ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ

ଫୁଲବାଣୀ/ଭୁବନେଶ୍ବର : କନ୍ଧମାଳ ଲୋକସଭା ପାଇଁ ବିଜେଡିର ଟିକେଟ ମିଳିଲା ନାହିଁ। ନୟାଗଡ ବିଧାନସଭା ପାଇଁ ବି ସୁଯୋଗ ମିଳିଲା ନାହିଁ। ଶେଷରେ ଗତ ୨୦ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ। ସେ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଆଶ୍ଚର୍ଯ୍ୟଜନକ ଭାବେ ପଦ୍ମ ଧରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପ୍ରତ୍ୟୁଷା ଦଳରେ ଯୋଗ ଦେଇଛନ୍ତି। ଏହା ପରେ ତାଙ୍କୁ ରାଜ୍ୟ ବିଜେପିର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ତେବେ କନ୍ଧମାଳ ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ବି ଚାଲିଛି। କାରଣ ବିଜେଡି ଓ କଂଗ୍ରେସ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ବିଜେପିରୁ କିଏ ପ୍ରାର୍ଥୀ ସେ ନେଇ ସସପେନସ ଲାଗି ରହିଛି। ୨୦୧୪ ସାଧାରଣରେ ନିର୍ବାଚନରେ କନ୍ଧମାଳରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ସ୍ବାମୀ ହେମେନ୍ଦ୍ର ସିଂହ। ତାଙ୍କ ପରଲୋକ ପରେ ଉପନିର୍ବାଚନରେ ପ୍ରତ୍ୟୁଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ପ୍ରତ୍ୟୁଷା ପାଖାପାଖି ୪ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ବି ସେ ଟିକେଟ ପାଇବେ ବୋଲି ଆଶାବାଦୀ ଥିଲେ। କିନ୍ତୁ ବିଜେଡି କିସ୍ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଏଠାରୁ ପ୍ରାର୍ଥୀ କରିବା ପରେ ପ୍ରତ୍ୟୁଷା ଅସନ୍ତୋଷ ହୋଇ ବିଜେଡି ଛାଡ଼ି ଥିଲେ। ଆଜି ପ୍ରତ୍ୟୁଷାଙ୍କ ମିଶ୍ରଣ କାର୍ଯ୍ୟକ୍ରମ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ହୋଇଥିଲା। ଯେହେତୁ ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ କର୍ମୀମାନେ ତାଲା ପକାଇଥିଲେ, ତେଣୁ ମିଶ୍ରଣ ପର୍ବ ସେଠାରେ ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର