ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ୩ ତୈଳ କମ୍ପାନିର ଗ୍ୟାସ ଏଜେନ୍ସି ସଂପୃକ୍ତ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହୋଇଥିବା ମହାଦୁର୍ନୀତିର ଚେର ସାରା ଜିଲ୍ଲାକୁ ଲମ୍ବିଛି। ଗତକାଲି ‘ସମ୍ବାଦ’ରେ ଠକଙ୍କ ଜାଲରେ ୬୦ ଗୃହିଣୀ ଖବର ପ୍ରକାଶ ପାଇବା ପରେ ୩ ତୈଳ କମ୍ପାନିର ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ମହାଦୁର୍ନୀତିରେ ୩ ତୈଳ କମ୍ପାନୀର ଗ୍ୟାସ ଏଜେନ୍ସି ସାମିଲ ଥିବା ତଦନ୍ତ ବେଳେ ଜଣାପଡିଛି। ଏଭଳି ସ୍ଥିତିରୁ ବର୍ତ୍ତିବାକୁ ହିତାଧିକାରୀଙ୍କ ଅଗୋଚରରେ ସେମାନଙ୍କ ଗ୍ୟାସ୍‌ ଓ ଚୁଲା ଲୁଟି ନେଇଥିବା ବିତରକଙ୍କ ପକ୍ଷରୁ ହିତାଧିକାରୀଙ୍କ ଘରେ ସେମାନଙ୍କ ଗ୍ୟସ ଓ ଚୁଲା ଆଣି ପହଞ୍ଚାଯାଉଛି।

ରାଜନଗର ବ୍ଲକ ରଂଗଣୀ ପଞ୍ଚାୟତର ଚାଆଁରାକୋଲ୍ଲା ଓ କେରୁଆଁପାଳ ପଞ୍ଚାୟତର ଗର୍ତ ଗାଁରେ ୬୦ଜଣ ଗୃହିଣୀଙ୍କ ନାଁରେ ସଂଯୋଗ ଦର୍ଶାଇ ଗ୍ୟାସ ବିତରକ ସେମାନଙ୍କ ଗ୍ୟାସ ଏବଂ ଚୁଲାକୁ ଟ୍ରଲର ଓ ଚିଙ୍ଗୁଡିଘେରି ମାଲିକଙ୍କୁ ବିକ୍ରି କରି ଦେଇଥିଲେ। ଏ ଖବର ପ୍ରକାଶ ପାଇବା ପରେ ଗତକାଲି ରାତି ପ୍ରାୟ ୮ଟା ୩୦ ବେଳେ ଇଣ୍ଡିଆନ ଅଏଲ କର୍ପୋରେସନର ଏସ୍‌.କେ ବେହେରା, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ତୃପ୍ତି ସାହୁଙ୍କ ସମେତ ଭାରତ ପେଟ୍ରୋଲିୟମର ଅଧିକାରୀ ଗର୍ତ ଗାଁରେ ପହଞ୍ଚି ହଡ଼ପର ଶିକାର ହୋଇଥିବା ମହିଳା ଓ ସେମାନଙ୍କ ସ୍ୱାମୀଙ୍କୁ ପଚାରି ବୁଝିଥିଲେ। ଗର୍ତ ଗାଁର ମନସା ମନ୍ଦିର ପାଖରେ ୩ ତୈଳ କମ୍ପାନୀର ଅଧିକାରୀମାନଙ୍କୁ ହଡପର ଶିକାର ହୋଇଥିବା ହିତାଧିକାରୀମାନେ ତଥ୍ୟ ଦେଇଥିଲେ। ଗ୍ୟାସ ବିତରକ ଦଲାଲଙ୍କ ମାଧ୍ୟମରେ ସେମାନଙ୍କଠାରୁ କାଗଜପତ୍ର ନେଇ ସେମାନଙ୍କ ଗ୍ୟାସ ଏବଂ ଚୂଲା ଲୁଟି ନେଇଛନ୍ତି ବୋଲି ରାଖାଲ ଚନ୍ଦ୍ର ପାତ୍ର, ଅକ୍ଷୟ କୁମାର ଦାସ, ଗଣେଶ ଚନ୍ଦ୍ର ପାତ୍ର, ଅନୁକୂଳ ସିଂ, ଶଙ୍କର ମିର୍ଦ୍ଦା, ସୁକୁମାର ସିଂ, ଶକ୍ତିପଦ ସାଆଁତରା ପ୍ରମୁଖ ତଦନ୍ତକାରୀ ଟିମ୍‌ ନିକଟରେ ଅଭିଯୋଗ କରିଥିଲେ।

ଟିମ ସହିତ ଏଚ୍‌ପିର ଡାମରପୁରସ୍ଥିତ ବାସୁଦେବ ଗ୍ୟାସ ଏଜେନ୍ସିର ବିତରକ, ପଟ୍ଟାମୁଣ୍ଡାଇସ୍ଥିତ ଶ୍ରୀରାମ ଭାରତ ଗ୍ୟାସର ବିତରକ ଓ ଲୋକଙ୍କଠାରୁ କାଗଜପତ୍ର ନେଇଥିବା ଦଲାଲ ସେଠାକୁ ଯାଇଥିଲେ। ହଡ଼ପର ଶିକାର ହିତାଧିକାରୀମାନେ ଦଲାଲଙ୍କୁ ଧରିବା ପରେ ତଦନ୍ତକାରୀ ଅଧିକାରୀମାନେ ବିତରକଙ୍କୁ କାହିଁକି ଦଲାଲଙ୍କ ମାଧ୍ୟମରେ କାଗଜପତ୍ର ସଂଗ୍ରହ କରିଥିଲ ବୋଲି ପଚାରିବା ସହ ତାଗିଦ୍‌ କରିଥିଲେ। ସେମାନେ ହିତାଧିକାରୀଙ୍କ ଆଧାର କାର୍ଡ ନମ୍ବର ମାଗିଥିଲେ। କମ୍ପ୍ୟୁଟରରେ ଖୋଜିବା ପରେ ହିତାଧିକାରୀଙ୍କ ନାଁରେ ଯେଉଁ ଏଜେନ୍ସିରୁ ତାଙ୍କର ଉଜ୍ଜଳା ଯୋଜନାରେ ଗ୍ୟାସ ହଡ଼ପ ହୋଇଥିବ, ସଂପୃକ୍ତ ବିତରକ ସେମାନଙ୍କୁ ଆଣି ଦେବେ ବୋଲି ଟିମ ପ୍ରତିଶ୍ରୁତି ଦେଇଥିଲେ।

ଆଜି ଡାମରପୁରସ୍ଥିତ ଏଚ୍‌ପି ଗ୍ୟାସର ବାସୁଦେବ ଏଜେନ୍ସି ପକ୍ଷରୁ କନକଲତା ମିର୍ଦ୍ଦା, କବିତାରାଣୀ ମିର୍ଦ୍ଦା ଓ ରୀନାରାଣୀ ବେରାଙ୍କୁ ପୂର୍ବରୁ ସେମାନଙ୍କ ନାମରେ ହଡ଼ପ ହୋଇଥିବା ଗ୍ୟାସ ସଂଯୋଗ ଦିଆଯାଇଛି। ଅପରପକ୍ଷରେ ପଟ୍ଟାମୁଣ୍ଡାଇସ୍ଥିତ ଶ୍ରୀରାମ ଭାରତ ଗ୍ୟାସର କର୍ମଚାରୀ ଆଜି ଗର୍ତ ଗାଁର ଅରୁଣ ବେରାଙ୍କ ଘର ନିକଟରେ ପହଞ୍ଚି ତାଙ୍କ ସ୍ତ୍ରୀ ଛବିରାଣୀଙ୍କ ନାଁରେ ପୂର୍ବରୁ ହଡପ ହୋଇଥିବା ଉଜ୍ଜଳା ଯୋଜନାର ଗ୍ୟାସ ଓ ଚୂଲା ସହିତ କଞ୍ଜ୍ୟୁମର ବହି ପ୍ରଦାନ କରିଛନ୍ତି। ଛବିରାଣୀ ତାଙ୍କ ଗ୍ୟାସ ହଡପ ହୋଇଛି ବୋଲି ଅଭିଯୋଗ କରି ନ ଥିଲେ ମଧ୍ୟ ଖବର ପ୍ରକାଶ ପାଇବା ପରେ ଗ୍ୟାସ ବିତରକ ଲୁଟିଥିବା ଉଜ୍ଜଳା ଗ୍ୟାସ ଫେରାଇଛନ୍ତି। କଞ୍ଜ୍ୟୁମର ବହିରେ ଛବିରାଣୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦେବା ପାଇଁ ଗତ ଫେବ୍ରୁଆରି ୨୦ରେ ପଞ୍ଜୀକୃତ କରାଯାଇଥିବା ବେଳେ ୨୩ରେ ତାଙ୍କ ନାଁରେ ବଣ୍ଡ୍‌ ପେପର ଜାରି କରାଯାଇଥିବା ତଥା ମାର୍ଚ୍ଚ ୨୧ରେ ଗ୍ୟାସ୍‌ ଡେଲିଭରି ଦିଆଯାଇଥିବା ଦର୍ଶାଯାଇଛି। ହିତାଧିକାରୀ ଏହି ଗ୍ୟାସ ସଂଯୋଗ ବିଷୟରେ ଜାଣି ନ ଥିବା ବେଳେ ସେ ମେ’ ୧୩ ତାରିଖ ଓ ଜୁଲାଇ ୧୨ ତାରିଖରେ ଗ୍ୟାସ ରିଫିଲିଙ୍ଗ୍‌ କରିଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର