ପୁରୀ: ସାମୁଦ୍ରିକ ଝଡ଼ ‘ଫନି’ର ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ବୁଧବାର ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବାତ୍ୟାରେ ଉପକୂଳ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସହିତ ପୁରୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରୁ ଶ୍ରୀମନ୍ଦିର ମଧ୍ୟ ବାଦ୍ ପଡ଼ି ନଥିଲା। ଆଧ୍ୟାତ୍ମିକ ସହର ପୁରୀ ସଂପୂର୍ଣ୍ଣ ରୂପେ ବିଦ୍ୟୁତ୍ ସଂଯୋଗରୁ ବିଚ୍ଛିନ୍ନ ହେବା ପରେ ଆଜି ପ୍ରଥମେ ଶ୍ରୀମନ୍ଦିରକୁ ପୁଣି ଥରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀକୁ ବିଦ୍ୟୁତ୍ ସଂଯୋଗ କରିବାର ଦାୟିତ୍ୱ ଫେଡ୍କୋ ନେଇଛି। କମ୍ପାନିର ଶତାଧିକ କର୍ମଚାରୀ ବାତ୍ୟା ପର ଠାରୁ ଦିନ ତମାମ କାମ କରୁଛନ୍ତି। ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ କରାଯିବା ପରେ ଧୀରେ ଧୀରେ ସହରର ଅନ୍ୟ ସ୍ଥାନକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କମ୍ପାନୀ ଜଣାପଡ଼ିଛି। ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗୀକରଣ କରିବାରେ ମନ୍ଦିର ପ୍ରଶାସନ ମଧ୍ୟ ସହଯୋଗ କରିଛି। ମନ୍ଦିରରେ ବିଦ୍ୟୁତ ସଂଯୋଗ ନଥିବାରୁ ମୁଖ୍ୟତଃ ସେବାୟତ ଏବଂ ଭକ୍ତଙ୍କୁ ବହୁ ଅସୁବିଧା ହେଉଥିଲା।
ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ହେବା ପରେ ପ୍ରଶାସନ, ସେବାୟତ ଓ ଭକ୍ତ ସମସ୍ତେ ଖୁସି ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ ୩ ତାରିଖରେ ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶାର ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା। ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ସବୁଠାରୁ ଅଧିକ କ୍ଷତି ହୋଇଥିଲା।