ନବୀନ ସରକାର ଭ୍ରଷ୍ଟାଚାରରେ ପ୍ରବୀଣ: ଜାଭଡ଼େକର

ଭୁବନେଶ୍ୱର: ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ନବୀନ ସରକାର ଭ୍ରଷ୍ଟାଚାରରେ ପ୍ରବୀଣ ବୋଲି ଆକ୍ଷେପ କରିଛନ୍ତି। ନବୀନଙ୍କ ସମେତ ବିଜେଡିର ୫୦ ବିଧାୟକ ଚିଟ୍‌ଫଣ୍ଡ୍‌ କମ୍ପାନିଗୁଡ଼ିକୁ ପ୍ରୋତ୍ସାହିତ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତିନି ଦିନିଆ ଓଡ଼ିଶା ଗସ୍ତର ଶେଷ ଦିବସରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାଭଡ଼େକର କହିଲେ, ନବୀନ ବାବୁ ତାଙ୍କର ୧୭ ବର୍ଷ ଶାସନରେ ଓଡ଼ିଶାକୁ ବହୁ ପଛକୁ ନେଇ ଯାଇଛନ୍ତି। ଏଠି ବିଦ୍ୟାଳୟ ଅଛି, ଶିକ୍ଷକ ନାହାନ୍ତି। ହସ୍ପିଟାଲ୍‌ ଅଛି, ଡାକ୍ତର ନାହାନ୍ତି। ବିଜୁଳି ତାର ଅଛି, ମାତ୍ର ବିଜୁଳି ଦିନତମାମ ରହୁନି। ଗାଁକୁ ଭଲ ରାସ୍ତା ନାହିଁ। ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇ ପାରୁ ନାହାନ୍ତି। କିନ୍ତୁ ରାଜ୍ୟରେ ମଦର ପ୍ରଚାର, ପ୍ରସାର ହୋଇଛି। ସରକାରଙ୍କ ଅବକାରୀ ଆୟ ବଢ଼ିଯାଇଛି।

ସେ ଆରୋପ ଲଗାଇଥିଲେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ରାଜ୍ୟରେ ଚିଟ୍‌ଫଣ୍ଡ୍‌ ମହାଦୁର୍ନୀତି ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ଚିଟ୍‌ଫଣ୍ଡ୍‌ କମ୍ପାନିର ଉତ୍ସବକୁ ଯାଇ କମ୍ପାନିକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ଦଳର ୫୦ରୁ ଅଧିକ ବିଧାୟକ ଚିଟ୍‌ଫଣ୍ଡ୍‌ କମ୍ପାନି ପାଇଁ ପ୍ରଚାର କରି ସାଧାରଣ ଜନତାଙ୍କୁ ଅର୍ଥ ଜମା କରିବାକୁ କହିଛନ୍ତି। ଏହି କଳା କାରନାମାର ପର୍ଦ୍ଦାଫାସ ହେଲା ପରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଯାଇ କର୍ପସ୍‌ ଫଣ୍ଡ ଗଠନ କଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଫଣ୍ଡ୍‌ରୁ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରାଗଲା ନାହିଁ। କମିସନ୍‌ ଗଠନ କରି ୭୫ ହଜାର କ୍ଷତିଗ୍ରସ୍ତ ଚିହ୍ନଟ ହେବା ସତ୍ତ୍ୱେ ଟଙ୍କାଟିଏ ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏହା ଆଉ ଏକ ଠକାମି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଓ ଗରିବ କଲ୍ୟାଣ ଯୋଜନା ପାଇଁ ବରାଦ ଅର୍ଥକୁ ହଡ଼ପ କରିବାକୁ ଏକ ‘ଅଗ୍ରାଧିକାର ତାଲିକା’ ଆଧାରରେ ବଣ୍ଟନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା ଅନ୍ତର୍ଗତ ପାଇଖାନା ନିର୍ମାଣ ଆଦି ବହୁ କେନ୍ଦ୍ରୀୟ ଯୋଜନା ପାଇଁ ଆସୁଥିବା ଅର୍ଥକୁ ହଡ଼ପ କରୁଛନ୍ତି। ଲାଞ୍ଚ ଦେଇ ନ ପାରିବା ହିତାଧିକାରୀ ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଜେପି ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବ ବୋଲି ଜାଭଡ଼େକର କହିଥିଲେ।

ସମ୍ବନ୍ଧିତ ଖବର