ପ୍ରବାସୀ ଅଡ଼ୁଆ : ପ୍ରଶଂସା ପାଲଟିବ କି ଅପବାଦ!

ଅସନ୍ତୋଷ ବଢ଼ିଲା, ଗର୍ଜିଲେ ବିରୋଧୀ
ସରକାର ହାତ ଟେକିଦେଲେ, ଜଗନ୍ନାଥ ଭରସା: ନିରଞ୍ଜନ
୭ଲକ୍ଷରୁ ଅଧିକ ଶଯ୍ୟା, ଏତିକିରେ ଅସହାୟ: ପୃଥ୍ବୀରାଜ

ଭୁବନେଶ୍ବର : କରୋନା ମୁକାବିଲା ନେଇ ଅସନ୍ତୋଷ ଧୀରେ ଧୀରେ ଭୀଷଣ ରୂପ ଧାରଣ କଲାଣି। ଦୁଇମାସ ଧରି ଅତ୍ୟନ୍ତ କଠୋର କଟକଣା ପରେ ହଠାତ୍ ସବୁକିଛି କୋହଳ କରିଦିଆଯିବା ଘଟଣାକୁ କେହି ହଜମ କରିପାରୁନାହାନ୍ତି। ଏହି ପ୍ରସଙ୍ଗଟି ଅଧିକ ବିବାଦୀୟ ମୋଡ଼ ନେଲାଣି ଏଇଥିପାଇଁ ଯେ ରାଜ୍ୟ ସରକାର ୬୭୯୮ଟି ପଞ୍ଚାୟତରେ ୧୬ ହଜାର ୬୨୬ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରିଛନ୍ତି ଓ ୭ଲକ୍ଷ ୩୧ ହଜାର ୧୩୩ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା କଥା କହୁଛନ୍ତି। ଅଥଚ ଏହାର ୪୦% ପ୍ରବାସୀ ଏଯାଏ ଓଡ଼ିଶା ଆସିନଥିବା ବେଳେ ଏତେ ହରବର କାହିଁକି ହୋଇପଡ଼ିଲେ? ପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଗଲା। ସମସ୍ତଙ୍କୁ କୋଭିଡ୍‌ ଯୋଦ୍ଧା େବାଲି ସରକାର ଘୋଷଣା କଲେ? ତା ପରେ ପୁଣି କ୍ବାରାଣ୍ଟିନ୍ କେନ୍ଦ୍ରର ଅବ୍ୟବସ୍ଥା କାହିଁକି?

ଏଭଳି କିଛି ପ୍ରଶ୍ନ ଉପରେ ସାଧାରଣରେ ଚର୍ଚ୍ଚା ଜୋର ଧରୁଥିବା େଦଖି ରାଜନୈତିକ ଦଳମାନେ ସରକାରଙ୍କୁ ଘେରିବା ଆରମ୍ଭ କଲେଣି। ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। କେବଳ ସେତିକି ନୁହେଁ, ଏଯାଏ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଚାଲିଥିଲା ଓ ସରକାର ଯାହା କରୁଥିଲେ ବିଜେପି ନେତାମାନେ ହଁରେ ହଁରେ ମିଶାଇ ଚାଲିଥିଲେ। ହେଲେ ପରିସ୍ଥିତିର ଗମ୍ଭୀରତା ଦେଖି ବିଜେପିର ଛାମୁଆ ନେତାମାନେ ଏବେ ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ଆରମ୍ଭ କରିଦେଲେଣି। ସରକାର କଣ ଭୁଲ କରିଛନ୍ତି, କଣ ଠିକ୍ କରିଛନ୍ତି ତାର ହିସାବ ନିକାସ ଗଣମାଧ୍ୟମରେ କଲେଣି।

ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର କେବଳ ଘୋଷଣାରେ ମାତିଛନ୍ତି। ମଦ ବିକିବା ଭୁଲ୍ ଓ ବସ୍ ଗଡ଼ିବା ନିଷ୍ପତ୍ତି ବି ତ୍ରୁଟିଯୁକ୍ତ।

ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଅସହାୟଙ୍କ ଭଳି ପ୍ରଳାପ କଲେଣି। ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ରହିବା କଥା। ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର କୋଅର୍ଡିନେଟର ନିଯୁକ୍ତି କରିଥିଲେ। ସେମାନେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ଏମିତି ହୋଇନଥାନ୍ତା। ଆମ ରାଜ୍ୟର ଲୋକ କେମିତି ଆସିବେ ସେ ଦାୟିତ୍ବ ରାଜ୍ୟ ସରକାରଙ୍କର। କିନ୍ତୁ ସେ କଥା ନକରି ସରକାର ହାତ ଟେକି ଦେଉଛନ୍ତି କେମିତି?

ବିଜେପି ଆହୁରି ସାଂଘାତିକ ଅଭିଯୋଗ କରିଛି ଯେ ୭ ଲକ୍ଷ ୮୦ ହଜାର କ୍ବାରାଣ୍ଟିନ୍ ଶଯ୍ୟା କରିଛନ୍ତି ବୋଲି ସରକାର ଦାବି କରୁଛନ୍ତି। ଯଥେଷ୍ଟ କମ୍ ଲୋକ ଆସିଥିବା ବେଳେ ସରକାର ହାତ ଟେକିଦେଲେ? ସରକାର ଅସହାୟତାର ସ୍ବର ନଶୁଣାଇ ପ୍ରବାସୀ ଓଡ଼ିଆ କେମିତି ସୁରୁଖୁରୁରେ ଆସିବେ ସେ ନେଇ ବନ୍ଦୋବସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ଘୁମୁସର ଗଞ୍ଜାମ ସଭାପତି ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଯେ କ୍ବାରାଣ୍ଟିନ୍ କେନ୍ଦ୍ର ଠିକ୍ ଭାବେ ପରିଚାଳନା ହେଉନି। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ୨୧ଦିିନ ସଙ୍ଗରୋଧରେ ରହିଲେ, ସେମାନଙ୍କ ପ୍ରାପ୍ୟ ମିଳିନି। ଗଞ୍ଜାମ ଜିଲ୍ଲାର କ୍ବାରାଣ୍ଟିନ କେନ୍ଦ୍ରଗୁଡ଼ିକରେ ଅବ୍ୟବସ୍ଥାର ଦୟନୀୟ ଚିତ୍ର ରଖି ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବର୍ତମାନ ଓଡ଼ିଶାର ସ୍ଥିତିକୁ ଦେଖି ବିଚଳିତ ଓ ବ୍ୟସ୍ତ ଲାଗୁଛି। ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, କିଛି ବୁଝିହେଉନି। ବିଭିନ୍ନ କ୍ବାରାଣ୍ଟିନ୍ ସେଣ୍ଟର ବର୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ। ଯେଉଁମାନେ ସଙ୍ଗରୋଧ ସମୟ ଅତିବାହିତ କରି ଯାଉଛନ୍ତି, ସେମାନଙ୍କୁ ୨ ହଜାର ଟଙ୍କା ଦିଆଯାଉନାହିଁ। ସରକାରଙ୍କ ଘୋଷଣା ଆଧାରରେ ସେଠାରେ ଯେଉଁ ବଗିଚା ଓ ରଙ୍ଗ କାମ ଚାଲିଛି, ତାହା କେତେ ବାଟ ଗଲା ତାହା କେହି କିଛି ଜାଣି ପାରୁନାହାନ୍ତି। ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ସରକାର ଚାଉଳ, ଡାଲି ଦେବେ ବୋଲି କହିଥିବା କଥା ସ୍ମରଣ କରି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଏନ୍‌ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେଉନାହିଁ। ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଲୋକ କେବେ କାମ କରିବେ?

ପିସିସି ସଭାପତି ଆହୁରି କହିଛନ୍ତି, ବିମାନ ବା ଟ୍ରେନ୍ ଆସୁଛି, ଆମ ସରକାର ଜାଣି ପାରୁନାହାନ୍ତି କି ସରକାରଙ୍କୁ ଖବର ଦିଆଯାଉନାହିଁ। ଗତକାଲି ହଜାର ହଜାର ଲୋକ ଆସି ପହଞ୍ଚିଛନ୍ତି। କେଉଁ ଅବସ୍ଥା ଆଡ଼କୁ ବର୍ତମାନ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ ଓଡିଶା ଏବେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି। ଜଗନ୍ନାଥ ହିଁ ଭରସା।

ପିସିସି ସଭାପତିଙ୍କ ଭଳି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କ୍ବାରାଣ୍ଟିନ୍ କେନ୍ଦ୍ର ଅବ୍ୟବସ୍ଥା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ଟ୍ବିଟ୍ କରି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି, ଜୟପୁରର ଜନୈକ ବ୍ୟବସାୟୀଙ୍କ ଠାରେ କୋଭିଡ୍‌ ପଜିଟିଭ୍ ଆସିଥିଲା। ସେ ବିଶାଖାପାଟଣାରୁ ଆସି ଜୟପୁର ହୋମ୍‌ କ୍ୱାରାଣ୍ଟିନରେ ରହିଥିଲେ। ହେଲେ କିଛିଦିନ ପରେ କାହାକୁ ନ ଜଣାଇ ତାଙ୍କ ପରିବାର ବିଶାଖାପାଟଣା ଯାଇଛନ୍ତି। କୋରାପୁଟ ଜିଲ୍ଲାପାଳ ତୁରନ୍ତ ଭାଇଜାକ୍ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ସେଠାରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବା ଦରକାର। କିନ୍ତୁ ଏମିତି କେମିତି ହେଲା?

ସମ୍ବନ୍ଧିତ ଖବର