ବାଲିଆପାଳ : ନିମ୍ନମାନର ଖାଦ୍ୟକୁ ନେଇ ପ୍ରବାସୀଙ୍କ ଧାରଣା

ବାଲିଆପାଳ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା ସାମ୍‌ନାକୁ ଆସିଛି। ଏହାର ପ୍ରତିବାଦରେ ଆଜି ଘଣ୍ଟୁଆ ଓ ଡଗରା ସଂଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ଅନଶନରେ ବସିଥିଲେ।

ଘଣ୍ଟୁଆ ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ଅଞ୍ଚଳର ୯୦ ପ୍ରବାସୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗର୍ଭବତୀ ଓ ୭ ଜଣ ଶିଶୁ ରହିଛନ୍ତି। ରବିବାର ରାତିରେ ସବୁଦିନ ଭଳି ଖାଦ୍ୟ ପଲିଥିନ୍‌ରେ ପ୍ୟାକ୍‌ ହୋଇ ଗୋଟିଏ ବସ୍ତାରେ ସଂଗରୋଧ କେନ୍ଦ୍ରକୁ ଆସିଥିଲା। କୋଠରି ବାହାରେ ଏକ ଟେବୁଲରେ ରଖିବାବେଳେ ତାହା ତଳକୁ ଖସିପଡ଼ିଥିଲା। ତେବେ କୁକୁର ଖାଇବା ବସ୍ତାରେ ମୁହଁ ମାରିଦେବାରୁ ସେ ଖାଦ୍ୟ ନ ଖାଇ ପ୍ରବାସୀମାନେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ହେଲେ ଆଉ ଥରେ ଖାଇବା ବ୍ୟବସ୍ଥା ନ କରି ସରପଞ୍ଚ ସମସ୍ତଙ୍କୁ ସେହି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବିଡିଓ, ଯନ୍ତ୍ରୀ ସେଠାରେ ପହଞ୍ଚିଥିଲେ। ଆଲୋଚନା ଚାଲିଥିବାବେଳେ ଜଣେ ଗ୍ରାମବାସୀ ସଂଗରୋଧ କେନ୍ଦ୍ରରେ ପଶି ପ୍ରବାସୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଆଖି ସାମ୍‌ନାରେ ଏହି ଘଟଣା ଦେଖୁଥିଲେ ମଧ୍ୟ ବିଡିଓ ଓ ସରପଞ୍ଚ ନିରବ ରହିଥିଲେ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଆଜି ସକାଳ ଜଳଖିଆ ନଖାଇ ପ୍ରବାସୀମାନେ ବହୁ ସମୟ ଉପାସରେ ବସିବା ପରେ ବିଡିଓ ଛବିରାଣୀ ସାହୁ, ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ ଓ ବାଲିଆପାଳ ପୁଲିସ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସେହିପରି ଆଜି ଅପରାହ୍ନରେ ଡଗରା ଗଦାଧର ଗିରି ସ୍ମୃତି ଉଚ୍ଚ ବିଦ୍ୟାପୀଠ ସଂଗରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟକୁ ନେଇ ପ୍ରବାସୀମାନେ ରାସ୍ତାକୁ ଓହ୍ଲାଇ ଧାରଣାରେ ବସିଥିଲେ। ବିଡିଓ ଛବିରାଣୀ ସାହୁ, ବାଲିଆପାଳ ଥାନା ଆଇଆଇସି ବିମଳ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ସଂଗରୋଧ କେନ୍ଦ୍ରକୁ ଫେରିଥିଲେ। ଅନ୍ୟପକ୍ଷରେ କିଛି ପ୍ରବାସୀ ଗତକାଲି ଗୋଆରୁ ଫେରି ସଂଗରୋଧ କେନ୍ଦ୍ରକୁ ଯିବା ପାଇଁ ବାଲିଆପାଳ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ନ ଦେଇ ଅପେକ୍ଷା କରାଯିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର