କ୍ଷତିପୂରଣ ବୀମା ରାଶି ୧୫୦୦ କୋଟି ଟପିପାରେ

ଫସଲକଟା ରିପୋର୍ଟ ଏବେ ବୀମା କମ୍ପାନିଙ୍କ ହାତରେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମଗ୍ର ରାଜ୍ୟର ଫସଲକଟା ରିପୋର୍ଟ ସଂପୃକ୍ତ ବୀମା କମ୍ପାନିମାନଙ୍କୁ ହସ୍ତାନ୍ତର କରାଯାଇଛି। କମ୍ପାନିମାନଙ୍କ ପକ୍ଷରୁ ଚାଷୀମାନଙ୍କୁ କେତେ ବୀମା ରାଶି ପୈଠ କରାଯିବ ସେ ନେଇ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ଫସଲକଟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତଥ୍ୟଗତ ଅମେଳ ରହିଥିବାରୁ ସରକାରୀ ସ୍ତରରେ ବି ତା’ର ବିଶ୍ଲେଷଣ ଚାଲିଛି। ଏଥର ଚାଷୀମାନଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ବୀମା ରାଶି ୧୫୦୦ କୋଟି ଟଙ୍କା ଟପିବାର ସମ୍ଭାବନା ରହିଛି। ତେବେ ତଥ୍ୟଗତ ତ୍ରୁଟିଗୁଡ଼ିକ ଯଥାଶୀଘ୍ର ନ ସୁଧାରିଲେ, ଚାଷୀମାନେ କ୍ଷତିପୂରଣ ବୀମା ରାଶି ପାଇବାରେ ବିଳମ୍ବ ହେବାର ଆଶଙ୍କା ରହିଛି।

୨୦୧୭-୧୮ ଖରିଫ ଋତୁରେ ଧାନ ଫସଲକଟା ରିପୋର୍ଟ ୪ଟି ବୀମା କମ୍ପାନି ଟାଟା ଏଆଇଜି, ଏଆଇସି ଅଫ୍‌ ଇଣ୍ଡିଆ, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଚୋଲ ଏମ୍‌ଏସ୍‌ଙ୍କୁ ଦିଆଯାଇଛି। ଏହି ରିପୋର୍ଟରେ କିଛି ତଥ୍ୟ ଅମେଳ ରହିଥିବା ସରକାରଙ୍କ ନଜରକୁ ଆସିଛି। ରାଜ୍ୟର ମୋଟ ୬୮୦୧ ଗ୍ରାମପଞ୍ଚାୟତ ମଧ୍ୟରୁ ନୂତନ ଭାବେ ଗଠିତ ୫୭୫ଟିରେ ଫସଲକଟା, ଚାଷୀ ପଞ୍ଜୀକରଣ ତଥ୍ୟ ନେଇ ତ୍ରୁଟି ରହିଛି। ମାଲକାନଗିରି ଜିଲ୍ଲାର ନୂଆ ବ୍ଲକ ଗଠନ ହେବାରୁ ସେଠାରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି। ବିଶେଷ କରି ଚାଷୀ ପଞ୍ଜୀକରଣ ତଥ୍ୟରେ ଚାଷୀଙ୍କ ନାମ ଠିକ୍‌ ଥିବା ବେଳେ ଜମିର ଠିକଣା ମହାରାଷ୍ଟ୍ର କିମ୍ବା ଅନ୍ୟ ରାଜ୍ୟରେ ରହିଥିବା କିମ୍ବା ଏହାର ବିପରୀତ ତଥ୍ୟ ପଞ୍ଜୀକୃତ ହୋଇଥିବା ଶୁଣିବାକୁ ମିଳିଛି। ଏଭଳି ତଥ୍ୟଗତ ତ୍ରୁଟି ସୁଧାରିବାକୁ ପାଖାପାଖି ଏକ ସପ୍ତାହ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ଏହି ତ୍ରୁଟି ବିଶ୍ଳେଷଣ କରି ସୁଧାରିବାକୁ କୃଷି ବିଭାଗ, ଅର୍ଥନୀତି ନିର୍ଦେଶାଳୟ, ରାଜସ୍ୱ ବିଭାଗର ଅଧିକାରୀମାନେ ଲାଗିପଡ଼ିଛନ୍ତି। ସେ ପଟେ ବୀମା କମ୍ପାନୀମାନେ ବି ଫସଲକଟା ରିପୋର୍ଟ ଯାଞ୍ଚ କରି ମାର୍ଗଦର୍ଶିକା ଅନୁଯାୟୀ ବୀମା କ୍ଷତିପୂରଣ ରାଶି ଆକଳନ ଜାରି ରଖିଛନ୍ତି। ଏହା ଫଳରେ ଆସନ୍ତା ଏପ୍ରିଲ ସୁଦ୍ଧା ଚାଷୀମାନଙ୍କୁ ବୀମା ରାଶି ମିଳିବ ବୋଲି ଯେଉଁ ଆଶା କରାଯାଇଥିଲା ଆଉ ତାହା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ଗତ ବର୍ଷ ଚାଷୀମାନେ ବୀମା କ୍ଷତିପୂରଣ ପାଉ ପାଉ ପ୍ରାୟ ୬ ମାସ ବିଳମ୍ବ ହୋଇଥିଲା। ଏଥର ସେଭଳି ବିଳମ୍ବ ନ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଖୁବଶୀଘ୍ର ହେବ। ସୂଚନାଯୋଗ୍ୟ ଯେ, ଏଥର ଫସଲ ବୀମା ଯୋଜନାରେ ପ୍ରାୟ ୭୫୦ କୋଟି ଟଙ୍କାର ବୀମା ପ୍ରିମିୟମ୍‌ ଚାଷୀ, ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମା କରାଯାଇଛି। ଖରିଫ ଧାନ ଚାଷ ନିମନ୍ତେ ପ୍ରାୟ ୧.୩୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୮.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ଏଥର ଉତ୍କଟ ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ସେମାନଙ୍କୁ ୧୫୦୦ କୋଟିରୁ ଅଧିକ ପରିମାଣର କ୍ଷତିପୂରଣ ବୀମା ରାଶି ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର