ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ବିରୋଧୀ ଦଳର ନେତା ହେବେ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳର ନେତା ଭାବେ ଶ୍ରୀ ନାୟକଙ୍କୁ ମନୋନୀତ କରାଯାଇଛି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ନେତା ବାଛିବା ଦାୟିତ୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଆଜି ରାତିରେ ଶ୍ରୀ ନାୟକଙ୍କ ନାମରେ ବିଜେପି ଅଧ୍ୟକ୍ଷ ମୋହର ମାରିଛନ୍ତି। ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ପ୍ରେସ୍ ବିଜ୍ଞପ୍ତିରେ ଗଣମାଧ୍ୟମକୁ ଏହି ସୂନା ଦେଇଛନ୍ତି।

୧୯୬୬ ମସିହାରେ ଜନ୍ମିତ ଶ୍ରୀ ନାୟକ ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ଦଳିତ ନେତା ଭାବେ ଜଣାଶୁଣା। ୧୯୯୫ ମସିହାରୁ ଲଗାତର ତିନି ଥର ସେ ବିଜେପି ଟିକେଟ୍‌ରେ ଭବାନୀପାଟଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ସରକାର ସମୟରେ ସେ ମନ୍ତ୍ରୀ ଥିଲେ। ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

୨୦୧୪ ନିର୍ବାଚନରେ ଶ୍ରୀ ନାୟକ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ। ଚଳିତ ଥର ମଧ୍ୟ ସେ କଳାହାଣ୍ଡିରୁ ପୁଣି ଥରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ। କିନ୍ତୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇ ତାଙ୍କୁ ଭବାନୀପାଟଣା ଆସନରୁ ଟିକେଟ୍‌ ଦିଆଗଲା। ଏହାକୁ ନେଇ ଶ୍ରୀ ନାୟକ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେବାକୁ ଧମକ ଦେଇଥିଲେ। ତେବେ ତାଙ୍କୁ ମନାଇବାରେ ଦଳର ନେତୃତ୍ବ ସଫଳ ହେ‌ାଇଥିଲେ ଓ ସେ ଭବାନୀପାଟଣାରୁ ଲଢ଼ି ଜିତିଥିଲେ।

ସମ୍ବନ୍ଧିତ ଖବର