ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମହାଦୁର୍ନୀତି : ଲୋକଙ୍କ ଅଜାଣତରେ ଉଠି ଯାଉଛି ଟାଙ୍କି, ଚୁଲା, ଟଙ୍କା

ରାଜନଗରରେ ହଜାରରୁ ଅଧିକ ଜାଲ୍‌ ହିତାଧିକାରୀ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡର ହଡ଼ପ ପାଇଁ ଚାଲିଛି ମହାଦୁର୍ନୀତି। ଅନ୍ୟ ଜିଲ୍ଲାର ଏଏଚଏଲ୍‌ ଟିନ୍‌ ନଂ ବ୍ୟବହାର କରାଯାଇ ଜାଲ୍‌ ହିତାଧିକାରୀଙ୍କ ନାଁରେ ଗ୍ୟାସ ସଂଯୋଗ ଦିଆଯାଇଥିବା ଦର୍ଶାଯାଇଛି। ପ୍ରକୃତ ହିତାଧିକାରୀ ଗ୍ୟାସ ସଂଯୋଗ ସଂପର୍କରେ ଆଦୌ କିଛି ଜାଣିନଥିବା ବେଳେ ସେମାନେ ଲୋନ୍‌ରେ ଗ୍ୟାସ ସଂଯୋଗ ନେଇଥିବା ଦର୍ଶାଇ ସବସିଡ ଅର୍ଥ ୧୬ଶହ ଟଙ୍କା ସହିତ ଚୁଲା ଏବଂ ଗ୍ୟସ୍‌ ଭର୍ତି ଟାଙ୍କି ବି ଲୁଟି ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ୧ ହଜାରରୁ ଅଧିକ ହିତାଧିକାରୀଙ୍କ ନାଁରେ ଏଭଳି ଗ୍ୟାସ୍‌ ଟାଙ୍କି, ଚୁଲା ଓ ସବସିଡି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଗ୍ୟାସ ଯୋଗାଇଥିବା ସଂସ୍ଥା ଇଣ୍ଡେନର ପ୍ରୋପ୍ରାଇଟର ଓ ପରିଚାଳକ ମଧ୍ୟ ସ୍ୱୀକାର କରିଛନ୍ତି।

ଗରିବ ପରିବାରର ଗୃହିଣୀମାନଙ୍କୁ ସବସିଡିରେ ଗ୍ୟାସ ସଂଯୋଗ ଦେବା ପାଇଁ ୧ ମଇ ୨୦୧୬ରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ମାତ୍ର ୧୬୦୦ ଟଙ୍କାରେ ହିତାଧିକାରୀ ଗ୍ୟାସ୍‌ ସଂଯୋଗ ପାଇପାରୁଛନ୍ତିି। ହିତାଧିକାରୀ ନଗଦ ଟଙ୍କା ଦେଇ ଏହି ଗ୍ୟାସ୍‌ ସଂଯୋଗ ନେଇପାରିବେ ନଚେତ୍‌ ଋଣ ମାଧ୍ୟମରେ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ନେଇପାରିବେ। ଏହି ଯୋଜନା ଆରମ୍ଭରେ ୨୦୧୧ର ସାମାଜିକ ଓ ଅର୍ଥନୈତିକ ସର୍ଭେ ତାଲିକାରୁ ଭାରତୀୟ ତୈଳ ନିଗମ ପକ୍ଷରୁ ଏଏଚଏଲ୍‌ ଟିନ୍‌ ତାଲିକା ପ୍ରସ୍ତୁତ କରାଯାଇଛି। ଏଏଚଏଲ ତାଲିକାରେ ୨୯ ସଂଖ୍ୟା ବିଶିଷ୍ଟ ଟିନ୍‌ ନମ୍ବର ସହିତ ହିତାଧିକାରୀଙ୍କ ନାମ ରହିଛି। ୩୧ ମାର୍ଚ୍ଚ ୨୦୧୮ ଯାଏଁ କେବଳ ଏହି ଏଏଚଏଲ୍‌ ଟିନ୍‌ ନମ୍ବର ଥିବା ହିତାଧିକାରୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ପାଉଥିଲେ। ୧ ଅପ୍ରେଲ ୨୦୧୮ରୁ ଏଏଚଏଲ ଟିନ ନମ୍ବର ଥିବା ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ, ଏସ୍‌ସି, ଏସ୍‌ଟି ଓ ଅନ୍ତଦୋୟ ଯୋଜନାରେ ୩୫ କେଜି ଚାଉଳ ପାଉଥିବା ହିତାଧିକାରୀ ଏହି ଗ୍ୟାସ୍‌ ସଂଯୋଗ ପାଇପାରୁଛନ୍ତି।

ମାତ୍ର ରାଜନଗର ଇଣ୍ଡେନ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଏଏଚଏଲ୍‌ ଟିନ୍‌ ନମ୍ବର ବ୍ୟବହାର କରାଯାଇ ବଲାଙ୍ଗୀର ହିତାଧିକାରୀଙ୍କ ନାଁରେ କାଳିମାରି ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡା ବ୍ଲକର ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ନାଁ ଅନ୍ତର୍ଭୁକ୍ତ କରାଯାଇ ସବ୍‌ସିଡିରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ଦର୍ଶାଯାଇଛି। ଏପରିକି ହିତାଧିକାରୀ ଏହି ଗ୍ୟାସ୍‌ ସଂଯୋଗ ସଂପର୍କରେ ଜାଣିନଥିବା ବେଳେ ସେମାନଙ୍କୁ ଋଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବାର ରେକର୍ଡ ପ୍ରସ୍ତୁତ କରାଯାଇଛି। ସେମାନଙ୍କ ନାଁରେ ଆସିଥିବା ଗ୍ୟାସ୍‌ ଭର୍ତି ଟାଙ୍କି, ପାଇପ୍‌, ରେଗୁଲେଟର ଓ ଚୁଲାକୁ କଳାବଜାରରେ ବିକ୍ରି କରି ଦିଆଯାଇଛି। ହିତାଧିକାରୀଙ୍କୁ ଋଣରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ଦର୍ଶାଇ ଭାରତୀୟ ତୈଳ ନିଗମ ଠାରୁ ଗ୍ୟାସ୍‌ ବିତରକ ୧୬୦୦ ଟଙ୍କା ଲେଖାଏଁ ନେଇଛନ୍ତି।

ରାଜନଗର ବ୍ଲକ ମହୁଲିଆ ପଂଚାୟତ କଣି ଗାଁର ଶାନ୍ତିଲତା ସ୍ୱାଇଁଙ୍କୁ ଉଜ୍ଜଳା ଯୋଜନାରେ ୨୬ ଅଗଷ୍ଟ ୨୦୧୭ରେ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଶାନ୍ତିିଲତା ଋଣକରି ଏହି ସଂଯୋଗ ନେଇଥିବା ଦର୍ଶାଯାଇଛି। ଶାନ୍ତିଲତା ସ୍ୱଚ୍ଛଳ ବର୍ଗ ପରିବାରର ଗୃହିଣୀ ହୋଇଥିବାରୁ ଓ ତାଙ୍କର ପୂର୍ବରୁ ଗ୍ୟାସ୍‌ ସଂଯୋଗ ଥିବାରୁ ସେ ଉଜ୍ଜ୍‌ଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ନେଇପାରିବେ ନାହିଁ ବୋଲି ନିୟମ ରହିଛି। ମାତ୍ର ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ଅଂଚଳର ଜଣେ ଗରିବ ହିତାଧିକାରୀଙ୍କ ଏଏଚଏଲ୍‌ ଟିନ୍‌ ନଂ ବ୍ୟବହାର କରାଯାଇ ଶାନ୍ତିଲତାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ତାଙ୍କର ବର୍ତମାନର ଠିକଣା ମହୁଲିଆ କଣି ବୋଲି ଦର୍ଶାଯାଇଛି। ଏ ସଂପର୍କରେ ଶାନ୍ତିଲତା ଓ ତାଙ୍କ ସ୍ୱାମୀ ଉମେଶ ସ୍ୱାଇଁ କହିବା ଅନୁଯାୟୀ ୧୯୯୪ ମସିହାରୁ ସେମାନଙ୍କର ଗ୍ୟାସ୍‌ ସଂଯୋଗ ଅଛି। ସେ ଆୟକର ଦେଉଛନ୍ତି। ଉଜ୍ଜଳା ଯୋଜନାରେ ସେମାନେ ଗ୍ୟାସ୍‌ ସଂଯୋଗ ପାଇଁ ଆବେଦନ କରି ନାହାନ୍ତି କି’ ଗ୍ୟାସ୍‌ ସଂଯୋଗ ନେଇ ନାହାନ୍ତି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଶାନ୍ତିଲତାଙ୍କ ନାଁରେ ଆସିଥିବା ଗ୍ୟାସ୍‌, ଚୁଲା କିଏ ନେଲା ବୋଲି ଏବେ ପ୍ରଶ୍ନ ଉଠୁଛି। କେବଳ ଶାନ୍ତିଲତା ନୁହନ୍ତି, ଭିତରଗଡର ସ୍ୱର୍ଣ୍ଣଲତା ଜେନା, ଗୁପ୍ତିରାର ସଂଧ୍ୟାରାଣୀ ମହାକୁଡ, ଧାନଦିଆର ସୌମ୍ୟାଶ୍ରୀ ପାତ୍ର, ବେଲପାଳର ସୁଢଳୀ ବାରିକ, ବନ୍ଧପାଟଣାର ଶୁୁଭଲକ୍ଷ୍ମୀ ବରାଳ, କେରଡାଗଡର ସୁଚିତ୍ରା ମଳିକ, ହରିହରପୁରର ସରସ୍ୱତୀ ଖିଲାରଙ୍କୁ ବଲାଙ୍ଗିର ଜିଲ୍ଲାର ହିତାଧିକାରୀଙ୍କ ଏଏଚଏଲଟିନ୍‌ ନଂ ବ୍ୟବହାର କରାଯାଇ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏମାନଙ୍କ ନାଁରେ ୧୪ ଅଗଷ୍ଟ ୨୦୧୭ରୁ ୨୭ ଅଗଷ୍ଟ ୨୦୧୭ ମଧ୍ୟରେ ଉଜ୍ଜଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ଦର୍ଶାଇ ସରକାରଙ୍କ ଠାରୁ ସବସିଡି ଅର୍ଥ ଇଣ୍ଡେନ ଗ୍ୟାସ୍‌ ବିତରକ ନେଇଛନ୍ତି।

ଏସଂପର୍କରେ ରାଜନଗର ଇଣ୍ଡେନର ପରିଚାଳକ ନିମାଇଁ ଚରଣ ଦାସ କହିଛନ୍ତି ଯେ ଅନ୍ୟ ଜିଲ୍ଲାର ଏଏଚଏଲ୍‌ ନମ୍ବର ବ୍ୟବହାର ସେମାନେ କେବଳ ଗ୍ୟାସ୍‌ ଟାଙ୍କି ଉଠାଇ ନାହାନ୍ତି, ଅନ୍ୟ ଡିଷ୍ଟ୍ରିବ୍ୟୁଟର ମାନେ ମଧ୍ୟ ଏପରି ଜାଲିଆତି କରିଛନ୍ତି। ରାଜନଗର ଇଣ୍ଡେନ ବଲାଙ୍ଗୀର ଜିଲ୍ଲା ଏଏଚଏଲ୍‌ ଟିନ୍‌ ନଂ ବ୍ୟବହାର କରି ହଜାରେ ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି। ରାଜନଗର ଇଣ୍ଡେନର ପ୍ରୋପ୍ରାଇଟର ସାଗର ସ୍ୱାଇଁ କହିବା ଅନୁଯାୟୀ ଅନ୍ୟ ଲୋକ ମାଧ୍ୟମରେ କାଗଜପତ୍ର ସଂଗ୍ରହ କରି ଲୋକଙ୍କ ନାଁରେ ଗ୍ୟାସ୍‌ ସଂଯୋଗ ଦର୍ଶାଇଛୁ। ସେମାନଙ୍କର ଆବଶ୍ୟକ ହେଲେ ସେମାନଙ୍କୁ ଗ୍ୟାସ ଦେଇ ଦିଆଯିବ।

ସମ୍ବନ୍ଧିତ ଖବର