ସାର ବିକିବା ପାଇଁ ପିଓଏସ୍‌ ବାଧ୍ୟତାମୂଳକ

ପାକ୍‌ସ୍‌, ଲାମ୍ପ୍‌ସ୍‌କୁ ସମବାୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର : ସାର ବିକିବା ପାଇଁ ପଏଣ୍ଟ୍‌ ଅଫ୍‌ ସେଲ୍‌(ପିଓଏସ୍‌) ମେସିନ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଜାନୁଆରି ୧ ତାରିଖରୁ କୌଣସି ଡିଲର୍‌/ରିଟେଲର୍‌ ବିନା ପିଓଏସ୍‌ ମେସିନ୍‌ରେ ସାର ବିକିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଏ ନେଇ ନିର୍ଦ୍ଦେଶ ଦେଲା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆଜି ସମବାୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପାକ୍‌ସ୍‌, ଲାମ୍ପ୍‌ସ୍‌କୁ ନିର୍ଦ୍ଦେଶ ଜାରି କରାଯାଇଛି। ଜାନୁଆରି ୧ ପୂର୍ବରୁ ପିଓଏସ୍‌ ମେସିନ୍‌ ରଖିବା ପାଇଁ କୁହାଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି, କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଡିବିଟି ବ୍ୟବସ୍ଥାରେ ସାର କମ୍ପାନିଗୁଡ଼ିକୁ ସରକାର ସିଧାସଳଖ ସବ୍‌ସିଡି ଦେବେ। ପିଓଏସ୍‌ରେ ବିକ୍ରି କରାଗଲେ ପ୍ରକୃତରେ କେତେ ସାର ବିକ୍ରି ହେଉଛି, ତାହା ଜଣାପଡ଼ିବ। ସେହି ଆଧାରରେ ସରକାର କମ୍ପାନିକୁ ସବ୍‌ସିଡି ଦେବେ। ତେଣୁ ପାକ୍‌ସ୍‌ ଓ ଲାମ୍ପ୍‌ସ୍‌ରେ ପିଓଏସ୍‌ ମାଧ୍ୟମରେ ଜାନୁଆରି ୧ରୁ ସାର ବିକ୍ରି ହେବ। ଆଧାର କାର୍ଡ, କିସାନ୍‌ କ୍ରେଡିଟ୍‌ କାର୍ଡ ଓ ଭୋଟର୍‌ ପରିଚୟ ପତ୍ର ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଯଦି ବିନା ପିଓଏସ୍‌ରେ ସାର ବିକ୍ରି ହୋଇଥିବ, ତେବେ ତାହା ଉପରେ ସବ୍‌ସିଡି ଦିଆଯିବ ନାହିଁ। ଯେଉଁ ବ୍ୟକ୍ତି ପିଓଏସ୍‌କୁ ବ୍ୟବହାର କରିବେ, ସେମାନଙ୍କୁ ଉପଯୁକ୍ତ ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର