ବିଜୟ ଲାଭ ପାଇଁ ଆବଶ୍ୟକ ନୁହଁ ଚାକଚକ୍ୟ ପ୍ରଚାର; ଏକମାତ୍ର ଆବଶ୍ୟକ ନେତାଙ୍କ ଭାବମୂର୍ତ୍ତି, ପ୍ରମାଣ କରି ଦେଖାଇଲେ ପ୍ରତାପ ଷଡଙ୍ଗୀ
ଖୋଲା ଅଟୋରେ ପ୍ରଚାର କରି, ବାଜିମାତ୍ କଲେ ୨ ବିରୋଧୀ କୋଟିପତିଙ୍କୁ
ଭୁବନେଶ୍ୱର: ଓଡ଼ିଶାରେ ରାଜନେତା ନୁହଁ; ବରଂ ଜଣେ ଜନନେତା ଭାବରେ ନିଜର ପ୍ରତିଷ୍ଠା ଓ ସମ୍ମାନ ଅର୍ଜନ କରିଥିବା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ତାଙ୍କ ନିଜସ୍ୱ ‘ଅନ୍ଦାଜ’ ଓ ନିଜସ୍ୱ ‘ଷ୍ଟାଇଲ୍’ରେ ସଦ୍ୟ ସମାପ୍ତ ନିର୍ବାଚନରେ ନିର୍ବାଚନ ପ୍ରଚାର କରି କେବଳ ଓଡ଼ିଶା କାହିଁକି ସମଗ୍ର ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଦ୍ୟ ସମାପ୍ତ ବ୍ୟୟ ବହୁଳ ୨୦୧୯ ନିର୍ବାଚନରେ ଯେତେବେଳେ ଦାମୀ ଗାଡ଼ି ସହ ଲୋକ ବଳ ଓ ଧନ ବଳ ନେଇ ଲୋକଙ୍କ ପାଖକୁ ନେତାମାନେ ନିର୍ବାଚନ ପ୍ରଚାର କରିବାକୁ ଯାଉଥିଲେ ସେତେବେଳେ ବିଜେପି ବାଲେଶ୍ୱର ସଂସଦୀୟ ଆସନରୁ ବିଜେପିର ଦଳୀୟ ଟିକେଟ୍ ପାଇଥିବା ଶ୍ରୀ ଷଡଙ୍ଗୀ, ଦାମୀ ଗାଡ଼ିରେ ଲୋକଙ୍କ ପାଖକୁ ନ ଯାଇ ଖଣ୍ଡେ ଖୋଲା ଅଟୋ ଧରି ପ୍ରଚାର କରିଥିଲେ | ଗାଁରେ ସଭିଏଁ ତାଙ୍କୁ ନନା ବୋଲି ଡାକନ୍ତି | ସେ ମଧ୍ୟ ସମସ୍ତଙ୍କୁ ବେଶ ଆଦର କରନ୍ତି | ସାଇକେଲରେ ଗାଁ ବୁଲି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଏହି ନେତା ନିଜକୁ ସାବ୍ୟସ୍ତ କରିଛନ୍ତି | ଆରଏସଏସ ସହ ମୂଳରୁ ଜଡିତ ଥିବା ୬୪ ବର୍ଷୀୟ ଶ୍ରୀ ଷଡଙ୍ଗୀଙ୍କ ଲୋକପ୍ରିୟତା ଆଗରେ ଫିକା ପଡିଛି ଦାମୀ ଗାଡ଼ି ଓ ହେଲିକପ୍ଟରରେ ତାଙ୍କ ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦୁଇ ବିରୋଧୀ କୋଟିପତି ନେତାଙ୍କ ପ୍ରଭାବ |
ମୋଦିଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଖୋଦ ମୋଦି ତାଙ୍କୁ କହିଥିଲେ ‘ଆପ ହମାରା ସବସେ ପୁରାନା ଔର ସୁଦୃଢ଼ ସୈନିକ ହୈ’ | ଅର୍ଥାତ ‘ଆପଣ ହେଉଛନ୍ତି ଆମର ସବୁଠାରୁ ପୁରୁଣା ଓ ସୁଦୃଢ ସୈନିକ’ | କୁହାଯାଏ ରାଜ୍ୟ ବିଜେପିର ଅନ୍ୟ ମଙ୍ଗୁଆଳଙ୍କ ବ୍ୟତିରକେ ପ୍ରତାପଙ୍କ ସହ ମୋଦିଙ୍କର କୁଆଡେ ଭଲ ସମ୍ପର୍କ | ଭୁବନେଶ୍ୱରରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସମୟରେ ବିମାନବନ୍ଦରରେ ମୋଦି ଏକଥା କହିଥିବା ବେଳେ ଖୋର୍ଦ୍ଧାରେ ନିର୍ବାଚନୀ ସଭାରେ ବି ଏ କଥାକୁ ପୁଣି ହୋଦରାଇଥିଲେ। ଏବେ ଚର୍ଚ୍ଚା ହେଉଛି ଯେ ଯଦି ମୋଦିଙ୍କର ଏତେ ଖାସ ତେବେ ମନ୍ତ୍ରୀପଦଟିଏ ମିଳିବ କି ?