‘ଜଣକ ପାଇଁ ସେବକ ସମାଜକୁ ଦାୟୀ କରାନଯାଉ’ : ପ୍ରତିଭା ରାୟଙ୍କ ମନ୍ତବ୍ୟକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଖ୍ୟାତନାମା ସାହିତ୍ୟିକା ପ୍ରତିଭା ରାୟଙ୍କ ମନ୍ତବ୍ୟକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିରକୁ ନ ଯାଇ ଶ୍ରଦ୍ଧାଳୁ ଭକ୍ତ ପତିତପାବନଙ୍କ ଦର୍ଶନ କରି ଫେରିବା ନିମନ୍ତେ ଶ୍ରୀମତୀ ରାୟ ମତ ରଖିଛନ୍ତି। ଏହାଦ୍ୱାରା ସେବାୟତ ଶୃଙ୍ଖଳିତ ହୋଇଯିବେ ବୋଲି ସେ କହିଥିଲେ। ତେବେ ଶ୍ରୀମତୀ ରାୟଙ୍କ ଏହି ମନ୍ତବ୍ୟକୁ ସେବାୟତମାନେ ନାପସନ୍ଦ କରିବା ସହ ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି ବିଶିଷ୍ଟ ଦଇତାପତି ତଥା ବିଶ୍ୱାବସୁ ବିନାୟକ ଦାସ ମହାପାତ୍ରଙ୍କ ସମେତ ବହୁ ସେବାୟତ ମତ ରଖିଛନ୍ତି। ଶ୍ରୀମନ୍ଦିରରେ ଯେଉଁ ସେବାୟତ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ଦଣ୍ଡବିଧାନ କରାଯାଉଛି। ସାଂପ୍ରତିକ ଘଟଣାରେ ଦୁଇ ସେବାୟତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଉଭୟଙ୍କ ନାମରେ ମାମଲା ବି ରୁଜୁ ହୋଇଛି। କାର୍ଯ୍ୟାନୁଷ୍ଠାନରେ କେବେ ହେଳା କରାଯାଇନାହିଁ। ଜଣେ, ଦୁଇ ଜଣ ସେବାୟତଙ୍କ ବିଶୃଙ୍ଖଳା ପାଇଁ ସମଗ୍ର ସେବାୟତ ସମାଜକୁ କାଠଗଡାକୁ ଟଣାଯିବା ଠିକ୍‌ ନୁହେଁ। ତେବେ ଜଗନ୍ନାଥଙ୍କ ଦର୍ଶନ ନ କରିବାକୁ ଯଦି ଶ୍ରୀମତୀ ରାୟଙ୍କର ଇଛା ନାହିଁ ସେ ନକରନ୍ତୁ, କିନ୍ତୁ ଏଭଳି ମନ୍ତବ୍ୟ ଗଣମାଧ୍ୟମରେ ରଖି ଭକ୍ତମାନଙ୍କୁ ବିଭ୍ରାନ୍ତ କରିବା ଠିକ୍‌ ନୁହେଁ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି। ଏହାକୁ ନେଇ ଖୁବଶୀଘ୍ର ସେବାୟତ ସମାଜ ଏକାଠି ହେବେ ଏବଂ ଏହାର ପ୍ରତିବାଦ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ଶ୍ରୀଜଗନ୍ନାଥ ସେନା ମଧ୍ୟ ବିରୋଧ କରିଛି। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ତେବେ ଏହାର ଅର୍ଥ ନୁହେଁ, ଜଗନ୍ନାଥ ଦର୍ଶନ ବନ୍ଦ କରିଦେଲେ ସେବାୟତ ଠିକ୍‌ ହୋଇଯିବେ। ଏଭଳି ମନ୍ତବ୍ୟରୁ ଶ୍ରୀମତୀ ରାୟ ନିବୃତ୍ତ ରହିଲେ ତାଙ୍କର ମଙ୍ଗଳ ହେବ ବୋଲି ଜଗନ୍ନାଥ ସେନା ପକ୍ଷରୁ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ ସେବାୟତ ମାଡ଼ ମାରିବା ଘଟଣାରେ ଔପନ୍ୟାସିକ ପ୍ରତିଭା ରାୟ ଏକ ଗଣମାଧ୍ୟମରେ ବିବୃତି ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ। ମନ୍ଦିର ଭିତରେ ନାରୀଙ୍କୁ ସୁରକ୍ଷା, ଭକ୍ତଙ୍କୁ ସମ୍ମାନ ନମିଳିବା ଯାଏ ସେ ଆଉ ମନ୍ଦିର ଭିତରକୁ ପ୍ରବେଶ କରିବେନି। ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲେ ବି ବଡ଼ଦାଣ୍ଡରେ ଛିଡା ହୋଇ ପତିତପାବନଙ୍କୁ ଦର୍ଶନ କରି ଫେରିଯିବି ବୋଲି ସେ କହିଥିଲେ। ଶ୍ରୀମନ୍ଦିର ନୀତି ସଂସ୍କାର ପାଇଁ ଗଠିତ ଜଷ୍ଟିସ ବିମଳ ଦାଶ କମିସନଙ୍କ କିଛି ସୁପାରିସ ଲାଗୁ ହୋଇ ଶ୍ରୀମନ୍ଦିରରେ ଘଟୁଥିବା ଏଭଳି ପରିସ୍ଥିତିରେ ସୁଧାର ଆସିଲେ ମୋ ଦେହରେ ବିଗତ ୩୦ ବର୍ଷ ଧରି ହେଉଥିବା ରକ୍ତକ୍ଷରଣ ବନ୍ଦ ହେବ ବୋଲି ଶ୍ରୀମତୀ ରାୟ କଥାଛଳରେ କହିଥିଲେ। ଖାସ୍‌ ଏଇ କାରଣ ପାଇଁ ଗତ ୧୦ ବର୍ଷ ହେଲା ସେ ଶ୍ରୀମନ୍ଦିର ଯାଇନଥିବା କହିଛନ୍ତି। ଏଭଳି ପରିସ୍ଥିତିରେ ମୁଁ ବଡ଼ଦାଣ୍ଡରେ ଛିଡ଼ା ହୋଇ ପତିତପାବନଙ୍କୁ ଦର୍ଶନ କରିବି ଓ ରଥଯାତ୍ରା ବେଳେ ଜଗନ୍ନାଥଙ୍କୁ ସ୍ୱଚକ୍ଷୁରେ ଦେଖିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର