ସୀମାନ୍ତ ଲୁହୁରାଚଟିରେ ପ୍ରବାସୀ ଶ୍ରମିକଙ୍କ ହଙ୍ଗାମା : ନିଜ ଘରକୁ ପଠାଇବା ଦାବିରେ ରାଜପଥ ଅବରୋଧ

ସୋହେଲା : ସୀମାନ୍ତ ଲୁହୁରାଚଟି ଦେଇ ଚାଲିଚାଲି ଯାଉଥିବା ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ବରଗଡ଼ ଜିଲ୍ଲା ଲୁହୁରାଚଟି ଓ ସୋହେଲାଠାରେ ଥିବା ଶିବିର ଗୁଡ଼ିକରେ ରଖାଯାଉଛି। କିନ୍ତୁ ଲୁହୁରାଚଟି ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ଶିବିରରେ ରଖାଯାଇଥିବା କେନ୍ଦ୍ରାପଡ଼ା, କଟକ, ଗଂଜାମ, ଗଜପତି, ବାଲେଶ୍ୱର ଆଦି ଜିଲ୍ଲାର ଶତାଧିକ ପ୍ରବାସୀ ଶିବିରରେ ଖାଦ୍ୟପେୟର ଅସୁବିଧା ଥିବା ଅଭିଯୋଗ କରିଛନ୍ତି। ନିଜ ନିଜ ଜିଲ୍ଲାକୁ ତୁରନ୍ତ ପଠାଇବାକୁ ଦାବି କରି ସେମା‌ନେ ରାଜପଥ ଅବରୋଧ କରିଛନ୍ତି।

ଖବର ପାଇ ସୋହେଲା ବିଡିଓ ବିଶ୍ୱରଂଜନ କର, ଏସ୍‌ଡିପିଓ ପ୍ରଦୀପ ସାହୁ, ଥାନାଧିକାରୀ ନିର୍ମଳ ମହାପାତ୍ର, ଅତିରିକ୍ତ ତହସିଲଦାର ମାନସ ରଂଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ପ୍ରବାସୀ ଶ୍ରମିକଙ୍କ ସହିତ ଆଲୋଚନା କରି ଶୀଘ୍ର ସେମାନଙ୍କୁ ନିଜନିଜ ଜିଲ୍ଲାକୁ ପଠାଇବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ପ୍ରବାସୀଙ୍କୁ ରାସ୍ତା ଅବରୋଧରୁ ଉଠାଇବା ପରେ ପ୍ରଶାସନିକ ଅଧିକାରୀ ମାନେ ପୁଲିସ ସହାୟତାରେ ଜାତୀୟ ରାଜପଥ ଦେଇ ଯାଉଥିବା ବସ୍‌ ଓ ଟ୍ରକ୍‌ ଅଟକାଇ ସେଥିରେ ପ୍ରବାସୀ ଶ୍ରମିକଙ୍କୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ୪ଟି ବସ୍‌ରେ ପ୍ରବାସୀ ଶ୍ରମିକଙ୍କୁ ପଠାଯାଇଥିଲା।

ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ପ୍ରବାସୀ ଶ୍ରମିକ ଜାତୀୟ ରାଜପଥରେ ଛତିଶଗଡ଼- ଓଡ଼ିଶା ସୀମା ଦେଇ ରାଜ୍ୟକୁ ପ୍ରବେଶ କରିଥା’ନ୍ତି। ଏହି ପ୍ରବାସୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଂଗ, ଝାଡ଼ଖଣ୍ଡ, ଆସାମ, ବିହାର ଆଦି ରାଜ୍ୟକୁ ଯାଇଥା’ନ୍ତି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ ଘରବାହୁଡ଼ା ଆରମ୍ଭ ହୋଇଛି। ଅଧିକାଂଶ ପ୍ରବାସୀ ନିଜ ଉଦ୍ୟମରେ ଗାଡ଼ି କରି ଫେରୁଛନ୍ତି। କେହିକେହି ସାଇକେଲ୍‌ କିମ୍ବା ଚାଲିଚାଲି ଫେରୁଥିଲେ। କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ କେହି ଚାଲିଚାଲି ଫେରିବେନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଫଳରେ ସୀମାରୁ ଛତିଶଗଡ଼ରୁ ଚାଲିଚାଲି ଆସୁଥିବା ଲୋକଙ୍କୁ ପ୍ରଥମେ ସଂଗରୋଧ କେନ୍ଦ୍ରରେ ରଖାଯାଉଛି। ପରେ ସେମାନଙ୍କୁ ନିଜ ଘରକୁ ପଠାଯାଉଛି।

ସମ୍ବନ୍ଧିତ ଖବର