ନିର୍ବାଚନୀ ତାତି! : ଆଳୁ ଦର ୧୫ ଟପିଲା

ଭୁବନେଶ୍ବର : ଆଳୁ ଦର ୧୫ ଟଙ୍କା ଟପିଲା। ମାତ୍ର ତିନି ସପ୍ତାହ ଭିତରେ ଏହା ୮ ଟଙ୍କାରୁ ବଢ଼ି ବଢ଼ି ଆଜି ୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ଏହା ୨୦ ଟଙ୍କାକୁ ଛୁଇଁପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାଲବାହୀ ଟ୍ରକ୍‌ ଅଭାବ ପାଇଁ ଆମଦାନୀ ହ୍ରାସ ପାଇଥିବାରୁ ଏଭଳି ଦରବୃଦ୍ଧି ହୋଇଥିବା ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନିର୍ବାଚନ କାମରେ ବହୁ ଟ୍ରକ୍‌ ନିୟୋଜିତ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଏହି ଦରବୃଦ୍ଧି ସାମୟିକ ବୋଲି କୁହାଯାଉଛି। ତେବେ ସମ୍ପ୍ରତି ପରିବା ଦର ବୃଦ୍ଧି ସାଙ୍ଗକୁ ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରିବା ଆରମ୍ଭ କରିଛି ବୋଲି ଅଭିଯୋଗ ହେଲାଣି। ଏବେ ପ୍ରାୟ ସବୁ ପରିବା ଦର ୪୦ଟଙ୍କା ଉପରେ ଥିବାଚ ବେଳେ ଆଳୁ ଦର ବୃଦ୍ଧି ଗରିବ ଖାଉଟିଙ୍କ ପାଇଁ ବଡ଼ ସଂଗିନ୍ ସମସ୍ୟା ବୋଲି ସ୍ପଷ୍ଟ ହୋଇଛି। ଚଳିତ ମାସ ଆରମ୍ଭରୁ ଆଳୁ ଦର କିଲୋ ପିଛା ୮ଟଙ୍କା ଥିଲା। ଗତ ସପ୍ତାହରେ ଏହା ୧୨ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ହଠାତ୍ ଏହା ୧୫ଟଙ୍କାକୁ ଛୁଇଁଛି। ଖୁଚୁରା ବଜାରରେ ଆଜି ସନ୍ଧ୍ୟାରେ ଆଳୁ କିଲୋ ପିଛା ୧୫ ଟଙ୍କାରେ ବିକ୍ରି ହୋଇଛି। ଖୁଚୁରା ବେପାରୀଙ୍କ କହିବା କଥା ପାଇକାରୀ ଦର ୧୧ଶହ ଟଙ୍କା ହୋଇଯିବା ପରେ କିଲୋ ୧୫ଟଙ୍କାରେ ବିକିବାକୁ ସେମାନେ ବାଧ୍ୟ ହୋଇଛନ୍ତି। ତେବେ ଆସନ୍ତାକାଲି ପୁଣି ଏହି ଦର ବଢ଼ିବା ଆଶଙ୍କା ରହିଛି। କିଲୋ ପିଛା ୧୭/୧୮ ଟଙ୍କା ହୋଇପାରେ ବୋଲି ଖୁଚୁରା ବେପାରୀମାନେ କହିଛନ୍ତି। ଏମିତିକି ଆଉ ଗୋଟିଏ ସପ୍ତାହ ପରେ ଏହା ୨୦ ଟଙ୍କା ହୋଇପାରେ ବୋଲି ସେମାନେ ଆଶଙ୍କା କରୁଥିବା କହିଛନ୍ତି। ଏ ନେଇ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ପଶ୍ଚିମବଙ୍ଗରୁ ଆମଦାନୀ କମିଥିବାରୁ ଏଭଳି ସ୍ଥିତି ଉପୁଜିଛି। ନିର୍ବାଚନ ପାଇଁ ବହୁ ମାଲବାହୀ ଟ୍ରକ୍ ନିୟ‌ୋଜିତ ହୋଇଥିବାରୁ ଆଳୁ ଆମଦାନୀ ପ୍ରଭାବିତ ହୋଇଛି। ଆଳୁ ଅମଳରେ କୌଣସି ପ୍ରଭାବ ପଡ଼ିନଥିବାରୁ ଏହା ଏକ ସାମୟିକ ସମସ୍ୟା। ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ଆମଦାନୀ ସ୍ବାଭାବିକ ହେବ ଓ ଦର ପୁଣି ପୂର୍ବାବସ୍ଥାକୁ ଫେରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର