ଇସ୍ପାତ ରାଜଧାନୀରେ ଭୂମିପୁତ୍ରମାନେ ଆଜି ଅଖୋଜା ଆଲୋଡ଼ା, ପ୍ରଦୂଷଣରେ ଛଟପଟ ଅଞ୍ଚଳବାସୀ

ଯାଜପୁର, ( ସଂଗ୍ରାମ ସିଂହ): ଦୁଇ ଦୁଇଟି ଜାତୀୟ ରାଜପଥ, ରେଳପଥ, ବାହ୍ମଣୀ ନଦୀର ପାଣି, କାଳିଆପାଣିର କ୍ରୋମ୍ ଉପତ୍ୟକା ଓ ଦୈତାରୀ ଲୁହାପଥର ଖଣି ସହିତ ବିସ୍ତୀର୍ଣ୍ଣ ସରକାରୀ ଜମିକୁ ସଦବିନିଯୋଗ କରି ଓଡ଼ିଶାର ପ୍ରଗତିକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଇସ୍ପାତ ରାଜଧାନୀ କାଳିଙ୍ଗନଗରର କଳ୍ପନା ଆଜି ଦିଗହରା। ଲୁହାରେ କଳଙ୍କି ଲାଗିଲା ପରି ଇସ୍ପାତ ରାଜଧାନୀ କଳିଙ୍ଗନଗରରେ କଳଙ୍କି ଲାଗିଛି। ଶିଳ୍ପ ବିକାଶର ସ୍ବପ୍ନରେ ବିଭୋର ଭୂମିପୁତ୍ରମାନେ ଆଜି ଅଖୋଜା ଆଲୋଡ଼ା। ସେମାନଙ୍କ ଜୀବନଜୀବିକା ଆଜି ଦୁର୍ବିସହ। ଖଣିଖାଦାନ ଓ ଶିଳ୍ପାଞ୍ଚଳର ପରିବେଶ ଆଜି ଭୂଲୁଣ୍ଠିତ। ପ୍ରଦୂଷିତ ଜଳବାୟୁ ଓ ପରିବେଶରେ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ। ହଜାର ହଜାର ଶ୍ରମିକ ଶିଳ୍ପ ଓ ଖଣିରୁ ଛଟେଇ ହୋଇ ଜୀବିକା ‌ହରାଉଥିବା ବେଳେ ପ୍ରଦୂଷଣ ଯନ୍ତାରେ ପଡ଼ି ଭୂମିପୁତ୍ରଙ୍କ ଜୀବନ ବାଜି ଲାଗିଛି।

ଇସ୍ପାତ ରାଜଧାନୀର ମୁଖଶାଳା ବ୍ୟାସନଗରରେ ସରକାରଙ୍କ ଇଡ୍‌କୋ ଅଧୀନ ଫେରୋକ୍ରମ କାରଖାନା ଏବେ ବନ୍ଦ। ଏଥି ପୂର୍ବରୁ ଏହା ଅଧୀନରେ ଥିବା ତଳଙ୍ଗି କ୍ରୋମ ଖଣି ବନ୍ଦ ହୋଇଯାଇଥିଲା। ଶହ ଶହ ଶ୍ରମିକ ଓ କର୍ମଚାରୀ ଛଟେଇ ହୋଇ ଏବେ ବେକାର। ଏକମାତ୍ର ରାଷ୍ଟ୍ରାୟତ୍ତ ‌‌ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ଅବସ୍ଥା ସଙ୍ଗିନ। ଏମ୍‌ଏମ୍‌ଟିସି ନିଜର ଅଂଶଧନ ଫେରାଇ ନେବା ପ୍ରସ୍ତାବ ପରେ କାରଖାନା ଭବିଷ୍ୟତ ଅନ୍ଧକାରରେ। ହଜାର ହଜାର ପରିବାର ଅନ୍ନ ସଂସ୍ଥାନ ହରାଇବା ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ସରକାରୀ ଅଧୀନ କାରଖାନା କାହିଁକି ମୈଥାନ କାରଖାନାରେ ବି ଫେବ୍ରୁଆରିରୁ ତାଲା ପଡ଼ିଛି। ତେରଶହ ପରିବାର ଜୀବିକା ହରାଇଛନ୍ତି। ନିୟମିତ କାରଖାନା ଗୁଡ଼ିକରୁ ଶହ ଶହ ଶ୍ରମିକ ଓ କର୍ମଚାରୀ ଛଟେଇ ହେବାରେ ଲାଗିଛନ୍ତି। ଏଥିମଧ୍ୟରେ ଭିସାରୁ ୫ଶହ, ୟାଜଦାନୀରୁ ୫୦, ମେସକୋରୁ ୨ଶହ ଭଳି ଜିନ୍ଦଲ ଓ ଅନ୍ୟାନ୍ୟ କାରଖାନାରୁ ମଧ୍ୟ ଛଟେଇ ଜାରି ରହିଛି।

କଳଙ୍ଗନଗର ଶିଳ୍ପାଞ୍ଚଳ ଭଳି କାଳିଆପାଣି କ୍ରୋମ ଖଣିଅଞ୍ଚଳ ଅବସ୍ଥା ଅଧିକ ସଙ୍ଗିନ। ସରକାରଙ୍କ ଆଇଡିସି ତଳଙ୍ଗି ଖଣିରୁ ୫ରୁ ଅଧିକ, କର୍ମଦା ଖଣିରୁ ୧୫୦, ଜିନ୍ଦଲରୁ ୬୪, ଫେକରରୁ ୨ଶହ ଓ ‌ଟିସ୍କୋ ଖଣିରୁ ୩ ଶହରୁ ଅଧିକ ଶ୍ରମିକ ଜୀବିକା ହରାଇଛନ୍ତି। କ୍ରୋମ ଉପତ୍ୟକା କଳିଆପାଣି କଳାପାଣି ସଦୃଶ ହେବାକୁ ବସିଲାଣି। ପରିବହନ ଠାରୁ ଆରମ୍ଭ କରି ଖଣି ଖନନ ପର୍ଯ୍ୟନ୍ତ ସବୁ ବେଳେ ଅଶାନ୍ତି।

ଖଣି ଅଞ୍ଚଳ ନିକଟରେ ଥିବା ନଗଡ଼ା ଶିଶୁ ମଡ଼କ କୁଖ୍ୟାତି ଓଡ଼ିଶା ପାଇଁ କଳଙ୍କ ଆଣିଛି। ଶିଳ୍ପ ଓ ଖଣିରେ ଜୀବିକା ଯେପରି ବିପନ୍ନ। ଜୀବନ ବାଜିରେ ଲାଗିଛି। ପ୍ରଦୂଷଣ ଅଣାୟତ୍ତ।। ଶହ ଶହ ଲୋକ ଅତି ଦୟନୀୟ ଭାବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଲୋକମାନେ ଆଜି ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇ ଅନ୍ୟତ୍ର ଚାଲିଯିବାକୁ ଆକୁଳ ନିବେଦନ କରୁଛନ୍ତି। ଅନ୍ୟ ସ୍ଥାନରେ ରହିବା ପାଇଁ ଜାଗା ଖଣ୍ଡିଏ ଖୋଜୁଛନ୍ତି। ଅଥଚ ପ୍ରଶାସନ କିମ୍ବା କମ୍ପାନିର ସେମାନଙ୍କ ଦୟନୀୟ ସ୍ଥିତି ପ୍ରତି ନିଘା ନାହିଁ। ନୀଳାଚଳ କାରଖାନା ନିକଟ ସାରଙ୍ଗପୁରବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇ ବିସ୍ଥାପନ ହେବାକୁ ସରକାରଙ୍କ ନିକଟରେ ବର୍ଷ ବର୍ଷ ହେଲା ବ୍ୟାକୁଳ ହେଉଛନ୍ତି। କେବଳ ସାରଙ୍ଗପୁର କାହିଁକି ବାରଗାଡ଼ିଆ ଲୋକଙ୍କ ଅବସ୍ଥା ମଧ୍ୟ ସେହିପରି । ସେମାନେ ଶିଳ୍ପନଗରୀ କାରଖାନା ପାଇଁ ଅଣନିଃଶ୍ବାସୀ। ପ୍ରଦୂଷଣ ଯନ୍ତାରେ ପଡ଼ି କିଡ଼୍‌ନି, ଯକ୍ଷ୍ମା ‌ଓ ଅନ୍ୟାନ୍ୟ ରୋଗରେ ଶହଶହ ଲୋକ ଛଟପଟ ହେଉଥିବା ଦେଖିବାକୁ ମଳିଛି।

ସମ୍ବନ୍ଧିତ ଖବର