ଆଳୁ ପାଇଁ ମୁହାଁମୁହିଁ

ଖଣ୍ଡଗିରି : ପୁଣି ଆଳୁ ଦରକୁ ନେଇ ବଜାରରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ହଠାତ୍‌ ଆଜି ଖୁଚୁରା ବଜାରରେ ଆଳୁ ଦର ୨୦ ଟଙ୍କା ହୋଇ ଯାଇଛି। ତେଣୁ ଚଳିତ ବର୍ଷ ଆଳୁ ଦର ୨୦ ଟଙ୍କା ଟପିବ ନାହିଁ ବୋଲି ବ୍ୟବସାୟୀମାନେ ଯେଉଁ ଦାବି କରୁଥିଲେ, ତାହା ଆଜି ଭୁଲ୍‌ ପ୍ରମାଣିତ ହୋଇଛି। ଗୋଟିଏ ପଟେ ଦରବୃଦ୍ଧି ଯୋଗୁଁ ଖାଉଟି କଲବଲ ହେଉଥିଲା ବେଳେ ଅନ୍ୟ ପଟେ ଏହାକୁ ନେଇ ଯୋଗାଣ ବିଭାଗ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ୍‌ ଜାରି ରହିଥିଲା ବେଳେ କଳାବଜାରୀଙ୍କୁ ତୁରନ୍ତ ବାନ୍ଧି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଗାଣ ମନ୍ତ୍ରୀ ଆଜି କହିଛନ୍ତି। କିନ୍ତୁ ବିଭାଗର ଯାଞ୍ଚ୍‌ ଓ ଚେତାବନୀକୁ ବ୍ୟବସାୟୀମାନେ ଗ୍ରହଣ କରିପାରୁ ନାହାନ୍ତି। ଏସବୁ ସରକାରଙ୍କ ଲୋକଦେଖାଣିଆ କାମ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଳୁ ଦର ନିୟନ୍ତ୍ରଣ କରିବାକୁ ଗତ ୪ ତାରିଖରେ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ସଚିବଙ୍କ ଚିଠି ଗଲା ପରେ ଜିଲ୍ଲା ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର କିଛି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିବା ଖବର ମିଳିଛି। ପାଇକାରୀ ଦର ଅପରିବର୍ତ୍ତିତ ଥିବାବେଳେ କେଉଁ ପରିସ୍ଥିତିରେ ଖୁଚୁରା ବଜାରରେ ଦର ବୃଦ୍ଧି ଘଟିଛି, ତାହାକୁ ନେଇ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି।

ଆଜି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ବେଆଇନ୍‌ ମହଜୁଦ୍‌କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକରେ ପାଇକାରୀ ବ୍ୟବସାୟୀମାନେ ୫୦୦ କ୍ୱିଣ୍ଟାଲ୍‌ରୁ ଅଧିକ ଆଳୁ ରଖିପାରିବେ ନାହିଁ। ସେହିପରି ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉରକେଲାରେ ପାଇକାରୀ୍‌ ବ୍ୟବସାୟୀମାନେ ୩୦୦ କ୍ୱିଣ୍ଟାଲ୍‌ରୁ ଅଧିକ ରଖିପାରିବେ ନାହିଁ। ଅନ୍ୟ ସହର ପାଇଁ ଏହି ସୀମା ରହିଛି ୧୫୦ କ୍ୱିଣ୍ଟାଲ୍‌। ଯଦି ଏହାର ଖିଲାପ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କିନ୍ତୁ ମନ୍ତ୍ରୀଙ୍କର ଏହି ଯୁକ୍ତିକୁ ଗ୍ରହଣ କରିପାରିନାହାନ୍ତି ପାଇକାରୀ ବ୍ୟବସାୟୀମାନେ। ସେମାନଙ୍କ ଯୁକ୍ତି ହେଉଛି, ଆଳୁ କେବଳ ଶୀତଳ ଭଣ୍ଡାରରେ ହିଁ ରଖିହେବ। ସରକାରଙ୍କ ପାଖରେ ଶୀତଳଭଣ୍ଡାରର ତାଲିକା ରହିଛି ଓ ସେଠାରେ ଚଢ଼ାଉ କଲେ ବାସ୍ତବ ଚିତ୍ର ମିଳିପାରିବ। ମାତ୍ର ଯୋଗାଣ ବିଭାଗର ଅଧିକାରୀମାନେ ତାହା ନ କରି ଦୈନଦିନ ବଜାରରେ ବା ପାଇକାରୀ ଗୋଦାମରେ ଚଢ଼ାଉ କରି ଖାଲି ଲୋକଦେଖାଣିଆ କାମ କରୁଛନ୍ତି। ଏହାର ମାନେ କିଛି ନାହିଁ। ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ଓ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଚଳିତ ବର୍ଷ ଆଳୁ ସଂକଟକୁ ଅନୁମାନ କରି ସେମାନେ ପୂର୍ବରୁ ସରକାର ଆଳୁ କିଣି ସାଇତିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସରକାର ତାହା କଲେ ନାହିଁ। ଏବେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ସରକାର ଗୋଦାମରେ ଚଢ଼ାଉ କରୁଛନ୍ତି। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ଭଳି କଥା। ଏବେ ବି ସରକାର ଆଳୁ କିଣିବାକୁ ପଦକ୍ଷେପ ନେଲେ କିଛି ଫଳ ମିଳିପାରେ ବୋଲି ସେମାନେ କହିଛନ୍ତି।

ବ୍ୟବସାୟୀଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପଶ୍ଚିମବଙ୍ଗରେ ଚଳିତ ବର୍ଷ ଆଳୁ ଉତ୍ପାଦନ କମିଥିବାରୁ ସ୍ୱାଭାବିକ ଭାବେ ସେଠାରେ ଆଳୁ ଦର ବୃଦ୍ଧି ପାଇଛି। ସେଠାରେ ଏବେ ପାଇକାରୀ ଦର ହିସାବରେ ଆଳୁ ଦର କିଲୋ ପିଛା ୯ ଟଙ୍କାରୁ ୧୦ ଟଙ୍କା ପଡ଼ୁଛି। ତେଣୁ ପରିବହନ ବ୍ୟୟ ସହ ଓଡ଼ିଶାରେ ଆଳୁ ପହଞ୍ଚିବାବେଳକୁ କିଲୋ ପିଛା ଦର ୧୧ରୁ ୧୨ ଟଙ୍କା ପଡ଼ୁଛି। ଫଳରେ ଏଠାରେ ପାଇକାରୀ ଦର ୧୩ ଟଙ୍କାରୁ ୧୪ ଟଙ୍କା ରହୁଛି। ସେଠାରେ ଦର ବୃଦ୍ଧିର ଅନ୍ୟତମ କାରଣ ହେଉଛି ଗତ ବର୍ଷ ଆଳୁ ଦର ନ ବଢ଼ିବାରୁ ଚାଷୀମାନେ ଲାଭବାନ୍‌ ହୋଇନଥିଲେ। ତେଣୁ ଚଳିତ ବର୍ଷ ଆଳୁ ଚାଷୀମାନେ କମ୍‌ ଚାଷ କରିଥିଲେ। ଏକ ଆକଳନ ଅନୁସାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୩୦ ହଜାର ହେକ୍ଟର କମ୍‌ ଜମିରେ ଆଳୁ ଚାଷ କରାଯାଇଥିଲା। ଏଥିସହିତ ଚଳିତ ବର୍ଷ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଥିବାରୁ ସେଠିକାର ସରକାର ଚାଷୀମାନଙ୍କ ଲାଭ ପାଇଁ ଆଳୁ ଦର ବୃଦ୍ଧି କରିଛନ୍ତି। ତେବେ ଅମଳ ପରେ ଶୀତଳ ଭଣ୍ଡାରରେ ଯେତିକି ଆଳୁ ରହିବା କଥା ରହି ସାରିଛି ଓ ଏବେ ପ୍ରତିଦିନ ଆଳୁ ଆମଦାନୀ ସ୍ୱାଭାବିକ ରହିଛି। ତେଣୁ ପାଇକାରୀ ଦର ବୃଦ୍ଧିରେ କୌଣସି କାରଣ ନାହିଁ ବୋଲି ବ୍ୟବସାୟୀମାନଙ୍କ ମତ। ମାତ୍ର ଏବେ ସରକାର ଖୁଚୁରା ବଜାର ଉପରେ ନିୟନ୍ତ୍ରଣ କରିବା ଜରୁରୀ। କାରଣ ସେମାନେ କିଲୋ ପିଛା ଅତି ବେଶୀରେ ୪ ଟଙ୍କା ଲାଭ ରଖି ଖାଉଟିଙ୍କୁ ଯୋଗାଇବା କଥା। ମାତ୍ର ସରକାରୀ ନିୟନ୍ତ୍ରଣ ଅଭାବରୁ ଖୁଚୁରା ବେପାରୀମାନେ କିଲୋ ପିଛା ୭ ଟଙ୍କା ଲାଭ ରଖିବାରୁ ବଜାରରେ ଦର ୨୦ ଟଙ୍କାକୁ ଛୁଇଁଛି।

କଟକର ୭ ଆଳୁ ଗୋଦାମରେ ଚଢଉ
କଟକ :ସାରା ରାଜ୍ୟରେ ଆଳୁ ଚଢା ଦରରେ ବିକ୍ରି ହେଉଥିବା ନେଇ ଖାଉଟୀ ପୁଣି ଆତଙ୍କିତ ହୋଇ ପଡିଛନ୍ତି। ଏଭଳି ସ୍ଥିତିରେ ଆଳୁର କଳାବଜାରୀ ରୋକିବା ଓ ଠିକ୍‌ ମୂଲ୍ୟରେ ଆଳୁ ବିକ୍ରି ପାଇଁ ଆଜି ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ଛତ୍ରବଜାର ଓ ମାଲଗୋଦାମର ୭ଟି ହୋଲସେଲ ଗୋଦାମରେ ଚଢଉ କରିଛି ଯୋଗାଣ ବିଭାଗ।। ଖଚୁରା ବେପାରୀ ୧୬ରୁ ୧୭ଟଙ୍କାରେ ଆଳୁ ବିକ୍ରି କରିବେ ଏବଂ କେତେ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ସେ ସଂପର୍କିତ ଦର ତାଲିକା ପ୍ରତ୍ୟେକ ଦିନ ଦୋକାନ ସମ୍ମୁଖରେ ଟଙ୍ଗାଇବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହିତ ଆଳୁ ବେଆଇନ ଭାବେ ଗଚ୍ଛିତ ରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଅନୁସାରେ କଟକରେ ପ୍ରତ୍ୟେକ ଦିନ ୭/୮ ଟ୍ରକ୍‌ ଆଳୁ ପଶ୍ଚିମବଙ୍ଗରୁ ଆସୁଥିବାବେଳେ ହୋଲସେଲ ଦରରେ କ୍ୱିଣ୍ଟାଲ ପିଛା ୧୩୫୦ରୁ ୧୪୦୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲ ଦର ଠିକ୍‌ ରହିଥିବାରୁ ଖୁଚୁରା ବେପାରୀ ଆଳୁ କିଲୋ ୧୬ରୁ ୧୭ଟଙ୍କାରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ। ଏହି ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ଆଳୁ ବିକ୍ରି କରାଗଲେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକକୁ ଯେଉଁ ପରିମାଣରେ ଆଳୁ ଆସୁଛି ସେହି ପରିମାଣରେ ଆଳୁ ମଗାଇବା ପାଇଁ ବେପାରୀ ମାନେ ରାଜି ହୋଇଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ। ଆଜି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର, ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ସମେତ ଯୋଗାଣ ବିଭାଗର ୫ଜଣିଆ ଟିମ୍‌ ସାତଟି ଗୋଦାମ ଉପରେ ଚଢଉ କରିଥିଲେ।

ସମ୍ବନ୍ଧିତ ଖବର