ଅତିରିକ୍ତ ଜିଲ୍ଲାପାଳଙ୍କ କ୍ଷମତା ବଢ଼ିଲା

ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦୀ ସଂକ୍ରାନ୍ତୀୟ ସଂଶୋଧନ ମାମଲାର ବିଚାର କରିବେ

ଭୁବନେଶ୍ବର: ରାଜ୍ୟରେ ଫେବ୍ରୁଆରି, ୨୦୧୮ ସୁଦ୍ଧା ବନ୍ଦୋବସ୍ତ ଓ ଚକବନ୍ଦୀ ସଂକ୍ରାନ୍ତୀୟ ସଂଶୋଧନ ମାମଲା ପ୍ରାୟ ୧ଲକ୍ଷ ୨୩ହଜାର ୭୧୯ଟି ବିଭିନ୍ନ ଅଦାଲତରେ ବିଚାରାଧୀନ ଅଛି। ଏହି ସବୁ ମାମଲାର ଶୀଘ୍ର ଫଇସଲା କରି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଆଜି ଅନୁମୋଦନ କରିଛନ୍ତି। ଜମିଜମା ବନ୍ଦୋବସ୍ତ ଏବଂ ଚକବନ୍ଦୀ ସଂକ୍ରାନ୍ତୀୟ ସଂଶୋଧନ ମାମଲାର ଶୁଣାଣି କରିବା ପାଇଁ ରାଜସ୍ବ ପର୍ଷଦର ସଦସ୍ୟ କ୍ଷମତାପ୍ରାପ୍ତ। ତେବେ ବର୍ତ୍ତମାନ ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁଙ୍କ ଅଦାଲତରେ ୧୪ହଜାରରୁ ଉର୍ଦ୍ଧ୍ବ ଏବଂ ଅନ୍ୟାନ୍ୟ ଅଦାଲତରେ ପ୍ରାୟ ୧ଲକ୍ଷ ୯ହଜାରରୁ ଅଧିକ ମାମଲା ଫଇସଲା ନହୋଇ ପଡ଼ିରହିଛି। ତେଣୁ ଏହି ସବୁ ମାମଲାର ତ୍ବରିତ ବିଚାର ନିମନ୍ତେ ୩୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଚକବନ୍ଦୀ ମାମଲା ଥିବା ୧୯ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତୀୟ ପୁନର୍ବିଚାର ମାମଲାର ତ୍ବରିତ ଫଇସଲା ପାଇଁ ରାଜ୍ୟ ସରକାର ୩୦ଟି ଜିଲ୍ଲାର ସଦର ମହକୁମାର ଅତିରିକ୍ତ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏଥିରେ କଟକ ଓ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଏବଂ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ରେ ଅବସ୍ଥାପିତ ଅତିରିକ୍ତ ଜିଲ୍ଲାପାଳମାନେ ଅନ୍ତର୍ଭୁକ୍ତ।

ଏହାସହ ଚକବନ୍ଦୀ ମାମଲା ଥିବା ରାଜ୍ୟର ୧୯ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନେ ମଧ୍ୟ ଚକବନ୍ଦୀ ସଂକ୍ରାନ୍ତୀୟ ପୁନର୍ବିଚାର ମାମଲାର ଫଇସଲା କରିବା ପାଇଁ କ୍ଷମତା ପାଇବେ। ଏହି ୧୯ଟି ଜିଲ୍ଲା ହେଉଛି କଟକ, ଯାଜପୁର, ବାଲେଶ୍ବର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା, ପୁରୀ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର।

ସମ୍ବନ୍ଧିତ ଖବର