ମାଳ ମାଳ ପଦବି ଖାଲି; କିରାଣିଠୁ ଓଏଏସ୍‌ ଯାଏ ବହୁ ପଦବି ଫାଙ୍କା, ରାଜସ୍ବ, ସ୍ବାସ୍ଥ୍ୟ, ଶିକ୍ଷା ପରି ମୌଳିକ ସେବା ପାଇଁ ଲୋକେ ନାକେଦମ୍

ଭୁବନେଶ୍ବର : ସ୍ବାସ୍ଥ୍ୟ ସେବାକୁ ଠିକ୍ କରିବା ପାଇଁ ସରକାର ଗୁଡ଼ାଏ ଘୋଷଣା କରୁଛନ୍ତି। କିନ୍ତୁ ସରକାରୀ ତଥ୍ୟ ଭିନ୍ନ କିଛି ସୂଚାଉଛି। ୨୮୫୧ ଡାକ୍ତର ପଦବି ରାଜ୍ୟରେ ଖାଲି ପଡ଼ିଛି। ପିଏଚ୍‌ସି ଓ ସିଏଚ୍‌ସିରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କ ମଧ୍ୟରୁ ୮୦୦ରୁ ଅଧିକ ଜଣ ଉଚ୍ଚଶିକ୍ଷା ପାଇଁ ଛୁଟିରେ। ସରକାରୀ ମେଡିକାଲ କଲେଜରେ ୩୨୫ଟି ଡାକ୍ତରୀ ଶିକ୍ଷକ ଓ ୨୭୨୫ ଅଣଶିକ୍ଷକ ପଦବି ଖାଲି। ସ୍ବା‌ସ୍ଥ୍ୟ ସେବା କେମିତି ଉନ୍ନତ ହେବ, ତାହା ବୁଝାପଡ଼ୁନି।

ଶିକ୍ଷା ବ୍ୟବସ୍ଥ‌ାର ଆହୁରି ବିକଳ ସ୍ଥିତି। ସରକାରୀ ଓ ସରକାରୀ ଅନୁଦାପ୍ରାପ୍ତ ହାଇସ୍କୁଲ୍‌ରେ ୨୮୪୭ ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ିଛି। ପୁଣି ୧୧,୦୪୧ ଶିକ୍ଷକ ଓ ୧୮୭୪ କିରାଣି ପଦବିରେ କେହି ନାହାନ୍ତି। ବିଶ୍ବବିଦ୍ୟାଳୟଗୁଡ଼ିକରେ ୮୪୯, ସରକାରୀ କଲେଜରେ ୧୨୬୭ ଓ ଅନୁଦାନପ୍ରାପ୍ତ କଲେଜରେ ୧୮୨୪ ଅଧ୍ୟାପକ ପଦ ଖାଲି।

ରାଜସ୍ବ ସେବାର ଗୁରୁତ୍ବ ଏବେ ବହୁତ ବଢ଼ିଯାଇଛି। ରାଜସ୍ବ ସେବାର ମୁଖ୍ୟ କେନ୍ଦ୍ର ହେଲେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)। କିନ୍ତୁ ରାଜ୍ୟ‌େର ୫୪୯ ଆର୍‌ଆଇ ସର୍କଲ୍‌ରେ ଆର୍‌ଆଇ ନାହାନ୍ତି। ୨୨୨୨ ମଞ୍ଜୁରୀପ୍ରାପ୍ତ ଅମିନ ପଦବିରୁ ୮୧୨ ଖାଲି ପଡ଼ିଥିଲା ବେଳେ ଆସିଷ୍ଟାଣ୍ଟ୍‌ ଆର୍‌ଆଇ ପଦବି ୨୨୨୩ ମଧ୍ୟରୁ ୬୧୮ ଖାଲି ପଡ଼ିଛି। ବିଭିନ୍ନ ତହସିଲ୍‌ରେ ୨୦୦୦ରୁ ଅଧିକ କିରାଣି ପଦବି ଖାଲି ପଡ଼ିଛି। ପ୍ରାୟ ୪୦ ତହସିଲ୍‌ରେ ନିୟମିତ ତହସିଲ୍‌ଦାର୍ ବି ନାହାନ୍ତି।

ସ୍ବାସ୍ଥ୍ୟ, ଶିକ୍ଷା ଓ ରାଜସ୍ବ ପରି ତିନିଟି ମୌଳିକ ସେବା ଦେଉଥିବା ବିଭାଗରେ ଏମିତି କର୍ମଚାରୀ ମରୁଡ଼ି। ଏତେ ସଂଖ୍ୟାରେ ପଦବି ଖାଲି ପଡ଼ୁଥିବାରୁ ତୃଣମୂଳ ସ୍ତରରେ ଲୋକମାନେ କିପରି ନାକେଦମ୍ ହେଉଛନ୍ତି, ତାହା ନ ଦେଖିଲେ ବିଶ୍ବାସ କରି ହେବନି। ତହସିଲ୍‌ ଅଫିସ୍‌ଠାରୁ ଆରମ୍ଭ କରି ସଚିବାଳୟ ଯାଏ, କିରାଣିଠାରୁ ଆରମ୍ଭ କରି ଓଏଏସ୍ ଯାଏ, ସବୁଠି କର୍ମଚାରୀ ସଙ୍କଟ ଜଳଜଳ ହୋଇ ଦେଖାଯାଉଛି। ଲୋକଙ୍କୁ ମୌଳିକ ‌େସବା ଯୋଗାଉଥିବା ବିଭାଗଗୁଡ଼ିକରେ ବି ନିୟମିତ ନିଯୁକ୍ତି କରିବାକୁ ସରକାରଙ୍କ ହାତ ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସ୍ବାସ୍ଥ୍ୟ ସେବା ବିକଶିତ ହେଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ଯେତେ‌ ଡିଣ୍ଡିମ ପିଟିଲେ ବି ବ୍ୟବସ୍ଥାରେ ଥିବା ଗଦା ଗଦା ତ୍ରୁଟି ନିଇତି ଲୋକଲୋଚନକୁ ଆସୁଛି। ପ୍ରତିଦିନ ଏକାଧିକ ଜାଗାରେ ସରକାରୀ ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟ ସେବାକୁ ନେଇ ଅଭିଯୋଗ ତାଲିକା ଲମ୍ବି ଚାଲିଛି। ଏହାର ଏକ ପ୍ରମୁଖ କାରଣ ହୋଇଛି ଡାକ୍ତର ସଙ୍କଟ। ସରକାର ହସ୍ପିଟାଲ୍‌ କୋଠା, ଯନ୍ତ୍ରପାତି ସବୁ ପ୍ରସ୍ତୁତ କରୁଥିଲେ ବି ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିଗିଡ଼ି ଯାଉଛି, ଏହାକୁ ସ୍ବୀକାର କରିବାକୁ ପଡ଼ିବ। ପୁଣି ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଉଥିଲା ବେଳେ ସେଠାରେ ମଧ୍ୟ ଆବଶ୍ୟକ ଡାକ୍ତରୀ ଶିକ୍ଷକ ଓ କର୍ମଚାରୀ ନାହାନ୍ତି। ଡାକ୍ତରୀ ଶିକ୍ଷକ ଯଥେଷ୍ଟ ନ ଥିବା ଏକ ଗୁରୁତର ସମସ୍ୟା। କେବଳ ଏମ୍‌ବିବିଏସ୍‌ ଡାକ୍ତର ନୁହନ୍ତି, ହୋମିଓପାଥିକ୍ ଓ ଆୟୁର୍ବେଦିକ୍‌ରେ ମଧ୍ୟ ସମାନ ସ୍ଥିତି। ୨୨୧ ଆୟୁର୍ବେଦିକ ଓ ୧୫୦ ହୋମିଓପାଥିକ ମେଡିକାଲ୍‌ ଅଫିସର୍ ପଦବି ଖାଲି ପଡ଼ିଛି।

ରାଜସ୍ବ ପ୍ରଶାସନରେ ଆର୍‌ଆଇମାନଙ୍କ ଉପରେ ଗୁରୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ବହୁ କାମରେ ଆର୍‌ଆଇମାନଙ୍କ ରିପୋର୍ଟ ଏକ ଅତ୍ୟାବଶ୍ୟକ ନଥି ପାଲଟିଯାଇଛି। କିନ୍ତୁ ୫୦୦ରୁ ଅଧିକ ଆର୍‌ଆଇ ସର୍କଲ୍‌ ବିନା ଆର୍‌ଆଇରେ ଚାଲିବା ଆଶ୍ଚର୍ଯ୍ୟଜନକ। ଯେଉଁ ସର୍କଲ୍‌ରେ ଆର୍‌ଆଇ ନାହାନ୍ତି, ନିକଟସ୍ଥ କୌଣସି ସର୍କଲ୍‌ର ଆର୍‌ଆଇ ସେଠାରେ ଦାୟିତ୍ବରେ ରହୁଛନ୍ତି। କିନ୍ତୁ ଲୋକମାନେ ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପାଇବେ, ଜାଣିପାରୁ ନାହାନ୍ତି। ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଯଥେଷ୍ଟ ଅମିନ ନ ଥିବାରୁ ଗାଁଗଣ୍ଡାରେ ଜମିଜମା ବିବାଦ ବଢ଼ିଚାଲିଛି। ବଲାଙ୍ଗୀର ଜିଲ୍ଲାରେ ୮୬ଟି ଆର୍‌ଆଇ ସର୍କଲ୍‌ ଥିଲା ବେଳେ ମାତ୍ର ୧୮ ଜଣ ଆର୍‌ଆଇ କାର୍ଯ୍ୟରତ ଅଛନ୍ତି ଓ ୭୫ ଆର୍‌ଆଇ ପଦବି ଖାଲି ପଡ଼ିଛି। କଟକ ଜିଲ୍ଲାରେ ୫୫, ଗଞ୍ଜାମରେ ୭୭ ଓ ଜଗତସିଂହପୁରରେ ୩୩ ଆର୍‌୍ଆଇ ପଦବି ଖାଲି ଅଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦଳ, ମତ ନିର୍ବିଶେଷରେ ବିଧାୟକମାନେ ଏ ନେଇ ଚିନ୍ତା ପ୍ରକଟ କରିଥିଲେ। କିନ୍ତୁ ଆର୍‌ଆଇ, ଅମିନ ନିଯୁକ୍ତି ନେଇ ସରକାରୀ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁନି।

ସରକାରୀ ସ୍କୁଲ୍‌ରେ ଶିକ୍ଷକ ଅଭାବ ଯୋଗୁ ଏବେ ଶିକ୍ଷାଦାନ ସାଂଘାତିକ ଭାବେ ବାଧାପ୍ରାପ୍ତ ହେଉଛି। ବହୁ ସ୍କୁଲ୍‌ରେ କାମଚଳା ଢଙ୍ଗରେ ଶିକ୍ଷାଦାନ କରାଯାଉଛି। ଗୋଟିଏ କ୍ଲାସ୍‌କୁ ଗୋଟିଏ ଶିକ୍ଷକ ବି ନାହାନ୍ତି। ଯେ କୌଣସି ଗାଁର ଗୋଟିଏ ସ୍କୁଲ୍‌କୁ ପଶିଗଲେ, ଶିକ୍ଷା ବ୍ୟବସ୍ଥା କେତେ ତଳ ସ୍ତରକୁ ଗଲାଣି ତାହା ଜଣାପଡ଼ିଯିବ। ଯଥେଷ୍ଟ ଶିକ୍ଷକ ନିଯୁକ୍ତ ନ ହେଲେ, କୌଣସି ପରିସ୍ଥିତିରେ ସରକାରୀ ସ୍କୁଲ୍‌ରେ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆସିପାରିବ ନାହିଁ ବୋଲି ବହୁ ଶିକ୍ଷାବିତ୍ ଯୁକ୍ତି ବାଢ଼ିଛନ୍ତି। ପୁଣି ଅଦାଲତି କଟକଣାର ଆଳ ଦେଖାଇ ପ୍ରଧାନ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ସ୍କୁଲ୍‌ଗୁଡ଼ିକ ଦିଶାହୀନ ଭାବେ ଚାଲିଛି।

କେବଳ ମୌଳିକ ସେବା କ୍ଷେତ୍ରରେ ନୁହେଁ। ଅନ୍ୟ ‌େକ୍ଷତ୍ରଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ମଞ୍ଜୁରୀପ୍ରାପ୍ତ ୧୭୧୧ ଓଏଏସ୍‌ ପଦବିରୁ ୪୪୨ ଖାଲି ପଡ଼ିଛି। ସଚିବାଳୟରେ ଉପସଚିବ, ଅନୁସଚିବ, ଡେସ୍କ ଅଫିସର୍ ଓ ଉପବିଭାଗ ଅଧିକାରୀ ପଦବିରେ ୧୫୯ଟି ଖାଲି ପଡ଼ିଛି।

ଶିଳ୍ପାୟନକୁ ଫୋକସ୍ ଦେବା ନେଇ ସରକାର ବାହାଦୁରୀ ମାରୁଛନ୍ତି। କିନ୍ତୁ ୩୨୧ଟି ମଞ୍ଜୁରୀପ୍ରାପ୍ତ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ପଦବିରୁ ୮୨ଟି ପଦବି ଖାଲି ଅଛି। ଏହି ପଦବି ପୂରଣ ପାଇଁ ସରକାରୀ ପ୍ରକ୍ରିୟା ବି ଶିଥିଳ। ୮୧ଟି ପଦବି ପୂରଣ ପାଇଁ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷଣୁ ୨୦୧୬ ସେପ୍ଟେମ୍ବର ମାସରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ତିନି ବର୍ଷ ହେଲା ପ୍ରକ୍ରିୟା ପାଦେ ଆଗେଇନି। ଗତ ଜୁଲାଇ ମାସ ବିଭାଗ ପକ୍ଷରୁ କମିସନ୍‌ଙ୍କୁ ସାନି ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ସରକାର କ୍ରୀଡ଼ାକୁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଲୋକଙ୍କ ଅଭାବ ଅଛି। ଏବେ କ୍ରୀଡ଼ା ଓ ଯୁବସେବା ବିଭାଗର ୨୦ଟି କ୍ରୀଡ଼ା ପ୍ରଶିକ୍ଷକ ପଦବି ଖାଲି ପଡ଼ିଛି।

ବିଭିନ୍ନ ବିଭାଗରେ ଆବଶ୍ୟକତାକୁ ଚାହିଁ ପଦବି ମଞ୍ଜୁର କରାଯାଏ। କିନ୍ତୁ ମଞ୍ଜୁରୀପ୍ରାପ୍ତ ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ୁଥିଲା ବେଳେ କାମ କିପରି ହେଉଛି, ତାହା ହିଁ ବଡ଼ ପ୍ରଶ୍ନବାଚୀ। ଯଦି ପଦବି ଅଧିକ ହୋଇଛି, ତେବେ ତାହାକୁ ଉଚ୍ଛେଦ କାହିଁକି କରାଯାଉନି? ଯଦି ପଦବି ଠିକ୍ ଅଛି, ତେବେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାରେ ଅସୁବିଧା କେଉଁଠି ?

ସମ୍ବନ୍ଧିତ ଖବର