ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଅସଙ୍ଗତି  : ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆର୍ଥିକ ମାନଦଣ୍ଡକୁ ଚାଲେଞ୍ଜ

କଟକ : ଅଣସଂରକ୍ଷିତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ କଲେଜ ପଢା ସମୟରେ ମିଳୁଥିବା ବୃତ୍ତି(ପୋଷ୍ଟ ମାଟ୍ରିକ ସ୍କଲାରସିପ) ପ୍ରସଂଗରେ ଅବହେଳା କରାଯାଉଛି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସାମାଜିକ କର୍ମୀ କୁଳମଣି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଏପରି ବୃତ୍ତି ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାରିବାରିକ ବାର୍ଷିକ ଆୟ ମାନଦଣ୍ଡ ୧ ଲକ୍ଷ ଟଙ୍କା ରଖା ଯାଇଛି। ବାର୍ଷିକ ଏକ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ପରିବାରର ଛାତ୍ରଛାତ୍ରୀ ଏପରି ବୃତ୍ତି ପାଇବାକୁ ଯୋଗ୍ୟ। ଅନ୍ୟପକ୍ଷରେ ଅନୁସୂଚିତ ଜାତିଙ୍କ ପାଇଁ ବାର୍ଷିକ ପାରିବାରିକ ଆୟ ମାନଦଣ୍ଡ ୨ ଲକ୍ଷ ୫୦ ହଜାର ଟଙ୍କା ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଏହା ୨ଲକ୍ଷ ଟଙ୍କା ରହିଛି। ଆର୍ଥିକ ମାନଦଣ୍ଡ କ୍ଷେତ୍ରରେ ଏପରି ଅସଂଗତି ଯୋଗୁ ବହୁ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀ ପୋଷ୍ଟ ମାଟ୍ରିକ ସ୍କଲାରସିପ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥି ସହିତ ୨ ଲକ୍ଷ ୫୦ ହଜାର ଟଙ୍କାରୁ କମ୍‌ ବାର୍ଷିକ ଆୟ ଥିବା ଅସୁସୂଚିତ ଜାତି ଓ ୨ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ମାସିକ ୧୨ଶହ ଟଙ୍କା ବୃତ୍ତି ମିଳୁଥିବା ବେଳେ ଏକ ଲକ୍ଷ ଟଙ୍କାରୁ କମ୍‌ ବାର୍ଷିକ ଆୟ ଥିବା ସାଧରଣ ବର୍ଗଙ୍କ ପାଇଁ ଏହା ମାସିକ ୭୫୦ ଟଙ୍କା ରହିଛି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର