ବିଧାୟକ ପ୍ରଭାତ ବିଶ୍ୱାଳ ଏସ୍‌ସିବିରୁ ଡିସ୍‌ଚାର୍ଜ; ଦିଲ୍ଲୀ ଗଲେ

କଟକ : ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏଠାରୁ ସେ ମହାନଦୀବିହାରସ୍ଥିତ ତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ଚାଲି ଯାଇଛନ୍ତି। ସେଠାରେ ଏଆଇଆଇଏମ୍‌ଏସ୍‌ରେ ତାଙ୍କର ଚିକିତ୍ସା କରାଯିବ। ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବା ବିଧାୟକ ଶ୍ରୀ ବିଶ୍ୱାଳ ଚାଲି ପାରୁ ନଥିବା ବେଳେ ସମର୍ଥକଙ୍କ ସହଯୋଗରେ ଗାଡ଼ି ପାଖକୁ ଆସିଥିଲେ। ପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀବିଳାସିନୀ ବିଶ୍ୱାଳ, ପୁଅ ସୌଭିକ ବିଶ୍ୱାଳ ମେଡିକାଲ୍‌ରେ ଉପସ୍ଥିତ ଥିଲେ। ମହାନଦୀବିହାରସ୍ଥିତ ଘରେ ଶ୍ରୀ ବିଶ୍ୱାଳଙ୍କୁ ଦେଖି ତାଙ୍କ ବୃଦ୍ଧ ବାପା-ମା’ କାନ୍ଦିବା ଭାବବିହ୍ଵଳ ଦୃଶ୍ୟ ସୃଷ୍ଟି କରିଥିଲା। ବିଧାୟକ ତାଙ୍କ ଆଶୀର୍ବାଦ ନେଇ ଦିଲ୍ଲୀ ଚାଲି ଯାଇଥିଲେ। ମେଡିକାଲ ଓ ତାଙ୍କ ଘରେ ଶ୍ରୀ ବିଶ୍ୱାଳଙ୍କ ଶତାଧିକ ସମର୍ଥକ ଭିଡ଼ ଜମାଇଥିଲେ।

ସୂଚନାଯୋଗ୍ୟ ଯେ, ସି-ସୋର ଜମି କାରବାର ଲିଙ୍କ୍‌ରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୮ ତାରିଖରେ ଗିରଫ କରିଥିଲା। ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତଙ୍କୁ ୨୨ ତାରିଖରେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ଏପ୍ରିଲ୍‌ ୨୫ ତାରିଖରେ ଅନ୍ତରୀଣ ଜାମିନ୍‌ ଓ ଜୁନ୍‌ ୨୬ ତାରିଖରେ ନିୟମିତ ଜାମିନ୍‌କୁ ହାଇକୋର୍ଟ ମଞ୍ଜୁର କରିଥିଲେ। ରାଜ୍ୟ ବାହାରକୁ ଯିବା ପାଇଁ ଜୁଲାଇ ୫ ତାରିଖରେ ହାଇକୋର୍ଟ ତାଙ୍କୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର