ତି। ବିଭିନ୍ନ ଆଞ୍ଚଳିକ ଦଳର ନେତା ଅତୀତରେ ନବୀନ ନିବାସ ଆସିଛନ୍ତି। ଠିକ୍ ବର୍ଷକ ତଳେ ବିଜୁବାବୁଙ୍କ ପୁସ୍ତକ ଉନ୍ମୋଚନ ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ଜାତୀୟ ସ୍ତରର ନେତା ନବୀନ ନିବାସର ଅତିଥି ହୋଇଥିଲେ।

ଯଦିଓ ବିଜୁ ଜନତା ଦଳ ଗୋଟିଏ ଟେବୁଲରେ ଏକାଠି ମଧ୍ୟାହ୍ନ େଭାଜନକୁ ଔପଚାରିକତା ବୋଲି କହିଛି, ତଥାପି ସମଗ୍ର ଦେଶର ନଜର କିଛି ସମୟ ପାଇଁ ନବୀନ ନିବାସ ଉପରେ ଥିଲା। ବିଜେଡି ନେତାବି ଚିନ୍ତାରେ ଯେ କାଳେ ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଶାହ ଏଥର ୪ଟିରୁ ୨ଟି ସିଟ୍ ମାଗିଥିବେ।

ସମ୍ବନ୍ଧିତ ଖବର