ସୁନ୍ଦରଗଡ଼ରେ ପ୍ରଣବ ଓ ପ୍ରଶାନ୍ତଙ୍କ ବୈଠକ : ଯୋଗେଶଙ୍କୁ ବିରୋଧ କଲେ କୁସୁମଙ୍କ ସମର୍ଥକ

ସୁନ୍ଦରଗଡ଼ : ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ଓ ପ୍ରଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ର କେତେକ ବିଜେଡି ନେତା ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ମତ ଦେଇ ହୋହାଲ୍ଲା କରିଥିବା ଜଣାପଡ଼ିଛି। ଯୋଗେଶ ଆସିଲେ ବିଜେଡିର ବହୁ କ୍ଷତି ହେବ ବୋଲି ଦଳୀୟ କର୍ମୀମାନେ ଅଭିଯୋଗ କରିଥିଲେ। ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାଇ ନ ପାରି ଦୁଇ ନେତା ଅଧାରୁ ବୈଠକ ଛାଡ଼ି ଚାଲିଯାଇଥିଲେ।

ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜୁ ଜନତା ଦଳରେ ଯୋଗ ଦେବା ସମ୍ପର୍କରେ ଦଳୀୟ ନେତା ଓ କର୍ମୀଙ୍କ ମତ ଜାଣିବା ପାଇଁ ଯାଜପୁର ବିଧାୟକ ଶ୍ରୀ ଦାସ ଓ ସାଂସଦ ପ୍ରଶାନ୍ତ ନନ୍ଦ ଆଜି ଟାଙ୍ଗରପାଲି ବ୍ଲକ ତସଲାଡିହିସ୍ଥିତ କୁସୁମ ଟେଟେଙ୍କ ଫାର୍ମ ହାଉସ୍‌ରେ ପହଞ୍ଚିଥିଲେ। ସେଠାରେ କୁସୁମ ଟେଟେଙ୍କ ସହ ଦଳର ଅନ୍ୟ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନଙ୍କ ସହ ନିଭୃତ ଆଲୋଚନା ଆରମ୍ଭ କରିଥିଲେ। ବିଜେଡିକୁ ମଜବୁତ ସ୍ଥିତିକୁ ନେଇ ଆସିବାରେ କୁସୁମ ଟେଟେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଥିବାରୁ ତାଙ୍କୁ ହିଁ ସୁନ୍ଦରଗଡ଼ ବିଧାନସଭାରେ ଲଢ଼ିବାକୁ ସୁଯୋଗ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ବିଧାୟକ ଶ୍ରୀ ଦାସ କହିଥିଲେ, ‘ଟିକଟ କିଏ ପାଇବେ ସେ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡ ନେବେ, ଆମେ କେବଳ ଯୋଗେଶଙ୍କ ଯୋଗଦାନ ସମ୍ପର୍କରେ ମତ ଲୋଡ଼ିବାକୁ ଆସିଛୁ ବୋଲି କହିଥିଲେ। କୁସୁମଙ୍କ ସମର୍ଥକମାନେ ପ୍ରଣବଙ୍କୁ ଘେରିଯାଇ ହେ ହଲ୍ଲା କରୁଥିବା ବେଳେ ପ୍ରଶାନ୍ତ ଓ ଅନ୍ୟ ନେତାମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ। ତେଣୁ ପ୍ରଣବ ଓ ପ୍ରଶାନ୍ତ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ଏ ସମ୍ପର୍କରେ କୁସୁମ ଟେଟେଙ୍କୁ ପଚାରିବାରୁ ସେ ଗଣ୍ଡଗୋଳକୁ ଅସ୍ବୀକାର କରିଥିଲେ।

ସୂଚନା ଅନୁସାରେ ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଆଜି ସଂଧ୍ୟାରେ ଉଭୟ କୁସୁମ ଟେଟେ ଓ ପୂର୍ବତନ ବିଧାୟକ ଯୋଗେଶ ସିଂହ ପୃଥକ ପୃଥକ ଭାବେ ସେମାନଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବର ଯାଇଛନ୍ତି। ଆସନ୍ତାକାଲି ନବୀନ ନିବାସରେ ଏହାର ସମାଧାନ ସୂତ୍ର ବାହାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର