ନିମ୍ନ ଅଦାଲତ ବିଚାର ପ୍ରକ୍ରିୟାକୁ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଚ୍ୟାଲେଞ୍ଜ୍‌

କଟକ: ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ କୁମାର ସେଠୀ ସିବିଆଇ କୋର୍ଟ ପ୍ରଦାନ କରିଥିବା ଦଣ୍ଡାଦେଶ ସହିିତ ବିଭିନ୍ନ ଅଦାଲତରେ ତାଙ୍କ ବିରୋଧରେ ସମାନ ଅଭିଯୋଗ ନେଇ ବିଚାରାଧୀନ ମାମଲାକୁ ଚ୍ୟାଲେଞ୍ଜ କରି ରୁଜୁ କରିଥିବା ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ଆଜି ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ସିବିଆଇକୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲା ସଂପର୍କିତ ସମସ୍ତ ଦସ୍ତାବିଜ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସିବିଆଇ ଦାଖଲ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ଦାୟର ଆବେଦନରେ ଦର୍ଶାଯାଇଛି ଯେ ସିବିଆଇ କୋର୍ଟରେ ତାଙ୍କ ବିରୋଧରେ ମାମଲାର ଶୁଣାଣି ସମୟରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇ ନଥିଲା। ଶ୍ରୀ ସେଠୀଙ୍କ ମାନସିକ ଅବସ୍ଥା ଭଲ ନଥିବା ବେଳେ ସେ ଏଥି ପାଇଁ ଚିକିତ୍ସିତ ହେଉଥିଲେ। ଚାର୍ଜଫ୍ରେମ୍‌ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ବୟାନ ରେକର୍ଡ ଓ ଦଣ୍ଡାଦେଶ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ସମାନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗୋଟିଏ ପ୍ରକାର ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ତାଙ୍କୁ ଅଧିକ କଠୋର ଦଣ୍ଡାଦେଶ ପ୍ରଦାନ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର