ନୂଆ ଖରିଫ ଫସଲ ବୀମା ପାଇଁ ୧୬.୭୫ ଲକ୍ଷ ଚାଷୀ ପଞ୍ଜୀକୃତ : ଗତ ଖରିଫର ବାକି ଆହୁରି ୩୭୦ କୋଟି

ଭୁବନେଶ୍ୱର : ରାଜ୍ୟରେ ନୂଆ ଖରିଫ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଦ୍ୟାବଧି ପ୍ରାୟ ୧୬.୭୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଋଣୀ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ତେବେ ଗତ ୨୦୧୭ ଖରିଫ ଋତୁ ନିମନ୍ତେ ଫସଲ ବୀମା କ୍ଷତିପୂରଣ ରାଶି ପ୍ରଦାନ କାମ ଏବେ ବି ସରିନାହିଁ। ଆଜି ପର୍ଯ୍ୟନ୍ତ ମୋଟ ୧୨୫୦ କୋଟି ଦିଆଯାଇଛି। ଆହୁରି ୩୭୦ କୋଟି ବାକି ରହିଛି।

କୃଷି ବିଭାଗ ସୂଚନା ମୁତାବକ ଚଳିତ ଖରିଫ ଋତୁ ନିମନ୍ତେ ଫସଲ ବୀମା ପଞ୍ଜୀକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଣଋଣୀ ଚାଷୀଙ୍କ ନିମନ୍ତେ ଏହି ପ୍ରକ୍ରିୟା ସରି ଯାଇଥିବା ବେଳେ ଋଣ ଚାଷୀଙ୍କ ପାଇଁ ରହିଛି ଆଉ ମାତ୍ର ୪ ଦିନ। ଆଜି ପର୍ଯ୍ୟନ୍ତ ୧୪.୭୦ ଲକ୍ଷ ଋଣୀ ଚାଷୀ ଫସଲ ବୀମା ନିମନ୍ତେ ପ୍ରିମିୟମ୍‌ ଦାଖଲ କରିବା ସହିତ ପଞ୍ଜୀକରଣ କରିସାରିଛନ୍ତି। ସେହିପରି ୨.୦୫ ଲକ୍ଷ ଅଣଋଣୀ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ସରିଛି। ଫଳରେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୬.୭୫ ଲକ୍ଷରେ ପହଞ୍ଚିଛି। ଏଥର ଉଭୟ ଋଣୀ ଓ ଅଣଋଣୀ ୨୫ ଲକ୍ଷ ଚାଷୀଙ୍କ ଫସଲ ବୀମା ପରିସରକୁ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତିି। ଏଥିମଧ୍ୟରୁ ଅଣଋଣୀ ଚାଷୀଙ୍କ ଲକ୍ଷ୍ୟ ୫ ଲକ୍ଷ। କିନ୍ତୁ ଗତକାଲି ଅଣଋଣୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରି୍ରୟା ସରିବା ବେଳକୁ ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହୋଇପାରିଲା ନାହିଁ।

ଗତବର୍ଷ ଖରିଫ ଋତୁ ନିମନ୍ତେ ୧୮ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ନିମନ୍ତେ ପ୍ରିମିୟମ୍‌ ଦେଇ ପଞ୍ଜୀକରଣ କରିଥିଲେ। କିନ୍ତୁ ବୀମା କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି। ଆଜି ପର୍ଯ୍ୟନ୍ତ ପ୍ରାୟ ୫.୫ ଲକ୍ଷ ଚାଷୀଙ୍କୁ ବୀମା ରାଶି ମିଳିଛି। ପ୍ରାୟ ୧୩ ଲକ୍ଷ ଚାଷୀ ବୀମା ରାଶି ପାଇପାରିନାହାନ୍ତି। ଟାଟା-ଏଆଇଜି ବୀମା କମ୍ପାନି ମୋଟ ୪୨୭ କୋଟିର ବୀମା କ୍ଷତିପୂରଣ ଦେବା କଥା। ଗତକାଲି ପର୍ଯ୍ୟନ୍ତ ଦେଇଛି ୩୭୦ କୋଟି। ଏଆଇସି ବୀମା କମ୍ପାନି ମୋଟ ୧୫୬ କୋଟିରୁ ଦେଇଛି ୧୫୪ କୋଟି। ସେହିପରି ଚୋଳ-ଏମ୍‌ଏସ୍‌ ୩୦୭ କୋଟି ଦେବା କଥା। କିନ୍ତୁ ୧୬୨ କୋଟି ଦେଇଛି। ଏନ୍‌ଆଇସି ବୀମା କମ୍ପାନି ସବୁଠାରୁ ଅଧିକ ୭୨୮ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ଗତକାଲି ସୁଦ୍ଧା ଦେଇଛି ୫୬୪ କୋଟି। ମୋଟ ପ୍ରାୟ ୩୭୦ କୋଟିର ବୀମା ରାଶି ପ୍ରଦାନ ବାକି ଥିବାରୁ କେବେ ଏହା ସରିବ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର