ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ

ବିଜୁ ଜନତା ଦଳର ୨୦ତମ ପ୍ରତିଷ୍ଠା ଦିବସରେ ଉଛୁଳି ଉଠୁଥିଲା ପୁରୀର ତାଳବଣିଆ ପଡ଼ିଆ। ପ୍ରତିଷ୍ଠା ଦିବସ ନାଁରେ ଶକ୍ତି ପ୍ରଦର୍ଶନ ପାଇଁ ଏହିଭଳି ସୁଯୋଗ ବିଜେଡି ଛାଡ଼ିବାକୁ ଚାହିଁ ନଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିଜେଡି ପତାକା, ତୋରଣ, ବିଜୁ ଓ ନବୀନଙ୍କ ଫଟୋ ଛାଇ ଯାଇଥିଲା। ଏହି ୬୦କିମି ରାସ୍ତା ଆଜି ପୂରା ବିଜେଡି କବ୍‌ଜାରେ ଥିବା ଭଳି ଅନୁଭୂତ ହେଉଥିଲା। ବିଭିନ୍ନ ଛକରେ ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ସହ ଫୁଲ ପକାଇ ସ୍ୱାଗତ କରିଥିଲେ। ବଡ଼ଦାଣ୍ଡରୁ ଆରମ୍ଭ କରି ତାଳବଣିଆ ପର୍ଯ୍ୟନ୍ତ ନବୀନଙ୍କୁ ଦିଆଯାଇଥିଲା ଉଚ୍ଛ୍ୱର୍ସିତ ସମ୍ବର୍ଦ୍ଧନା। ସଭାସ୍ଥଳୀରେ ବିଜେଡି ନେତାଙ୍କ ଭାଷଣବାଜି ଏପରି ଥିଲା ଯାହା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଆରମ୍ଭ ଭଳି ଲାଗୁଥିଲା। ଚାରି ପାଳି ଶାସନ ଭାର ସମ୍ଭାଳିଥିବା ବିଜେଡି ୫ମ ଥର ବି ଶାସନ କରିବ ଏହି ଦୃଢ ବିଶ୍ୱାସ ଦଳୀୟ ନେତାଙ୍କ ଭାଷଣରେ ସ୍ପଷ୍ଟ ଉଚ୍ଚାରଣ ହେଉଥିଲା। ଏଥିପାଇଁ ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଆଜି ଘୋଷଣା କରିଛି। ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ବିଜେଡି ପ୍ରତି ଯେପରି ଢଳିବେ ସେଥିପାଇଁ କର୍ମୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ଵାନ ଦିଆଯାଇଛି।

ବିଜେଡି ଗୋଟିଏ ପରିବାର, ଭାଙ୍ଗିଲେ ଭାଙ୍ଗିବୁନି

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିଭାଷଣ ପ୍ରଦାନ କରିଥିଲେ ସାଂସଦ ପ୍ରତାପ କେଶରୀ ଦେବ। ଏଥିରେ ସେ କହିଥିଲେ ଯେ, କେନ୍ଦ୍ରୀୟ ଅବହେଳା, ବିରୋଧୀଙ୍କର ମିଥ୍ୟା ପ୍ରଚାର ସତ୍ତ୍ୱେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥରେ ଆଗେଇଛି। ଯିଏ ଯେତେ ମିଥ୍ୟା ତଥ୍ୟ ଦେଲେ କି ଅପପ୍ରଚାର କଲେ ବି ବିଜେଡିକୁ ଭାଙ୍ଗିପାରିବେନି। ବିଜେଡି ଗୋଟିଏ ପରିବାର। ଭାଙ୍ଗିଲେ ଭାଙ୍ଗିବୁନି ବରଂ ଅଧିକ ସୁଦୃଢ ହେବୁ ବୋଲି ପ୍ରତାପ ଦେବ କହିଥିଲେ। ମଞ୍ଚରେ ଆଜି ସବୁଠୁ ଅଧିକ ସମୟ ପ୍ରତାପ ଦେବ ଭାଷଣ ଦେଇଥିଲେ।
ଆଜିର କାର୍ଯ୍ୟକ୍ରମକୁ ଦଳର ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିବାବେଳେ ଦଳର ସମସ୍ତ ଉପସଭାପତି ଉପସ୍ଥିତ ଥିଲେ। ଏହାପରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଭାଷଣ ଦେଇଥିଲେ।
ମଞ୍ଚରେ କହିବାର ସୁଯୋଗ କେତେକ ହାତଗଣତି ନେତାଙ୍କୁ ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ବସିଥିବା ସମୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଦଳ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଦୀପ ମହାରଥୀଙ୍କୁ କହିବାର ସୁଯୋଗ ମିଳିଥିଲା। ମଞ୍ଚରେ ସମସ୍ତ ଉପସଭାପତି ବସିଥିବାବେଳେ କେବଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିବାକୁ ସୁଯୋଗ ମିଳିଥିଲା। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ତଥାଗତ ସତପଥୀ, ପିନାକୀ ମିଶ୍ର, ଭର୍ତ୍ତୁହରି ମହତାବ, ସ୍ନେହାଙ୍ଗିନୀ ଛୁରିଆ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ମଙ୍ଗଳା କିଷାନ, ବେଦୁ ପ୍ରସାଦ ଅଗ୍ରଓ୍ଵାଲ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରମିଳା ମଲ୍ଲିକ, ମିଲନ କାନୁନଗୋ, ଯୁବ ବିଜେଡି ସଭାପତି ଅମରେଶ ପତ୍ରି, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପଙ୍କୁ କହିବାର ସୁଯୋଗ ମିଳିଥିଲା।

ବୈଜୟନ୍ତ ଅଲୋଡ଼ା ପିନାକୀଙ୍କୁ ଗୁରୁତ୍ୱ ଦେଲେନି

ଆଜି ମଞ୍ଚରେ ଭାଷଣ ଦେବାକୁ ଦଳର କେତେକ ବଛା ବଛା ସାଂସଦଙ୍କୁ ସୁଯୋଗ ମିଳିଥିଲା। ଯାହାକୁ କହିବାକୁ ସୁଯୋଗ ମିଳିନଥିଲା ତାଙ୍କୁ ମଞ୍ଚରେ ବସାଯାଇଥିଲା। କିନ୍ତୁ ବୈଜୟନ୍ତଙ୍କୁ ଏଥିରୁ କୌଣସି ଗୋଟିଏ ବି ମିଳିନଥିଲା। ନା ବୈଜୟନ୍ତଙ୍କୁ କେହି ଭାଷଣ ଦେବାକୁ ଡାକିଥିଲେ ନା ତାଙ୍କ ସହ କୌଣସି ପ୍ରମୁଖ ନେତା କଥାବାର୍ତ୍ତା ହେଉଥିଲେ। ବୈଜୟନ୍ତ ନେତାଙ୍କ ଗହଳିରେ ବସିଥିଲେ ବି ଏକୁଟିଆ ଥିଲେ। କାହା ସହ ବିଶେଷ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିନଥିଲା।
ସେହିପରି ପୁରୀରେ ସମାବେଶ ଆୟୋଜନ ହେଉଥିବାବେଳେ ସ୍ଥାନୀୟ ସାଂସଦ ପିନାକୀ ମିଶ୍ରଙ୍କ ଗୁରୁତ୍ୱ ସେତେଟା ଦେଖିବାକୁ ମିଳିନଥିଲା। ନା ତାଙ୍କୁ ଗୋଟିଏ ମିନିଟରୁ ଅଧିକ କହିବାକୁ ମିଳିଥିଲା ନା ମଞ୍ଚରେ ବସିବାକୁ। ଏପରିକି ପିନାକୀଙ୍କ ଭାଷଣ ସମୟରେ ସମର୍ଥକଙ୍କ ନାରାବାଜି ବି ନଥିଲା। ସ୍ଥାନୀୟ ବିଧାୟକ ଭାବେ ମହେଶ୍ୱର ମହାନ୍ତି ମଞ୍ଚରେ ବସିଥିଲେ ହେଁ ପିନାକୀଙ୍କୁ ଦୂରେଇ ରଖାଯାଇଥିଲା।

ଅଧାରୁ ଫେରିଲେ ଦାମ ସମ୍ବିତ୍‌ ଗଲେ

ଡାକ୍ତର ଦାମୋଦର ରାଉତ ସୋମବାର କହିଥିଲେ ଯେ, ସେ ସମାବେଶରେ ଯୋଗଦେବେନି। ପାରାଦୀପରୁ ଆସୁଥିବା କର୍ମୀଙ୍କୁ ଟଙ୍କପାଣି ରୋଡ୍‌ଠାରେ ସାକ୍ଷାତ କରିବେ। ଆଜି ସକାଳୁ ବି ଦାମ ବାବୁ ଟଙ୍କପାଣି ରୋଡ୍‌ରେ କର୍ମୀଙ୍କୁ ସାକ୍ଷାତ କରିଥିଲେ। ବିଜେଡି ପ୍ରତି ଦୁର୍ବଳତା ତାଙ୍କୁ ପିପିଲି ପର୍ଯ୍ୟନ୍ତ ଟାଣି ନେଇଥିଲା। କର୍ମୀଙ୍କ ଗହଣରେ ପିପିଲିରେ ପହଞ୍ଚି ଯାଇଥିଲେ ଦାମ। କିନ୍ତୁ ସେଠାରେ ପୁଅ ସମ୍ବିତଙ୍କ ନେତୃତ୍ୱରେ କର୍ମୀଙ୍କୁ ଛାଡ଼ିଥିଲେ। ସମ୍ବିତ ପାରାଦୀପରୁ ଆସିଥିବା କର୍ମୀଙ୍କୁ ନେଇ ପୁରୀରେ ପହଞ୍ଚିଥିଲେ। ଦାମ ବାବୁ ନିଜ ପୁଅ ପାଇଁ ସୁଯୋଗ ସୃଷ୍ଟି କଲେ ନା ନିଜେ ଯାଉନାହାନ୍ତି ବୋଲି ପୁଅର ଉପସ୍ଥିତି ଜାହିର୍‌ କରାଇଲେ ସେନେଇ ଏବେ ଚର୍ଚ୍ଚା।

ମଞ୍ଚ ଉପରେ ଦେବାଶିଷ, ତଳେ ସଞ୍ଜୟ, ଅରୁଣ, ବବି

ପ୍ରତିଷ୍ଠା ଦିବସ ପାଳନ ପାଇଁ ଯେଉଁ ମହାଆଡମ୍ବର ହୋଇଥିଲା ତା’ର ଦାୟିତ୍ୱ ନେଇଥିଲେ ଦଳର ଯୁବବାହିନୀ। ସିଟ୍‌ ଆରେଞ୍ଜମେଣ୍ଟରୁ ଆରମ୍ଭ କରି ମଞ୍ଚ ସଜ୍ଜା ପର୍ଯ୍ୟନ୍ତ ସବୁ ସଞ୍ଜୟ ଓ ବବିଙ୍କ ଇଙ୍ଗିତରେ ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମଞ୍ଚ ଉପରେ କିଏ ବସିବ କେଉଁଠି ବସିବ ତାହା କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ନ୍ୟସ୍ତ ଥିଲା। ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପର୍ଯ୍ୟନ୍ତ ଯୁବନେତାମାନେ ମଞ୍ଚ ଉପର ଓ ତଳ ଦଖଲ କରିଥିଲେ ହେଁ ନବୀନଙ୍କ ଆସିବା ପରେ ଦେବାଶିଷ ମଞ୍ଚ କବ୍‌ଜାକୁ ନେଇଥିଲେ। ମଞ୍ଚକୁ ଚେୟାର ବୋହିକି ନେଇ ପକାଇବା ଠାରୁ ଆରମ୍ଭ ଟର୍କିସ୍‌ ପକାଇବା, ମୁଖ୍ୟମନ୍ତ୍ରୀଙ୍କ ବାମ ପଟେ ଓ ଡାହାଣ ପଟେ କିଏ ବସିବ ସେହି ଅନୁଯାୟୀ ଚଉକି ପକାଇଥଲେ। ମଞ୍ଚ ତଳେ ସଞ୍ଜୟ ଓ ଅରୁଣ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାଙ୍କ କଥା ବୁଝୁଥିଲେ।
ମହେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଦୀପ ମହାରଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର