ବନ୍ଦ ହେଲା କି ‘ଉଜ୍ଜଳା’? ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଏହି ଯୋଜନାରେ ଦିଆଯାଉନି ଗ୍ୟାସ ସଂଯୋଗ, ୨୦୦୦ ଗରିବ ମହିଳାଙ୍କୁ ମିଳିବ କେବେ ?

ରାଜନଗର : କେନ୍ଦ୍ର ସରକାରଙ୍କ ଅନ୍ୟତମ ସଫଳ ଯୋଜନା କୁହାଯାଉଥିବା ପ୍ରଧାନମନ୍ତ୍ରୀ ‘ଉଜ୍ଜଳା’ ଏହା ଭିତରେ ବନ୍ଦ ହୋଇଯାଇଛି କି? ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଏହି ଯୋଜନାରେ ଆଉ କାହାରିକୁ ଗ୍ୟାସ ସଂଯୋଗ ଦିଆଯାଉନାହିଁ। ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଉଦ୍ଦିଷ୍ଟ ୱେବ୍‌ସାଇଟ ବି ଆଉ ଖୋଲୁ ନାହିଁ। ତେବେ, ଏହି ଯୋଜନାରେ ହଡ଼ପର ଶିକାର ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୨ହଜାର ଗରିବ ପରିବାରର ମହିଳା କିପରି ଗ୍ୟାସ ସଂଯୋଗ ପାଇବେ, ସେ ନେଇ ଚିନ୍ତାରେ ପଡିଛନ୍ତି। ତେଣେ  ଦେଶର ୮କୋଟି ଗରିବ ପରିବାରର ମହିଳାଙ୍କୁ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯିବା ପରେ ଏହି ଯୋଜନାକୁ ବନ୍ଦ କରି ଦିଆଯାଇଥିବା କଥା ଜିଲ୍ଲା ଦାୟିତ୍ବରେ ଥିବା ଅଧିକାରୀ ସୂଚନା ଦେଉଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ୨ହଜାର ଗରିବ ପରିବାରର ମହିଳା ହଡ଼ପର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ନିଲମ୍ବିତ ହୋଇଥିବା ମେସର୍ସ‌୍ ରାଜନଗର ଇଣ୍ଡେନ ବିତରକ ହିତାଧିକାରୀଙ୍କ ଏଏଚଏଲ ଟିନ୍‌ ନମ୍ବର ବ୍ୟବହାର କରି ସେମାନଙ୍କ ଗ୍ୟାସ ସଂଯୋଗ ଲୁଟି ନେଇଥିଲେ। ଇଣ୍ଡେନ ବିତରକ ଦଲାଲଙ୍କ ମାଧ୍ୟମରେ ମାଗଣାରେ ଗ୍ୟାସ ସଂଯୋଗ ମିଳିବ କହି ଏଏଚଏଲ ଟିନ ନମ୍ବର ଥିବା ହିତାଧିକାରୀଙ୍କଠାରୁ ଆଧାରକାର୍ଡ, ରାସନକାର୍ଡ, ଫଟୋ ପରିଚୟପତ୍ର, ବ୍ୟାଙ୍କ ପାସବୁକ ଓ ଫଟୋ ସଂଗ୍ରହ କରି ଆଣିଥିଲେ। ହେଲେ, ସେମାନଙ୍କ ନାଁରେ ଗ୍ୟାସ ସଂଯୋଗ ଉଠାଇ କଳାବଜାରରେ ବିକ୍ରି କରି ଦେଇଛନ୍ତି। ଏହାବାଦ୍‌ ସେମାନେ ଋଣରେ ଗ୍ୟାସ ସଂଯୋଗ ନେଇଥିବା ଦର୍ଶାଇ ସରକାରଙ୍କଠାରୁ ୧୬ଶହ ଟଙ୍କା ଲେଖାଏଁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ, ରାଜନଗର ବ୍ଲକର ବଗପାଟିଆ, ସାତଭାୟା, ଦେବେନ୍ଦ୍ରନାରାୟଣପୁର, କୃଷ୍ଣପ୍ରିୟାପୁର, କଣ୍ତିରା, ରାଜରାଜେଶ୍ବରପୁର, କଇଥା, ହାତିନା, ରାଜନଗର, ଜୁଣୁପାଙ୍ଗରା, ବେଲପାଳ, ଘଡ଼ିଆମାଳ, ତାଳଚୁଆ, ହାତିଆଗଣ୍ତ, ସାରାଜେନ୍ଦ୍ରପୁର, ପରିପାଙ୍ଗରା, ବନିପାଳ, ସୁରେନ୍ଦ୍ରପୁର, କେରୁଆଁପାଳ, ଚାଆଁରାକୋଲା, ଭେକ୍ଟା, ଗର୍ତ, ପ୍ରଭାତୀ ପ୍ରଭୃତି ଗାଁରେ ପ୍ରାୟ ୨ହଜାରରୁ ଅଧିକ ମହିଳା ଠକେଇର ଶିକାର ହୋଇଛନ୍ତି। ସେମାନେ ଏବେ ବି ଚୁଲି ଧୂଆଁରେ ଅଣନିଃଶ୍ବାସୀ ହୋଇ ରୋଷେଇ କରୁଥିବାବେଳେ ସରକାରୀ ଖାତାରେ ସେମାନେ ଗ୍ୟାସ୍‌ ଜାଳି ରୋଷେଇ କରୁଥିବା ଦର୍ଶାଯାଇଛି। ମାତ୍ର, ସେମାନଙ୍କ ନାଁରେ ପୂର୍ବରୁ ଚଂଚକତା କରି ଗ୍ୟାସ ସଂଯୋଗ ଉଠାଇ ନିଆଯାଇଥିବାରୁ ସେମାନେ ଆଉ ଗ୍ୟାସ ସଂଯୋଗ ପାଇପାରୁ ନାହାନ୍ତି। ହଡ଼ପର ଶିକାର ମହିଳାମାନେ ୧ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ବି ଇଣ୍ତିଆଇ ଅଏଲ କର୍ପୋରେସନ ପକ୍ଷରୁ ଆଜିଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବନ୍ଦ ହେବାପରେ ସେମାନେ କିପରି ସେମାନଙ୍କ ଗ୍ୟାସ ସଂଯୋଗ ଫେରି ପାଇବେ, ସେ ନେଇ ଚିନ୍ତାରେ ପଡିଛନ୍ତି।

ଏ ସଂପର୍କରେ କେନ୍ଦ୍ରାପଡା ଜିଲ୍ଲା ଉଜ୍ଜଳା ଯୋଜନାର ଏସଡିପି ରାଜଶ୍ରୀଙ୍କୁ ପଚାରିବାରୁ ସେ କେବଳ ‘ଉଜ୍ଜଳା ଯୋଜନା ବନ୍ଦ ହୋଇଯାଇଛି’ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର