କେନ୍ଦ୍ର ପର୍ଯ୍ୟଟନ ବିକାଶ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ପର୍ଯ୍ୟଟନସ୍ଥଳୀ, କେନ୍ଦ୍ରର ଅବହେଳା ନେଇ ଶୂନ୍ୟକାଳରେ କହିଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରିଛି। କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଦେଶର ୧୭ ଆଇକନିକ୍‌ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ନାହିଁ । ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଏବଂ ପର୍ଯ୍ୟଟନସ୍ଥଳୀ ପାଇଁ ଓଡ଼ିଶାକୁ ଖ୍ୟାତି ମିଳିଛି, ହେଲେ ଏ ଭିତରୁ କୌଣସି ଗୋଟିକର ବିକାଶ ନେଇ କେନ୍ଦ୍ର ସରକାରଙ୍କ କୌଣସି ଚିନ୍ତା ନାହିଁ। ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ସ୍ପଷ୍ଟ ଜଣାପଡୁଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଆଜି ଶୂନ୍ୟକାଳରେ କେନ୍ଦ୍ର ଅବହେଳାର କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ି ବିଧାୟକ।

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ଭିନ୍ନ ପରିଚୟର ରହିଛି। ଓଡ଼ିଶା ମନ୍ଦିରମାଳିନୀ ରାଜ୍ୟ ରୂପେ ଚାରିଆଡ଼େ ପରିଚିତ। ବିଶ୍ୱ ଐତିହ୍ୟ ତାଲିକାରେ ରହିଛି କୋଣାର୍କ ସୂର୍ଯ୍ୟମନ୍ଦିର। ଏହାବ୍ୟତୀତ ଭିତରକନିକା, ଏସିଆର ସର୍ବବୃହତ୍ତମ ପ୍ରାକୃତିକ ଅଭୟାରଣ୍ୟ। ଚିଲିକା ଓ ସିମିଳିପାଳ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛି। ବୌଦ୍ଧ ସଂସ୍କୃତିର କୀର୍ତ୍ତିମାନ ପ୍ରତୀକ ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ସର୍କିଟ୍‌ ଦେଶ ବିଦେଶର ଲକ୍ଷାଧିକ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ବିଶ୍ୱବିଖ୍ୟାତ ପୁରୀ ମନ୍ଦିର କଥା ମଧ୍ୟ ଭୁଲିଗଲେ କେନ୍ଦ୍ର ସରକାର। ଏତେସବୁ ପର୍ଯ୍ୟଟନୀସ୍ଥଳ ଥାଇ ବି କେନ୍ଦ୍ର ସଂସ୍କୃତି ବିଭାଗର ଆଖି କାହାରି ଉପରେ ବି ପଡ଼ିଲାନି। ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ଚିହ୍ନଟ କରିଥିବା ୧୭ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରୁ ଓଡିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳ ସ୍ଥାନ ପାଇନାହିଁ। ବିଧାନସଭାରେ ଶୂନ୍ୟକାଳରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ, ଅମର ଶତପଥୀ ଓ ଦେବୀମିଶ୍ର।

ଆଉ କିଛି ସଦସ୍ୟ ଅଭିଯୋଗ କରିଥିଲେ, ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଏହା କେନ୍ଦ୍ରର ଅବହେଳା। ସର୍ବସମ୍ମତିକ୍ରମେ ବିଧାନସଭାରେ ଏକ ପ୍ରସ୍ତାବ ଅଣାଯାଉ ବୋଲି ଦାବି କରାଯାଇଛି। ଏ ନେଇ କେନ୍ଦ୍ର ନିକଟରେ ଦାବି କରାଯାଉ ବୋଲି ବିଧାନସଭାରେ ଦାବି କରିଥିଲେ ଭୁପିନ୍ଦର ସିଂହ, କିଶୋର ମହାନ୍ତି ଓ ନୃସିଂହ ସାହୁ।

ସମ୍ବନ୍ଧିତ ଖବର