ସ୍ୱାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳୀ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲଗେଡା ପଞ୍ଚାୟତରେ ମାଓବାଦୀ ପୁଣି କରିଛନ୍ତି ପ୍ରଜାମେଳୀ। ମାଓନେତା ସୁଧୀରଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଶତାଧିକ ଲୋକ ଯୋଗ ଦେଇଥିଲେ। ସହିଦ ସପ୍ତାହ ସରିବା ପରେ କସପୁଟ ଗ୍ରାମରେ ହୋଇଥିବା ଏହି ବୈଠକରେ ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ଆହ୍ଵାନ ଦିଆଯାଇଥିଲା। ସହିଦ ସ୍ତମ୍ଭ ନିର୍ମାଣ କରି ରାମାଗୁଡା ଏବଂ ଆନ୍ଧ୍ର ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ସ୍ମତିଚାରଣ କରାଯାଇଥିଲା। ଗୁରୁପ୍ରିୟା ସେତୁ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ବିକାଶ ହେବ ନାହିଁ। ସରକାର ଲୋକଙ୍କୁ ଭୁତାଇବାକୁ ଏଭଳି ନାଟକ କରୁଥିବା ଅଭିଯୋଗ କରିଥିଲେ। ବିଚ୍ଛିନ୍ନାଞ୍ଚଳର ନାମ ବଦଳାଇ ଦେଲେ ବିକାଶ ହେବ ନାହିଁ। କାମ କରି ଦେଖାଇଲେ ହିଁ ଲୋକେ ବିଶ୍ୱାସ କରିବେ ବୋଲି କୁହାଯାଇଥିଲା।

କୋରାପୁଟ-ମାଲକାନଗିରି ବର୍ଡର ଡିଭିଜନର ନେତା ସୁଧୀର ଲୋକଙ୍କୁ ଖୋଲା ପଡିଆରେ ସରକାର ବିରୋଧରେ ତତାଇଥିଲେ। ସମୟ ଆସିଛି, ଲୋକେ ଏକତ୍ରିତ ହେଲେ ସବୁ ସମ୍ଭବ ହେବ। ସେତୁ ନିର୍ମାଣ ହେବା ଫଳରେ ସରକାର ବିଚ୍ଛିନ୍ନାଞ୍ଚଳରେ ରହିଥିବା ଖଣିକୁ ଲୁଟ କରିବେ। ଆନ୍ଧ୍ରର ଲୋଲୁପ ଦୃଷ୍ଟି ବିଚ୍ଛିନ୍ନାଞ୍ଚଳ ଉପରେ ପଡିଛି। ଲୋକେ ମଧ୍ୟ ମାଓନେତାଙ୍କ କଥାରେ ହଁ ଭରୁଥିବା ଦେଖିବାକୁ ମିଳିଥିଲା। ସମସ୍ତ ଗ୍ରାମବାସୀ ଏକ ହୋଇ ପୋଲିସ ପ୍ରଶାସନକୁ ବିରୋଧ କରନ୍ତୁ। ଆଗକୁ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଦିଅନ୍ତୁ ନାହିଁ। ପୋଲିସ ଏବଂ ସରକାର ଭିତରେ ପଶିଲେ ସବୁ ଲୁଟିନେବେ। ଲୋକଙ୍କ ଜୀବନ ସହ ଖେଳିବେ ବୋଲି ଲୋକଙ୍କୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର