ପ୍ରଭାତଙ୍କ ଅଭିମାନ

ଭୁବନେଶ୍ୱର : ବିଜେଡି ବିଧାୟକ ଦଳ ବୈଠକ ଶେଷରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଧାୟକମାନଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବାକୁ ଉଠିପଡ଼ିଲେ। ହଠାତ୍‌ ସେହି ସମୟରେ ଠିଆ ହୋଇପଡ଼ିଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଇଂରାଜୀ ମିଶା ଓଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିମାନ ଭରା ଅନୁରୋଧ କଲେ। ସେ କହିଲେ, ସିବିଆଇ ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଜେରା କରୁଛି, ତାହାର ଭିଡିଓ ରେକର୍ଡିଂର ବ୍ୟବସ୍ଥା କରାଯାଉ। ପୁଣି ଆମ ପରି ନିରୀହ ଲୋକଙ୍କୁ ସିବିଆଇ ଯେପରି ଗିରଫ କରୁଛି, ତାହା ବିରୋଧରେ ଆନ୍ଦୋଳନ କରାଯାଉ। ପ୍ରଭାତ ଅଧିକ କହିବାକୁ ଚାହୁଁଥିଲେ ବି ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କୁ ଅଟକାଇଥିଲେ। ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଧ୍ୟାନ ନ ଦେଇ ବାହାରକୁ ଚାଲିଯାଇଥିଲେ। ଏହା ପରେ ଦେବାଶିଷ ସାମନ୍ତରାୟ ପ୍ରଭାତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବୈଠକରେ କାହିଁକି ଏଜେଣ୍ଡା ବାହାରେ ପ୍ରସଙ୍ଗ ଉଠାଇଲେ ବୋଲି କହିଥିଲେ। ମୁଁ ଠିକ୍‌ କଥା କହୁଥିଲା ବେଳେ ରାଗିବାର କିଛି କାରଣ ନାହିଁ ବୋଲି ପ୍ରଭାତ ଅନୁନୟ ହୋଇ କହିଥିଲେ। ଏହା ପରେ ଅନ୍ୟ ବିଧାୟକମାନେ ଉଭୟଙ୍କୁ ବୁଝାଇ ବାହାରକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର