ପେନ୍‌ସନ୍‌ଭୋଗୀଙ୍କ ପାଇଁ ‘ଅର୍ପଣ’

ଭୁବନେଶ୍ୱର,: ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ୍‌ ‘ଅର୍ପଣ’କୁ ଲୋକାର୍ପଣ କରାଯାଇଛି। ୨୦୧୬ ପୂର୍ବର ପେନ୍‌ସନ୍‌ଭୋଗୀଙ୍କ ଅନ୍‌ଲାଇନ୍‌ ମାଧ୍ୟମରେ ପେନ୍‌ସନ୍‌ ରାଶିର ପୁନଃନିର୍ଦ୍ଧାରଣ ପାଇଁ ଏହା ଉଦ୍ଦିଷ୍ଟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋର୍ଟାଲ୍‌କୁ ଲୋକାର୍ପଣ କରିଛନ୍ତି। ଏହା ସହ ବିଭିନ୍ନ ସରକାରୀ ଦେୟ ପ୍ରଦାନ ନିମନ୍ତେ ଏକ ମୋବାଇଲ୍‌ ଆପ୍‌ ମଧ୍ୟ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ପେନ୍‌ଭୋଗୀଙ୍କ ସମସ୍ୟାକୁ ସରକାର ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛନ୍ତି। ଏହି ପୋର୍ଟାଲ୍‌ଟି ବରିଷ୍ଠ ନାଗରିକମାନଙ୍କୁ ବେଶ୍‌ ସହାୟ ହୋଇପାରିବ। ସେମାନେ ବିନା ବାଧାରେ ଓ ସମୟସୀମା ମାଧ୍ୟମରେ ସେମାନଙ୍କ ହକ୍‌ ପାଇପାରିବେ। ଏହା ଦେଶରେ ପ୍ରଥମ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟମ୍ବର,୨୦୧୭ଠାରୁ ରାଜ୍ୟର ସମସ୍ତ ଯୋଗ୍ୟ ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ସ୍ଥିରୀକୃତ ହୋଇସାରିଛି ଓ ବର୍ଦ୍ଧିତ ପେନ୍‌ସନ୍‌ ଇତି ମଧ୍ୟରେ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ପୂର୍ଣ୍ଣ ପେନ୍‌ସନ୍‌ ପାଇଁ ଆବଶ୍ୟକ ୩୩ ବର୍ଷର ନିରବଚ୍ଛିନ୍ନ ସେବାକୁ ୨୫ ବର୍ଷକୁ କମାଇ ଦିଆଯାଇଛି। ଏହି ନୂଆ ପେନ୍‌ସନ୍‌ ବ୍ୟବସ୍ଥାରେ ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ରାଶିର ପୁନଃ ନିର୍ଦ୍ଧାରଣ ହୋଇ ସେମାନଙ୍କ ରାଶିରେ ବୃଦ୍ଧି ଘଟିବ। ଏଥି ପାଇଁ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ଆବେଦନ ପତ୍ର ପେନ୍‌ସନ୍‌ ବିତରଣ ଅଧିକାରୀଙ୍କ ପାଖରେ ଦାଖଲ କରିବାର ନିୟମ ଅଛି। ‘ଅର୍ପଣ’ ପୋର୍ଟାଲ୍‌ରେ ଜଣେ ପେନ୍‌ସନ୍‌ଭୋଗୀ ନିଜର ଆଧାର ନମ୍ବର ସହ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଯେଉଁ ଆବେଦନକାରୀଙ୍କ ଆଧାର ନମ୍ବର ନାହିଁ, ସେମାନେ ମଧ୍ୟ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। କିନ୍ତୁ ସେମାନଙ୍କୁ ନିଜ ଆବେଦନପତ୍ରର ଅବିକଳ ନକଲ ପେନ୍‌ସନ୍‌ ବିତରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ। ଏହି ପୋର୍ଟାଲ୍‌ ମାଧ୍ୟମରେ ଜଣେ ପେନ୍‌ସନ୍‌ଭୋଗୀ ନିଜ ଆବେଦନର ସ୍ଥିତି ସମ୍ପର୍କରେ ସୂଚନା ପାଇବା ସହ ଅଭିଯୋଗ ଦାଖଲ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ନିକଟରେ ଅବସର ଗ୍ରହଣ କରିବାକୁ ଯାଉଥିବା କର୍ମଚାରୀଙ୍କ ପାଇଁ ସମନ୍ଵିତ ଆର୍ଥିକ ପରିଚାଳନା ବ୍ୟବସ୍ଥାରେ(ଆଇଏଫ୍‌ଏମ୍‌ଏସ୍‌) ଅନ୍‌ଲାଇନ୍‌ ପେନ୍‌ସନ୍‌ ଆପ୍ଲିକେସନ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ଆବେଦନକାରୀ ସବୁ ସ୍ତରରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପାଇପାରିବେ। ଟିକସଦାତାମାନଙ୍କ ସୁବିଧା ପାଇଁ ଏକ ମୋବାଇଲ୍‌ ଆପ୍‌ର ପ୍ରଚଳନ କରାଯାଇଛି। ଏହି ଆପ୍‌ ଜରିଆରେ ଜନସାଧାରଣ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ମୋବାଇଲ୍‌ ମାଧ୍ୟମରେ ନିଜର ଦେୟ ପ୍ରଦାନ କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ଲୋକାର୍ପଣ ଉତ୍ସବରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର