ଉଜ୍ଜ୍ବଳ ହେଉନି ଉଜ୍ଜ୍ବଳା : ଋଣରେ ଦିଆଯାଉଛି ଗ୍ୟାସ୍

ବାଲେଶ୍ବର : କେନ୍ଦ୍ରର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା’(ପିଏମ୍‌ୟୁୱାଇ) ବିପିଏଲ୍‌ ପରିବାରକୁ ରୋଷେଇ ପାଇଁ ସୁରକ୍ଷିତ ଜାଳେଣି ସ୍ବରୂପ ଏଲ୍‌ପିଜି ଯୋଗାଇ ଦେବାସହ ୧୬ଶହ ଟଙ୍କାର ସହାୟତା ଦିଆଯାଉଛି। ମାତ୍ର, ଏହା ଏକ ଧୂଅାଁବାଣ। ଏହି ଯୋଜନାରେ ନୂଆ ଏଲ୍‌ପିଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଖାଲି ସିଲିଣ୍ଡର, ରେଗୁଲେଟର ଓ ପାଇପ୍‌ ଆଦି ବାବଦକୁ ଯେଉଁ ୧୬ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି, ତାହା ପ୍ରକୃତରେ ଏକ ଋଣ। ଏହି ଅର୍ଥ ମଧ୍ୟ ହିତାଧିକାରୀଙ୍କୁ ୬ ମାସ ପରେ ସୁଝିବାକୁ ପଡ଼ିବ ବୋଲି ସର୍ତ୍ତ ରହିଛି।

ବାଲେଶ୍ବର ଜିଲ୍ଲା‌େର ଖୋଳତାଡ଼ ପରେ ଉଜ୍ଜ୍ବଳା ସମ୍ପର୍କରେ ଏହିଭଳି ରୋଚକ ତଥ୍ୟ ମିଳିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଅଧିକୃତ ଅଧିକାରୀ ଏହାକୁ ସ୍ବୀକାର କରିଛନ୍ତି। ଉଜ୍ଜ୍ବଳା ଯୋଜନାରେ ହିତାଧିକାରୀଙ୍କୁ ଋଣ ଆକାରରେ ୧୬୦୦ ଟଙ୍କା ଦିଆଯିବା ସଂପର୍କରେ ଇଣ୍ଡିଆନ ଅଏଲ କର୍ପୋରେସନ୍‌ର ବାଲେଶ୍ବର ଜିଲ୍ଲା ପାଇଁ ଅଧିକୃତ ସେଲ୍ସ ଅଫିସର ନିତେଶ ଚୌରାସିଆଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଉଜ୍ବଳା ଯୋଜନାରେ ମାଗଣା ନୁହେଁ, ହିତାଧିକାରୀଙ୍କୁ ‌େ‌ଯଉଁ ୧୬ ଶହ ଟଙ୍କା ସହାୟତା ଦିଆଯାଉଛି ସେଥିରେ ଗ୍ୟାସ ସିଲିଣ୍ଡର, ରେଗୁଲେଟର, ପାଇପ୍‌ ଓ ବହି ଯୋଗାଇ ଦିଆଯାଉଛି। ଏହାବ୍ୟତୀତ ୯୯୦ ଟଙ୍କାର ଗ୍ୟାସ ଚୁଲା ଓ ଟାଙ୍କିରେ ଗ୍ୟାସ ଭରିବାର ଦର(ଭରିବା ସମୟରେ) ଗ୍ରାହକଙ୍କୁ ଅଲଗା ଦେବାକୁ ପଡ଼ିବ। ଗ୍ରାହକ ଏହା ଦେଇ ନ ପାରିଲେ ତାହା ବିନା ସୁଧରେ ଋଣ ଆକାରରେ ଦିଆଯିବ। ଏହି ଋଣ ଗ୍ରାହକଙ୍କୁ ମିଳୁଥିବା ଗ୍ୟାସ୍‌ ସବସିଡିରୁ(ପ୍ରଥମ ଛଅ ମାସ ରିଫିଲିଙ୍ଗ ପରେ) ଭରଣା କରାଯିବ ବୋଲି ଯୋଜନାରେ କୁହାଯାଇଛି।

ଅନ୍ୟପକ୍ଷ‌େର, ଅନୁସନ୍ଧାନରୁ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ଆହୁରି ଅନେକ ଅନିୟମିତତାର ସନ୍ଧାନ ମିଳିଥିଲା। ବାଲେଶ୍ବର ସଦର ବ୍ଲକ୍‌ର ସିନ୍ଧିଆ ପଞ୍ଚାୟତରେ ଉଜ୍ଜ୍ବଳା ଯୋଜନାରେ ମୋଟ ୧୦୨ ଜଣଙ୍କୁ ସଂଯୋଗ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ପଞ୍ଚାୟତର ବେଲଦା ଗାଁର ଗୟାଧର ମହାଲିକଙ୍କ ସ୍ତ୍ରୀ ମନୋରମାଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଆମକୁ କହିଥିଲେ ଯେ,‘ ଏହା ଋଣରେ ମିଳୁଛି ବୋଲି ଆମେ ଜଣି ନାହୁଁ। ଗ୍ୟାସ୍‌ ସଂଯୋଗ ମାଗଣାରେ ମିଳୁଛି ବୋଲି ଆମେ ଭାବିଛୁ। ତେଣୁ ସିନ୍ଧିଆ ଛକରେ ଥିବା ଗ୍ୟାସ୍‌ ବିକୁଥିବା ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ୩ଶହ ଟଙ୍କା ଦେଇ ଗ୍ୟାସ୍‌ ଆଣିଥିଲୁ। ଏବେ ଟଙ୍କା ନଥିବାରୁ ଦ୍ବିତୀୟ ଥର ଗ୍ୟାସ୍‌ ଭରିପାରୁନୁ। ଟାଙ୍କିକୁ ଘରେ ରଖିଦେଇଛୁ।’

ବଡ଼ କଥା ହେଲା ଏହି ଗ୍ୟାସ୍‌ ସଂଯୋଗ ପାଇଁ ସେହି ଗାଁର ଶ୍ୟାମସୁନ୍ଦର ମହାଲିକଙ୍କ ସ୍ତ୍ରୀ ସଂଯୁକ୍ତା ମହାଳିକ ଗ୍ୟାସ ପାଇଁ ୨ ହଜାର ଟଙ୍କା, ବିଷୟା ସେଠୀ ୨୨ ଶହ ଟଙ୍କା, ଅନ୍ନପୂର୍ଣ୍ଣା ମହାଳିକ, ସଂଜୁଲତା ମହାଲିକ, ଖୁଲଣା ମହାଳିକ ୩ଶହ ଟଙ୍କା ସିନ୍ଧିଆଛକରେ ଥିବା ପୁର୍ଣ୍ଣଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଛନ୍ତି ବୋଲି କହିଥିଲେ। ଏହି ମହିଳାମାନେ ମଧ୍ୟ ଉଜ୍ଜ୍ବଳା ଯୋଜନାରେ ସେମାନଙ୍କୁ ଗ୍ୟାସ ଋଣରେ ମିଳିଥିବା କଥା ଜାଣି ନାହାନ୍ତି ବୋଲି ପ୍ରକାଶ କରିଥିଲେ। ଏବେ ଏକଥା ଜାଣିବା ପରେ ସେମାନେ ବିସ୍ମିତ ହେବା ସହ ସରକାର ତାଙ୍କୁ ଠକିଛନ୍ତି ବୋଲି କହିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହି ମହିଳାମାନେ ସିନ୍ଧିଆ ଛକଠାରେ ଥିବା ପୂର୍ଣ୍ଣଚନ୍ଦ୍ର ଓ ଟିଆଖିଆଠାରେ ଥିବା ମାନସ କୁମାରଙ୍କଠାରୁ ଗ୍ୟାସ ଆଣିଛନ୍ତି। କିନ୍ତୁ ସେମାନଙ୍କୁ ମିଳିଥିବା ବହିରେ ତ୍ରିଶକ୍ତି ଇଣ୍ଡେନ୍‌ର ଷ୍ଟାମ୍ପ୍‌ ଲାଗିଛି। ଏ ନେଇ ସିନ୍ଧିଆଛକରେ ଥିବା ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ପହଞ୍ଚି ଦେଖିଲାବେଳକୁ ତାଙ୍କର ଏକ କଚ୍ଚା ପାନ ଦୋକାନରେ ୧୦ରୁ ଅଧିକ ଭରାଯାଇଥିବା ଗ୍ୟାସ ସିଲିଣ୍ଡର ରହିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଉଜ୍ଜ୍ବଳା ଯୋଜନା ଉପଭୋକ୍ତାଙ୍କଠାରୁ ଟଙ୍କା ନେଇଥିବା କଥା ପଚାରିବା‌ରୁ ସେ ଏହା ସ୍ବୀକାର କରିଥିଲେ। ତାଙ୍କୁ ଏହି ଗ୍ୟାସ୍‌ ବାଲେଶ୍ବରର ତ୍ରିଶକ୍ତି ଏଜେନ୍ସି ଯୋଗାଇ ଦେଉଛି। ସେ ସିଲିଣ୍ଡର ପିଛା ଅଧିକ ୧୦ ଟଙ୍କା ରଖି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ‌ତାଙ୍କ କହିବା ଅନୁସାରେ ଉଜ୍ଜ୍ବଳା ଯୋଜନାରେ ନେଇଥିବା ଗ୍ୟାସ ଦ୍ବିତୀୟଥର କେହି ଭରି ନାହାନ୍ତି। ତେବେ ଏ ନେଇ ବାଲେଶ୍ବର ତ୍ରିଶକ୍ତି ଇଣ୍ଡେନ୍‌ର ମାଲିକ ସମୀର ରାୟଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନାମରେ ଆମର କେହି ଲୋକ ସିନ୍ଧିଆରେ ଗ୍ୟାସ ବିକ୍ରି କରୁନାହାନ୍ତି। ଆମ କର୍ମଚାରୀମାନେ ଯାଇ ଉପଭୋକ୍ତାମାନଙ୍କୁ ଗ୍ୟାସ୍‌ ଦେଇ ଆସୁଛନ୍ତି।

ସମ୍ବନ୍ଧିତ ଖବର