ବିଜେଡିରେ ଯୋଗଦେଲେ ପ୍ରଦୀପ ଦିଶାରୀ

ଜୟପାଟଣା/ଭବାନୀପାଟଣା: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳର କର୍ମୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଦଳ ବଦଳ ଆରମ୍ଭ ହୋଇଯାଇଛି। ଲାଞ୍ଜିଗଡ଼ ଆସନରୁ ପୂର୍ବରୁ କଂଗ୍ରେସ ଟିକଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଦୀପ ଦିଶାରୀ ଆଜି କଂଗ୍ରେସ ଓ ବିଜେପିର କେତେକ ନେତାଙ୍କ ସହ ଭୁବନେଶ୍ବରରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ବର୍ଷ ବର୍ଷ ଧରି ବିକାଶରୁ ଦୂରେଇ ରହିଥିବା ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଭବାନୀପାଟଣାର କିଛି ଅଂଶ ଓ ଜୟପାଟଣା ବ୍ଲକ୍‌ର ୧୮ଟି ପଞ୍ଚାୟତର ବିକାଶ ଆବଶ୍ୟକ ମୁତାବକ ହୋଇନଥିବା ଦର୍ଶାଇ ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀଙ୍କ ପ୍ରତି ମତଦାତାଙ୍କ ଆକ୍ରୋଶ ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ଶ୍ରୀ ଦିଶାରୀଙ୍କ ସପକ୍ଷରେ ଆଦିବାସୀମାନଙ୍କର ସମର୍ଥନ ଥିବା ଜଣାପଡ଼ିଛି। ବିଜେଡିରେ ପ୍ରଦୀପଙ୍କ ଯୋଗଦାନ ଏକ ନୂତନ ସମୀକରଣ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି। ତେବେ ବିଜେଡି ଟିକଟ୍‌ କାହା ହାତକୁ ଯିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଜିଲ୍ଲାର ଭତରା ସମାଜ ମଧ୍ୟରେ ଦିଶାରୀଙ୍କୁ ସମର୍ଥନ ଦେଇଥିବା ବେଳେ କଂଗ୍ରେସରୁ ରୁତୁରାଜ ମାଝୀ, ଭଗବାନ ବାଣୁଆ, ବଦ୍ରି ନାଗ, ଅନ୍ତରାମ ବାଣୁଆ, ହେମନ୍ତ ମାଝୀ, ଝୁଲୁ ମାଝୀ, ବିଜେପିର ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ବିଜୟଲକ୍ଷ୍ମୀ ଶବର, ହୀରାପୁର ସରପଞ୍ଚ ମହେଶ୍ୱର ଦିଶାରୀ ଓ ବ୍ଲକ୍‌ର ୧୮ଜଣ ସମିତି ସଭ୍ୟ ବିଜେଡିରେ ‌ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର