ଘନ ଘନ ବିଦ୍ୟୁତ୍‌ କାଟ୍‌

ଅସନ୍ତୋଷ ବଢୁଛି, ପାଣି ସମସ୍ୟା ବି
ବିଦ୍ୟୁତ୍‌ ସଙ୍କଟକୁ ଅସ୍ୱୀକାର କଲା ଗ୍ରୀଡ୍‌କୋ
କର୍ତ୍ତୃପକ୍ଷ କହିଲେ କାଳବୈଶାଖୀ ପାଇଁ କଟାଯାଉଛି

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମତାତି ଓ ଗୁଳୁଗୁଳି ସହିତ ବଢିଚାଲିଛି ବିଦ୍ୟୁତ୍‌ କାଟ୍‌। ମାଲକାନଗିରି, କୋରାପୁଟଠାରୁ ଆରମ୍ଭ କରି ପୁରୀ ଯାଏ, ବାଲେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁର, ଅବିଭକ୍ତ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଆଦି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍‌ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି।

ରାଜଧାନୀ ମଧ୍ୟ ଏଥିରୁ ବାଦ୍‌ ପଡୁନାହିଁ। ସହରତଳି ଅଞ୍ଚଳ କଥା ନ କହିବା ଭଲ। ରାଜଧାନୀରେ ବଡ଼ବଡିଆ ରହୁଥିବା ପ୍ରମୁଖ ଅଞ୍ଚଳକୁ ଛାଡିଦେଲେ, ଅନ୍ୟ ଅଞ୍ଚଳରେ ଏକାଧିକବାର ବିଦ୍ୟୁତ କାଟ୍‌ ହେଉଛି।

ସବୁଠାରୁ ବଡ଼ କଥା ହେଉଛି, ଅଘୋଷିତ ବିଦ୍ୟୁତ୍‌ କାଟ କାରଣରୁ, ପାଇପ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ଆଡ଼କୁ ଗତି କରିବା ଆରମ୍ଭ କରିଛି। ଯେଉଁ ସବୁ ଗାଁରେ ପାଇପ୍‌ ଜଳଯୋଗାଣ ଉପରେ ଲୋକେ ନିର୍ଭର କରୁଛନ୍ତି ଅଥବା କୂଅ ପାଣି ତଳକୁ ଖସିଯିବା କାରଣରୁ ମୋଟରକୁ ଭରସା କରୁଛନ୍ତି, ସେଠାରେ ସ୍ଥିତି ସଙ୍ଗିନ୍‌। ଅଭିଯୋଗ ଅନୁସାରେ, ଗାଁ ଗଣ୍ଡାରେ ଦିନକୁ ପ୍ରାୟ ୪ ଘଣ୍ଟାଯାଏ ବିଦ୍ୟୁତ କାଟ୍‌ ହେଉଛି। ସେହିପରି ସହରାଞ୍ଚଳରେ ଦିନକୁ ୮ରୁ ୧୦ଥର ବିଦ୍ୟୁତ୍‌ କାଟ କାରଣରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି। ବିଦ୍ୟୁତ କାଟ୍‌ ପୂର୍ବରୁ ସୂଚନା ଦେବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସ୍ପଷ୍ଟ ନିର୍ଦେଶ ଥିଲେ ହେଁ, କର୍ତ୍ତୃପକ୍ଷ ଏ ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି। କେବଳ ସେତିକି ନୁହେଁ, ଅଧିକାରୀମାନେ ଫୋନ୍‌ ତ ଧରୁନାହାନ୍ତି, ଜାଣିବା ପରେ ବି ତତ୍କାଳ ବିଦ୍ୟୁତ ଯୋଗାଣ ଲାଗି ପଦକ୍ଷେପ ନିଆଯାଉନାହିଁ।

ଜଳସଙ୍କଟ କାରଣରୁ ବିଦ୍ୟୁତ କାଟ୍‌ ହେଉଛି କି? ବିଦ୍ୟୁତ ତାର ଲୋଡ୍‌ ନେଉନାହିିଁ? ନା କର୍ତ୍ତୃପକ୍ଷ ଜାଣିଶୁଣି ବିଦ୍ୟୁତ କାଟ୍‌ କରି ବଳକା ଦେଖାଇବାକୁ ଚେଷ୍ଟା କରୁଛନ୍ତି? ଏ ନେଇ ଉତ୍ତର ଦେବାକୁ କର୍ତ୍ତୃପକ୍ଷ ନାରାଜ।

ଆଜି ରାଜ୍ୟ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୂପ ଅଭିଯୋଗ ଆଣିଛି। କହିଛି, ଅଘୋଷିତ ବିଦ୍ୟୁତ କାଟ୍‌ ଯୋଗୁଁ ଗାଁ ଗଣ୍ଡାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏଥିରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଆଳ କରୁଛନ୍ତି। ମହାନଦୀ ଆନ୍ଦୋଳନ ଡାକରା ଏହାର ଏକ ଅଂଶବିଶେଷ।

ତେବେ ଗ୍ରୀଡ୍‌କୋ ନିର୍ଦେଶକ (ବାଣିଜ୍ୟିକ) ମାନସ କୁମାର ଦାସ କିନ୍ତୁ ଅଘୋଷିତ କିମ୍ବା ଜଳାଭାବ କାରଣରୁ ବିଦ୍ୟୁତକାଟ୍‌ କରାଯିବା କଥାକୁ ମାନିନାହାନ୍ତି। ବରଂ ସ୍ୱୀକାର କରିଛନ୍ତି ଯେ କାଳବୈଶାଖୀ ସମୟରେ ଘନ ଘନ ବିଜୁଳି ଓ ୫୦ରୁ ଅଧିକ କିଲୋମିଟର ବେଗରେ ପବନ ବହୁଥିବା କାରଣରୁ ବିଦ୍ୟୁତ କାଟ୍‌ କରାଯାଉଛି। ଉଦ୍ଦେଶ୍ୟ ହେଉଛି, ଲୋକେ ଆଘାତପ୍ରାପ୍ତ ନ ହୁଅନ୍ତୁ ଏବଂ ବିଦ୍ୟୁତ୍‌ ଟ୍ରାନ୍ସସଫର୍ମର ଆଦି ପୋଡି ଅକାମୀ ହୋଇନଯାଉ।

ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ବଳକା ବୋଲି ଦାବି କରି ଶ୍ରୀ ଦାସ କହିଛନ୍ତି, ଆଜି ଦିନରେ ସନ୍ଧ୍ୟାରେ ୩୪୨୩ ମେଗାଓ୍ଵାଟ୍‌ ବିଦ୍ୟୁତ ଆବଶ୍ୟକ ହେଉଛି। ଏଥିରୁ ଜଳବିଦ୍ୟୁତ କ୍ଷେତ୍ରରୁ ୭୮୦ ମେଗାଓ୍ଵାଟ୍‌, ସିଜିପି ବା ଆଇପିପିରୁ ୯୨୨ ମେଗାଓ୍ଵାଟ୍‌, ଓପିଜିସି ଆଦି ତାପଜ ବିଦ୍ୟୁତ କ୍ଷେତ୍ରରୁ ୭୭୫ ମେଗାଓ୍ଵାଟ୍‌ ଓ କେନ୍ଦ୍ରୀୟ ସୂତ୍ରରୁ ୮୯୬ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଛି। କେନ୍ଦ୍ରୀୟ କ୍ଷେତ୍ରରୁ ଓଡ଼ିଶା ୧୨୧୫ ମେଗାଓ୍ଵାଟ୍‌ ଯାଏ ବିଦ୍ୟୁତ ପାଇପାରିବ। ଏଣୁ ବର୍ତ୍ତମାନ ବିଦ୍ୟୁତ ସଙ୍କଟ ନାହିଁ, ଏଣୁ କମ୍‌ ବିଦ୍ୟୁତ ଅଣାଯାଉଛି। ରାଜ୍ୟ ସରକାର ୪୨ଶହ ମେଗାଓ୍ଵାଟ ଆବଶ୍ୟକତାକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ଅଛନ୍ତି ଓ ୨୪୩ ମେଗାଓ୍ଵାଟ୍‌ ବିଦ୍ୟୁତ ପାଓ୍ଵାର୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ରଖାଯାଇଛି। ଯାହା ଆବଶ୍ୟକ ବେଳେ ସରକାର ଆଣିବେ।

ଗ୍ରୀଡ୍‌କୋ କହିଛି, ଚଳିତବର୍ଷ ହୀରାକୁଦ କିମ୍ବା ରେଙ୍ଗାଲିରେ ଜଳଅଭାବର ଆଶଙ୍କା ନାହିଁ। ଗତବର୍ଷ ଏହି ସମୟରେ ଏସବୁ ଜଳଭଣ୍ଡାରରେ ଜଳସ୍ତର ଯାହା ଥିଲା, ଏବେ ସେୟା ରହିଛି। ମାତ୍ର ଅପର ଇନ୍ଦ୍ରାବତୀ, ଅପର କୋଲାବ ଓ ବାଲିମେଳାରେ ଜଳାଭାବ ଦେଖାଗଲାଣି। ଏଠାରେ ୨.୫ ମିଟର ପାଣି ଗତବର୍ଷ ତୁଳନାରେ କମ୍‌ ରହିଛି। ଗତବର୍ଷ ୧୫୦୦ ମେଗାଓ୍ଵାଟ୍‌ ଯାଏ ବିଦ୍ୟୁତ ଉତ୍ପାଦନ ହେଉଥିଲା, ଏବର୍ଷ ଅତିବେଶୀରେ ୧୨୫୦ ମେଗାଓ୍ଵାଟ୍‌ ଜଳବିଦ୍ୟୁତ ହୋଇପାରିବ। ଅର୍ଥାତ୍‌ ଜଳବିଦ୍ୟୁତ କ୍ଷେତ୍ରରେ ୨୦% ବିଦ୍ୟୁତ କମ୍‌ ମିଳିବ। ଏଥିପାଇଁ ଆଗତୁରା ପାଓ୍ଵାର ବ୍ୟାଙ୍କିଙ୍ଗ୍‌ କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ବଳକା ବିଦ୍ୟୁତ କାରଣରୁ ଗତ ମାର୍ଚ୍ଚ ସୁଦ୍ଧା ରାଜ୍ୟ ୧୪୦ କୋଟି ଟଙ୍କାର ବିଦ୍ୟୁତ ବିକ୍ରି କରିଥିିବା ଗ୍ରୀଡ୍‌କୋ କହିଛି।

ସମ୍ବନ୍ଧିତ ଖବର