ପଞ୍ଚାୟତିରାଜ ବିଭାଗରେ ସାଢ଼େ ୩ ହଜାର ପଦବି ଖାଲି : ୩୩ ବ୍ଲକରେ ବିଡ଼ିଓ , ୨୫ ଜିଲ୍ଲାରେ ଏପିଡି ନାହାନ୍ତି

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ବିଭିନ୍ନ ପାହ୍ୟାରେ ପ୍ରାୟ ସାଢ଼େ ୩ ହଜାର ପଦବି ଖାଲି ପଡ଼ିଛି। ଏଗୁଡ଼ିକ ପୂରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଏଭଳି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟ ସଚିବାଳୟରେ ଏହି ବିଭାଗରେ ଏବେ ୧୫୪ଟି ପଦବି ଖାଲି। ଏଥିମଧ୍ୟରେ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ, ନିଧି ଅଧିକାରୀ, ଡେସ୍କ ଅଫିସର, ଏଏସ୍‌ଓ, ସହକାରୀ ଅଡିଟ୍‌ ଅଫିସର, ଅଡିଟର୍‌, ପିଅନ ଆଦି ପଦବି ଅନ୍ତର୍ଭୁକ୍ତ।

ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୩୩ଟିରେ ବିଡ଼ିଓ ନ ଥିବା ବେଳେ ୧୦୮ଟିରେ ଆକାଉଣ୍ଟସ୍‌ ଅଫିସର, ୧୩୭ଟିରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୧୪୨ଟିରେ ଏବିଡ଼ିଓ, ୩୨ଟିରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ୪୬ଟିରେ ପ୍ରୋଗ୍ରେସ୍‌ ଆସିଷ୍ଟାଣ୍ଟ, ୧୫ଟିରେ କ୍ୟାସିଅର୍‌, ୧୯ଟିରେ ଷ୍ଟୋର୍‌ କିପର୍‌, ୯୪ଟିରେ ଗାଡ଼ି ଚାଳକ, ୫୨ଟିରେ ଚୌକିଦାର ନାହାନ୍ତି।

ଏହାଛଡ଼ା ୩୦ଟି ଜିଲ୍ଲାରୁ ୭ଟିରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦବି ମଧ୍ୟ ଖାଲିପଡ଼ିଛି। ଏହି ବିଭାଗ ଅଧିନରେ ୧୭୩ଟି ସହକାରୀ ଯନ୍ତ୍ରୀ, ୩୫୬ଟି କନିଷ୍ଠ ଯନ୍ତ୍ରୀ, ୨୫ଟି ଉପଖଣ୍ଡ ପଞ୍ଚାୟତ ଅଧିକାରୀ, ୧୮୭ଟି ପଞ୍ଚାୟତ ବୈଷୟିକ ସହକାରୀ ପଦବି ଖାଲି। ଏହାଛଡ଼ା ୧୦୧୨ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ବି ନାହାନ୍ତି। ମୋଟାମୋଟି ଭାବେ ପଞ୍ଚାୟତ ବିଭାଗରେ ୨୬୬୭ ପଦବି ଖାଲି ପଡ଼ିଛି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଗୁଡ଼ିକରେ ୨୫ଟି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ୭୮ଟି ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଛି। ୩ଟି କାର୍ଯ୍ୟକ୍ରମ ଅଧିକାରୀ, ୬୦ଟି ଏସ୍‌ଆଇ, ୩୪ଟି ବରିଷ୍ଠ କିରାଣି, ୨୯୨ଟି କନିଷ୍ଠ ଆକାଉଣ୍ଟସ୍‌ ପଦବି ସମେତ ବିଭିନ୍ନ ପାହ୍ୟାର ମୋଟ୍‌ ୬୪୬ଟି ପଦବି ଖାଲିପଡ଼ିଛି। ଏହି ଖାଲି ପଦବି ସବୁ ପୂରଣ ପାଇଁ ନିୟମାନୁଯାୟୀ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ସୂଚାଇଛନ୍ତି।

ସମ୍ବନ୍ଧିତ ଖବର