ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ ଆବାସ ଯୋଜନାରେ ମିଳୁନି ଘର : ତାରପୋଲିନ୍‌ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଇନ୍ଦ୍ରମଣି ଗୌଡ଼ଙ୍କ ପରିବାର

ରୁପ୍ରା : ନର୍ଲାବ୍ଲକ ଗିଗିନା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରରେ ରହୁଥିବା ଇନ୍ଦ୍ରମଣି ଗୌଡ଼ଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅନ୍ୟ ଘରେ ମୂଲ ଲାଗି ପରିବାର ଚଳାଉଥିବା ଇନ୍ଦ୍ରମଣିଙ୍କ ନିଜସ୍ବ ଜମି ଖଣ୍ଡେ ମଧ୍ୟ ନାହିଁ। ତାଙ୍କ ପରିବାର ମାସକୁ ୨୫ କେ.ଜି ଚାଉଳ ଛଡା ଅନ୍ୟ କୌଣସି ଯୋଜନା ପରିବାର ପାଖରେ ପହଁଞ୍ଚି ପାରିନାହିଁ। ଆବାସ ଯୋଜନା ମାଧ୍ୟମରେ ଘରଟିଏ ପାଇବା ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ଗତ ଅଗଷ୍ଟ ମାସ ପ୍ରବଳ ବର୍ଷାରେ ତାଙ୍କ ଝାଟିମାଟି ଘର ଭାଙ୍ଗିଯାଇଥିଲା। ପରେ ନର୍ଲା ତହସିଲ ଅଫିସରୁ ଏକ ତାରପୋଲିନ୍‌ ପାଇ ଭଙ୍ଗାଘରେ ଘୋଡାଇ ବର୍ତ୍ତମାନ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ପ୍ରଶାସନ ସମ୍ପୃକ୍ତ ପରିବାରକୁ ଶୀଘ୍ର ଏକ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର