ପାଠପଢ଼ା ଚୁଲିକୁ ଗଲା! : ରାଜନୀତି ଛକାପଞ୍ଝାରେ ପିଲାଙ୍କ ଭବିଷ୍ୟତ, ଆଉ କେତେଦିନ ଏମିତି ଚାଲିବ?

ନବୀନନିବାସରେ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା

ଭୁବନେଶ୍ୱର : ଆନ୍ଦୋଳନରେ ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ। ୨୫ ଦିନ ହେଲା ୪ ହଜାରରୁ ଅଧିକ ସ୍କୁଲ, କଲେଜରେ ପାଠପଢ଼ା ବ୍ୟାହତ। କେଉଁଠି ପିଲା ସ୍କୁଲ ଆସୁନାହାନ୍ତି ତ ଆଉ କେଉଁଠି ଜଣେ ଶିକ୍ଷକରେ ଚାଲିଛି ପାଠପଢ଼ା। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବି ସେମିତି ବିପର୍ଯ୍ୟସ୍ତ ଆଡକୁ ଅଗ୍ରସର ହୋଇଛି। ଶିକ୍ଷକ ଆସୁ ନଥିବାରୁ ପାଠପଢ଼ା ଚୂଲିକୁ ଗଲାଣି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ମୁହାଁ। ଏଥିପ୍ରତି ନା ଶିକ୍ଷକଙ୍କର ଚିନ୍ତା ଅଛି ନା ସରକାରଙ୍କର। ସମସ୍ତେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଭୁଲି ନିଜ ଜିଦ୍‌ରେ ଅଡ଼ି ବସିଥିବାରୁ ଅଭିଭାବକଙ୍କ ମଧ୍ୟରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯେକୌଣସି ସମୟରେ ତାହା ଭୟଙ୍କର ରୂପ ନେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଏପଟେ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ରାଜନୀତି ଜୋର ଧରିଛି। ଶିକ୍ଷକ ଆନ୍ଦୋଳନରୁ ଫାଇଦା ନେବାକୁ ଯାଇ ରାଜ୍ୟ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଶିକ୍ଷକ ଲୋୟର ପିଏମ୍‌ଜି ଯାଇଥିଲେ। ସେମାନଙ୍କର ଆନ୍ଦୋଳନ ପ୍ରତି ସହମତି ଥିବା ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ଓଡ଼ିଶା ପ୍ରଭାରୀ, କଂଗ୍ରେସର ରାଜ୍ୟ ସଭାପତି, ବିରୋଧୀ ଦଳ ନେତା ଶିକ୍ଷକମାନଙ୍କ ସହ ହଁରେ ହଁ ମିଳାଉଛନ୍ତି। ଆନ୍ଦୋଳନକୁ ଜାରି ରଖିବାକୁ ଉତ୍ସାହିତ କରୁଛନ୍ତି।

ହେଲେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ନେଇ କେହି ବି ମୁହଁ ଖୋଲୁନାହାନ୍ତି। ଆନ୍ଦୋଳନରୁ ଓହରି ଶିକ୍ଷକମାନେ ସ୍କୁଲକୁ ଯିବା ପାଇଁ କୌଣସି ରାଜନେତା ପରାମର୍ଶ ଦେଇନାହାନ୍ତି। ଅଭିଭାବକ ମହଲରେ ଏହାକୁ ନେଇ କ୍ଷୋଭ ବଢିଲାଣି। ସେମାନେ ନିଜ ନିଜର ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡିଯାଇଛନ୍ତି।

ରାଜ୍ୟ ସରକାର ଏକପ୍ରକାର ହାତ ଟେକିଦେଇଛନ୍ତି। ଶିକ୍ଷକଙ୍କ ଦାବି ପୂରଣ ପାଇଁ ଆଗଉନାହାନ୍ତି କି ଆନ୍ଦୋଳନରୁ ଉଠାଇବା ପାଇଁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଉନାହିଁ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକଙ୍କୁ ଆଶ୍ୱାସନା ଦେଉଥିବା ବେଳେ ବିଭାଗୀୟ ସଚିବ କିନ୍ତୁ ନାଲି ଆଖି ଦେଖାଇଛନ୍ତି। ଶିକ୍ଷକ-ସରକାରଙ୍କ ଏହି ଛକାପଞ୍ଝା ମଧ୍ୟରେ ପେଶି ହୋଇଯାଉଛି ପିଲାଙ୍କ ବର୍ତମାନ ଓ ଭବିଷ୍ୟତ।

ଶିକ୍ଷାବିତ୍‌ଙ୍କ ମତରେ ପ୍ରତିବର୍ଷ ପ୍ରାୟ ୨ରୁ ୪ ମାସ ଧରି ଶିକ୍ଷକମାନେ ରାଜରାସ୍ତାରେ ଲଢ଼େଇ କରୁଛନ୍ତି। ଲୋୟର୍‌ ପିଏମଜିରେ ଧାରଣା ଦେଉଛନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଧୀରେ ଧୀରେ ସରକାରୀ ସ୍କୁଲରୁ ମୁହଁ ଫେରାଇ ଘରୋଇ ସ୍କୁଲରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ। ସରକାରଙ୍କର ଯୁକ୍ତି ହେଉଛି, ୭୦ ଓ ୮୦ ଦଶକରେ ବେସରକାରୀ ଉଦ୍ୟମରେ ରାଜ୍ୟରେ ହଜାର ହଜାର ସ୍କୁଲ, କଲେଜ ଗଢ଼ିଉଠିଥିଲା। ଏହି ସ୍କୁଲଗୁଡ଼ିକରେ ବହୁ ସଂଖ୍ୟାରେ ଶିକ୍ଷକ, କର୍ମଚାରୀ ନିଯୁକ୍ତି ପାଇଥିଲେ। ଅଧିକାଂଶ ଶିକ୍ଷକଙ୍କର ଯୋଗ୍ୟତା ନଥିଲେ ମଧ୍ୟ ନିଯୁକ୍ତି ମିଳିଥିଲା। ପରବର୍ତୀ ସମୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୀତି ନିୟମକୁ କୋହଳ କରି ବିଦ୍ୟାଳୟଗୁଡ଼ିକୁ ‘ବ୍ଲକଗ୍ରାଣ୍ଟ’ ପ୍ରଦାନ କରିଥିଲେ। ‘ବ୍ଲକଗ୍ରାଣ୍ଟ’ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ଏକ ହଜାର କୋଟି ଟଙ୍କା ବୋଝ ମୁଣ୍ଡାଇବାକୁ ପଡ଼ିଛି। ଫଳରେ ୨୦ ହଜାର ୪୫୮ ଅଧ୍ୟାପକ ଓ ୨୯ ହଜାର ଶିକ୍ଷକ ଉପକୃତ ହୋଇଛନ୍ତି। ଏବେ ସେଥିରେ କିଛି ସର୍ତ୍ତ ରଖାଯାଇଥିବାରୁ ଶିକ୍ଷକମାନେ ବିରୋଧ କରୁଛନ୍ତି।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପିଲାଙ୍କ ଭବିଷ୍ୟତ ନେଇ ଆମେ ସଚେତନ ରହିଛୁ। ଯେଉଁଥିପାଇଁ ଏପର୍ଯ୍ୟନ୍ତ କୌଣସି ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇନି। କିଛି ସ୍ଥାନରେ ପ୍ରଭାବିତ ହୋଇଛି। ଯଦି ଏଭଳି ଚାଲିବ ତେବେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ଉପୁଜିବ। ଏବେ ବ୍ଲକ ଓ ଜିଲ୍ଲାସ୍ତରରେ ଆନ୍ଦୋଳନ ଜାରି ରହିବ। କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବୁ ନାହିଁ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଗତ ସପ୍ତାହ ହେଲା ଗଣମାଧ୍ୟମରେ କହିଆସୁଛନ୍ତି ଦାବି ପୂରଣ କରାଯାଇଛି। ଆଉ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଆଇନ ଓ ଅର୍ଥ ବିଭାଗ ହାତରେ ରହିଛି। ଆଲୋଚନା ଜାରି ରହିଛି। ଖୁବ୍‌ଶୀଘ୍ର୍ର ଦାବି ପୂରଣ କରାଯିବ। ଶିକ୍ଷକମାନେ ସ୍କୁଲକୁ ଫେରି ପାଠପଢ଼ାରେ ସାମିଲ ହୁଅନ୍ତୁ।

ନବୀନନିବାସରେ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ୪ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନି। ଯେଉଁଥିପାଇଁ ଶିକ୍ଷକମାନେ ଆଜି ନବୀନ ନିବାସ ଘେରାଉ କରିବାକୁ ବାହାରିଥିବା ବେଳେ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା। ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ୮ ଜଣିଆ ପ୍ରତିନିଧି ଆଜି ନବୀନନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍‌ଓ ଦାୟିତ୍ୱରେ ଥିବା ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନା କରିବା ସହ ଦାବିପତ୍ର ଦେଇଛନ୍ତି। ଆସନ୍ତା ୧୧ ତାରିଖରେ ସଚିବାଳୟରେ ଏନେଇ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ମିଳିଥିବା ମହାସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରାଥମିକ ଶିକ୍ଷକଙ୍କ ସହ ସାମିଲ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଫେସର କୈଳାସ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲି କହିଥିଲେ। ମହାସଂଘର ଆବାହକ ବଙ୍କିମ୍‌ ଚନ୍ଦ୍ର ସାଗରଙ୍କ ସମେତ ମଳୟ କୁମାର ଜେନା, ଶରତ ଚନ୍ଦ୍ର ନାୟକ, ସୁଶାନ୍ତ ବେହେରା, ଜାମିନୀକାନ୍ତ ପଣ୍ଡା, ଜ୍ୟୋତି ଦାସ, ଜ୍ଞାନରଞ୍ଜନ ମହାନ୍ତି, ଯୁଧିଷ୍ଠିର ସାହୁ, ଉତ୍ତମ କୁମାର ଦାସ, ଶ୍ରୀକାନ୍ତ ନାୟକ, ସୁନୀଲ ପ୍ରଧାନ, ଜୀତ୍‌ ରଞ୍ଜନ ମହାପାତ୍ର, ପ୍ରସନ୍ନ ମହାପାତ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର