ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଯାଜପୁରରେ ତାତି ଥମୁନି
ସିବିଆଇ ତଦନ୍ତ ଦାବିରେ ଏସ୍ପି ଅଫିସ୍ ଘେରିଲା କଂଗ୍ରେସ, ରାସ୍ତାକୁ ଓହ୍ଲାଇଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ
ଯାଜପୁରଟାଉନ/ସଦର/ପାଣିକୋଇଲି : ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଆଜି ବି ଯାଜପୁରରେ ଅସନ୍ତୋଷର ତାତି ଅନୁଭୂତ ହୋଇଛି। ଘଟଣାର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସେହିଭଳି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ବି ରାସ୍ତାକୁ ଓହ୍ଲାଇଛି। ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଏବଂ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶୋଭାଯାତ୍ରାରେ ବାହାରିବା ସହିତ ସ୍ମାରକପତ୍ର ପ୍ରଦାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିକୂଳ ପାଗ ସତ୍ତ୍ବେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କଂଗ୍ରେସ କର୍ମୀ ପାଣିକୋଇଲିସ୍ଥିତ ତାରିଣୀ ମନ୍ଦିର ନିକଟରେ ଏକାଠି ହୋଇଥିଲେ। ଦିନ ୧୧ଟାରେ ଏକ ବିରାଟ ପଟୁଆରରେ ଯାଇ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ମହିଳା କଂଗ୍ରେସ ସହିତ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ସଦସ୍ୟମାନେ ଧାରଣାରେ ସାମିଲ ହୋଇଥିଲେ। ଆଜିର ଧାରଣାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦେଇଥିଲେ। ପିସିସି ମିଡିଆ ସେଲର ମୁଖ୍ୟ ସତ୍ୟପ୍ରକାଶ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ମହିଳା ସଭାନେତ୍ରୀ ରୀତାଶ୍ରୀ ମହାନ୍ତି ଓ ସ୍ଥାନୀୟ ମହିଳା ନେତ୍ରୀ ତଥା ପସିସି ସଦସ୍ୟା ବନ୍ଦିତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ବିଧାୟକଙ୍କ ଉପସ୍ଥିତିରେ ମହିଳା କଂଗ୍ରେସ ତରଫରୁ ଏକ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅକ୍ଷୟକୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା।
ସେହିଭଳି, ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଏବଂ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମ ରୋଜଗାର ସେବିକା/ସେବକ ସଂଘ ଦାବି କରିଛି। ସଂଘର କର୍ମକର୍ତ୍ତାମାନେ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମିହିରପ୍ରସାଦ ମହାନ୍ତିଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ସଭାପତି ପରେଶ କୁମାର ସାମଲ, ସଂପାଦକ ସୁବାସ ଚନ୍ଦ୍ର ଆଏଚ, ଉପ ସଭାପତି ରମେଶ କୁମାର ମହାପାତ୍ର, ସହ ସଂପାଦକ ପ୍ରଫୁଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।