ଗୁରୁପ୍ରିୟାକୁ ନେଇ ତେଜିଲା ରାଜନୀତି

ସରକାରଙ୍କ ମୁଖା ଖୋଲିବାକୁ ସିବିଆଇ ତଦନ୍ତ କରାଅ: କଂଗ୍ରେସ; ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ବିଜେଡି ଟଙ୍କା ହଡ଼ପ କରିଛି: ବିଜେପି

ଭୁବନେଶ୍ୱର : ଗୁରୁପ୍ରିୟା ସେତୁ ନିର୍ମାଣରେ ଅନିୟମିତତା ହୋଇଛି ବୋଲି ପ୍ରିନ୍‌ସିପାଲ୍‌ ଆକାଉଣ୍ଟାଣ୍ଟ ଜେନେରାଲ୍‌(ପିଏଜି) ତାଙ୍କ ଚିଠା ରିପୋର୍ଟରେ ଅଭିଯୋଗ ଆଣିଛନ୍ତି। ଏ ନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଏକ ଚିଠି ଲେଖାଯାଇଛି। ଅଡିଟ୍‌ ଆପତ୍ତି ପରେ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଥିଲା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ଉଭୟ ଦଳ ଅଭିଯୋଗ କରିବା ସହ କଂଗ୍ରେସ ସିିବିଆଇ ତଦନ୍ତ ଦାବି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁପ୍ରିୟା ସେତୁରେ ବ୍ୟାପକ ହେର୍‌ଫେର୍‌ ନେଇ ପ୍ରିନ୍‌ସିପାଲ୍‌ ଆକାଉଣ୍ଟାଣ୍ଟ ଜେନେରାଲ୍‌ ଉଲ୍ଲେଖ କଲା ପରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଡାଲି ଦୁର୍ନୀତି, ଚିଟ୍‌ଫଣ୍ଡ୍‌ ଦୁର୍ନୀତି ଓ ଖଣି ଦୁର୍ନୀତିରେ ଜଡ଼ିତ ଥିବା ଏହି ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପାଇଁ ଠିକାଦାରଙ୍କ ହାତକୁ ୭୪ କୋଟି ଟଙ୍କା ଅଯାଚିତ ଭାବେ ଟେକି ଦେଇଛନ୍ତି। ସେତୁ ନିର୍ମାଣ ବେଳେ ଦରଦାମର ଯେଉଁ ବିଶ୍ଳେଷଣ ରିପୋର୍ଟ ପ୍ରସ୍ତୁତ ହୋଇଛି, ସେଥିରେ ଓପିଡବ୍ଲ୍ୟୁଡିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୪ ଫେବ୍ରୁଆରିରେ ମାଲକାନଗିରିର ଚିତ୍ରକୋଣ୍ଢା-ଜାନବାଈ ରାସ୍ତା ପାଇଁ ୧୦୪.୩୮ କୋଟି ଟଙ୍କାର ବୈଷୟିକ ଅନୁମୋଦନ ମିଳିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ନିର୍ମାଣ ଖର୍ଚ୍ଚ ଅଟକଳ ୧୧୫.୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଲା ଓ ଏଥିରେ ୫ ବର୍ଷ ପାଇଁ ସେତୁର ରକ୍ଷଣାବେକ୍ଷଣ ଖର୍ଚ୍ଚ ବି ରହିଲା। ମାତ୍ର ୨୦୧୭ ସେପ୍ଟମ୍ବର ବେଳକୁ ଅଟକଳ ପରିମାଣ ୧୭୪.୫୮ କୋଟି ଟଙ୍କା ହେଲା। ଏ ନେଇ ମାଲକାନଗିରି ନିର୍ବାହୀ ଯନ୍ତ୍ରୀଙ୍କ ସଫେଇ ହେଉଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ସବୁ ଖର୍ଚ୍ଚ ହୋଇଛି। ବିକାଶର କଥା କହି ଦୁର୍ନୀତି କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିବାକୁ ଏହି ଘଟଣାର ସିବିଆଇ ତଦନ୍ତ କରାଇବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ବିଜେଡି କୋଟି କୋଟି ଟଙ୍କା ହଡ଼ପ କରିଛି। ଗୁରୁପ୍ରିୟା ସେତୁରେ ୭୩.୯୧ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେତୁ ନିର୍ମାଣ ପାଇଁ ପ୍ରଥମେ ୨୦୦୬ରେ ଗ୍ୟାମନ୍‌ ଇଣ୍ଡିଆକୁ ରାଜ୍ୟ ସରକାର ୪୭ କୋଟି ୪୧ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ। କିନ୍ତୁ ଗ୍ୟାମନ୍‌ ଇଣ୍ଡିଆ ଏଥି ପାଇଁ ୯୦.୫୦୩ କୋଟି ଟଙ୍କା ଦାବି କରିଥିଲା। ୨୦୧୦ ଫେବୁଆରିରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗ୍ୟାମନ୍‌କୁ କାର୍ଯ୍ୟରୁ ଅନ୍ତର କଲେ। ୯୦ କୋଟି ଟଙ୍କା ମନା କରୁଥିବା ସରକାର ୧୮୭ କୋଟି ଟଙ୍କା କିପରି ରୟାଲ୍‌ ଇନ୍‌ଫ୍ରାକୁ ଦେବା ପାଇଁ ଅନୁମତି ଦେଲେ ? କେବଳ ମାଟି ପରୀକ୍ଷା କାମ ପାଇଁ ୯ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯିବା ଦୁର୍ନୀତିର ଆଉ ଏକ ଉଦାହରଣ। ତେଣୁ ଶାସକ ଦଳର ନେତା, ପୂର୍ତ୍ତ ବିଭାଗ ଓ ଠିକାଦାରମାନେ ମିଳିତ ଭାବେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର