ବିଜେପିରେ ମିଶିଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ପୂର୍ବତନ ସାଂସଦ ସୁବାସ ନାୟକ

ମୟୂରଭଞ୍ଜ: ବିଜୁ ଜନତା ଦଳ(ବିଜେଡି)ରୁ ଟିକେଟ୍‌ ନପାଇବା ପରେ ଦଳ ଛାଡ଼ିଥିବା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିିତିରେ ଦଳରେ ଯୋଗ ଦେଇଛନ୍ତି। ସେଥିପାଇଁ ପ୍ରବୀଣ ଭଞ୍ଜଦେଓ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ କାର୍ଯ୍ୟକ୍ରମରେ  ଉପସ୍ଥିତ ରହିଥିଲେ।  କାର୍ଯ୍ୟକ୍ରମ ମଝିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିିତିରେ ପଦ୍ମ ଧରିଲେ ପୂର୍ବତନ ବିଜେଡି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଠିକ୍ ସେହିପରି କଳାହାଣ୍ଡିର ପୂବର୍ତନ ସାଂସଦ ସୁବାସ ନାୟକ ବି ବିଜେପିରେ ସାମିଲ ହୋଇଛନ୍ତି। ଏହି ସଭାରେ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ରାଜ୍ୟ ସଭାପତି ବସନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡାକ୍ତର ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଦଳରୁ କୌଣସି ଟିକେଟ୍‌ ନ ମିଳିବା ପରେ ସେ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦଳ ଛାଡ଼ିଥିଲେ। କେବଳ ସେତିକି ନୁହେଁ ଭଞ୍ଜଦେଓ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଗତକାଲି ଇସ୍ତଫା ଦେଇଥିଲେ।

ଗତ କିଛି ଦିନ ହେବ ଭଞ୍ଜଦେଓଙ୍କ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ସମୀକରଣ କିଛି ଠିକ୍‌ ନଥିଲା। ଏପରିକି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିଲେ ଭଞ୍ଜଦେଓ। ତେବେ ଭଞ୍ଜଦେଓଙ୍କ ଅନୁପସ୍ଥିତି ଦଳ ଉପରେ କୌଣସ ପ୍ରଭାବ ପକାଇବ ନାହିଁ ବୋଲି ଗତକାଲି ଦଳ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର