ବିଭିନ୍ନ ସ୍ଥାନରୁ ଜବତ ହେଲା ୧୩ ଲକ୍ଷ

ଢେଙ୍କାନାଳ/ହାଟଡ଼ିହି/ସୋନପୁର : ନିର୍ବାଚନ ଯେତିକି ପାଖେଇ ଆସୁଛି ଟଙ୍କା ଜବତ ଘଟଣା ସେମିତି ନିୟମିତ ହେବାରେ ଲାଗିଲାଣି। ଗୋଟିଏ ଦିନରେ ଆଜି ତିନି ତିନିଟି ସ୍ଥାନରୁ ଫ୍ଲାଇଂ ସ୍କ୍ବାଡ଼ ପାଖାପାଖି ୧୩ ଲକ୍ଷ ଟଙ୍କା ଜବତ କରିଛନ୍ତି। ଢେଙ୍କାନାଳରୁ ସର୍ବାଧିକ ୯ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଛି। କେନ୍ଦୁଝରର ହାଟଡିହିରୁ ଜଣେ ବାଇକ ଆରୋହୀଙ୍କଠାରୁ ଟଙ୍କା ଜବତ ହୋଇଛି। ସୋନପୁରରେ ମଧ୍ୟ ଅନୁରୂପ ଭାବେ ବାଇକରୁ ଟଙ୍କା ଜବତ ହୋଇଛି।

ଆମ ଢେଙ୍କାନାଳ ପ୍ରତିନିଧିଙ୍କଠାରୁ ମିଳିଥିବା ଖବର ଅନୁସାରେ ଢେଙ୍କାନାଳ ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥ‌େର କୋରିଆଁ ବାଇପାସ୍‌ ଠାରେ ଫ୍ଲାଇଂ ସ୍କ୍ୱାଡ ଆଜି ଆଜି ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିଲା। ସଂଧ୍ୟା ପ୍ରାୟ ୫ଟାବେଳେ କାମାକ୍ଷାନଗର ଆଡ଼ୁ ଏକ ଇଣ୍ଡିକା କାର୍‌ (ଓଡି୦୨ଇ- ୬୨୧୨)ରେ ୪ଜଣ ଲୋକ ଢେଙ୍କାନାଳ ଆଡକୁ ଆସୁଥିଲେ। ଫ୍ଲାଇଂ ସ୍କ୍ବାଡ କାର୍‌ ଅଟକାଇ ତନଖି କରିବା ସମୟରେ ସେଥିରୁ ୯ ଲକ୍ଷ ୫୭ ହଜାର ୩୨୦ ଟଙ୍କା ବାହାରିଥିଲା । ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ବୋଲି ସ୍କ୍ବାଡ ସନ୍ଦେହ କରି ସେମାନଙ୍କୁ କାର୍ ସହ ଟାଉନ ଥାନାକୁ ଆଣି ପଚରାଉଚରା କରାଯାଇଥିଲା । ଏକ ଯାତ୍ରା ପାର୍ଟିର ଟଙ୍କା ସଂଗ୍ରହ କରି ଅଣାଯାଉଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଟାଉନଥାନା ଅଧିକାରୀ ଅଭିନବ ଡାଳୁଆ ସୂଚନା ଦେଇଛନ୍ତି ।

ସେହିପରି ଆମ ହାଟଡିହି ପ୍ରତିନିଧିଙ୍କ ସୂଚନା ଅନୁସାରେ ସୋସୋ କାନପୁର ରାସ୍ତାରେ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇ ଜଣେ ବାଇକ ଆରୋହୀଙ୍କ ଠାରୁ ଏକ ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଓ ସ୍କ୍ୱାଡ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଉଛି। ଆଜି ସ୍କ୍ୱାଡ୍‌ ପକ୍ଷରୁ ସୋସୋ ନିକଟରେ ଗାଡ଼ି ଯାଞ୍ଚ କରାଯାଉଥିଲା। ଆଲୋକ ଦାସ ନାମକ ଜଣେ ବ୍ୟକ୍ତିଙ୍କ ବାଇକରୁ ଏକଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି। ଆଲୋକ ନିଜ ବ୍ୟବସାୟ ପାଇଁ ଟଙ୍କା ନେଉଥିବା କହିଥିଲେ। ହେଲେ ନିର୍ବାଚନ ଆଚରଣ ବିଧି ଅନୁଯାଇ ପୁଲିସ ଉକ୍ତ ଟଙ୍କାକୁ ଜବତ କରିଛି ବୋଲି ଥାନାଧିକାରୀ ଗଗନ ନାୟକ ସୂଚନା ଦେଇଛନ୍ତି।

ସୋନପୁର ପ୍ରତିିନିଧିଙ୍କ ସୂଚନା ଅନୁସାରେ ବିନିକା ଷ୍ଟାଟିକ ସର୍ଭେଲାନ୍ସ ଟିମ ଦ୍ବାରା ସେଲେଡି ଛକରେ ଏକ ବାଇକ (ଓଆର-୧୫-କେ-୬୭୧୬)ରେ ଦୁଇ ଜଣ ବ୍ୟକ୍ତି ଯାଉଥିବାବେଳେ ସେମାନଙ୍କ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ରାମପୁରର ସୁବାସ ମେହେରଙ୍କ ପାଖରୁ ୫୦ ହଜାର ୬ ଶହ ଟଙ୍କା, ବରଗଡ଼ ଭେଡ଼େନ ଥାନା ଅନ୍ତର୍ଗତ ରେଶମର ଚନ୍ଦ୍ରମଣି ସୁନାଙ୍କଠାରୁ ୫୫ ହଜାର ଟଙ୍କା ଏବଂ ସେଲେଡ଼ିର କୁବେର ପେରାଙ୍କ ଠାରୁ ୧ ଲକ୍ଷ ୧୮ ହଜାର ଜବତ କରାଯାଇଛି। ଏହିପରି ମୋଟ ୨ ଲକ୍ଷ ୨୩ ହଜାର ୬ଶହ ଟଙ୍କା ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର