ମିଛ ରିପୋର୍ଟରେ ପୁରସ୍କାର

ଓଏଏସ୍‌ ଅଫିସର ଓ ସ୍ବେଚ୍ଛାସେବୀଙ୍କ ନାମରେ ଠକେଇ ମାମଲା

ପୁରୀ : ମିଛ ରିପୋର୍ଟ ଦେଇ ପ୍ରକୃତି ପୁରସ୍କାର ହାତେଇଛନ୍ତି ସ୍ବେଚ୍ଛାସେବୀ। ସେହି ରିପୋର୍ଟକୁ ସାର୍ଟିଫାଏ କରିଛନ୍ତି ପୂର୍ବତନ ବିଡିଓ। ଚଞ୍ଚକତା କରି ସରକାରୀ ପୁରସ୍କାର ରାଶି ହଡ଼ପ କରିଥିବା ଅଭିଯୋଗରେ ପୁରୀ ସଦର ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନ ବୌଦ୍ଧ ଉପଜିଲ୍ଲାପାଳ ନିମାଇଁ ଚରଣ ସୂତାର ଓ ସ୍ବେଚ୍ଛାସେବୀ ଜଗନ୍ନାଥ ବସ୍ତିଆଙ୍କ ନାମରେ ଠକେଇ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ସମନ୍‌ ଜାରି କରିଛନ୍ତି କୋର୍ଟ।

ଅଭିଯୋଗ ଅନୁଯାୟୀ, ୨୦୧୧-୧୨ ମସିହାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ ପାଇଁ‌ ଘୋଷଣା କରାଯାଇଥିଲା। ଏହି ପୁରସ୍କାର ପାଇଁ ସେହି ବର୍ଷ ବିଚ୍‌‌ ପ୍ରୋଟେକ୍‌ସନ କାଉନ୍‌ସିଲ ପକ୍ଷରୁ ଜଗନ୍ନାଥ ବସ୍ତିଆ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ, ତାଙ୍କ ସଂସ୍ଥା ପୁରୀ ପୁଲିସ ଲାଇନ୍‌ ଏବଂ ପୁରୀ ସର୍କିଟ୍‌ ହାଉସ୍‌ରେ ଗଛ ଲଗାଇଛନ୍ତି। ହେଲେ ଏହି ଆବେଦନ ଉପରେ ଆପତ୍ତି ଦର୍ଶାଇଥିଲା ଜଙ୍ଗଲ ବିଭାଗ। କହିଥିଲା, ଏହି ସଂସ୍ଥା ୨୦୦୭-୦୮ରେ ପ୍ରକୃତି ମିତ୍ର ପୁରସ୍କାର ନେଇଛନ୍ତି। ନିୟମ ଅନୁଯାୟୀ ୫ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପୁରସ୍କାର ଦିଆଯାଇପାରିବ ନାହିଁ। ତେଣୁ ଏହାର ପୁନଃଯାଞ୍ଚ କରିବାକୁ ଜଙ୍ଗଲ ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲା। ମାତ୍ର ପ୍ରଶାସନ ପୁନର୍ବାର ସେହି ନାମ ସୁପାରିଶ କରିଥିଲା। ସଂସ୍ଥା ପକ୍ଷରୁ ଦର୍ଶାଯାଇଥିଲା ଯେ, ସେମାନେ ୧୯୯୭-୯୮ରେ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ। ହେଲେ ୨୦୦୭-୦୮ର ପୁରସ୍କାର କଥାକୁ ଦର୍ଶାଇ ନଥିଲେ।

ଏହି ପୁରସ୍କାର ପ୍ରଦାନକୁ ନେଇ ବିବାଦ ଉଠିବାରୁ ସଂସ୍ଥା କେଉଁଠି ଗଛ ଲଗାଇଛି ସେ ନେଇ ତନାଘନା ହେବା ସହ ଧରପଗଡ଼ ହୋଇଥିଲା। ସୂଚନା ଅଧିକାର ଆଇନ ବଳରେ ପୁଲିସ ଲାଇନ୍‌ ଓ ସର୍କିଟ୍‌ ହାଉସ୍‌ ପରିସରରେ ବିଚ୍‌ ପ୍ରୋଟେକ୍‌ସନ୍‌ କାଉନସିଲ କେବେ ଓ‌ କେତେ ଗଛ ଲଗାଇଛି ସେ ନେଇ ତଥ୍ୟ ମଗାଯାଇଥିଲା। ଉଭୟ ସୂଚନା ଅଧିକାରୀ ଆଦୌ ଗଛ ଲାଗି ନଥିବା ଦର୍ଶାଇବା ସହ ସମ୍ପୃକ୍ତ ସଂସ୍ଥା ଗଛ ଲଗାଇନଥିବା ଦର୍ଶାଇଥିଲେ। ଏହାକୁ ନେଇ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ମାମଲା (୧ସିସି-୨୦୪/୨୦୧୭) ରୁଜୁ ହୋଇଛି। ସାକ୍ଷ୍ୟ ଗ୍ରହଣ କରିବା ପରେ ଏସ୍‌ଡିଜେଏମ୍‌ ଆବଶ୍ୟକ ତଥ୍ୟ ପ୍ରମାଣ ପାଇବାରୁ ଶ୍ରୀ ବସ୍ତିଆ ଓ ଓଏଏସ୍‌ ଶ୍ରୀ ସୂତାରଙ୍କ ବିରୋଧରେ ଆଇପିସିର ଧାରା ୧୨୦ (ଖ), ୧୯୩, ୨୦୦, ୪୨୦, ୪୬୫, ୪୬୮, ୪୭୧ ଦଫାରେ ମାମଲା ରୁଜୁ କରି କୋର୍ଟରେ ହାଜର ହେବାକୁ ସମନ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର