ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଭାତ ବିଶ୍ୱାଳ; ଶୁଣାଣି ଆଜି

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀ ବିଶ୍ୱାଳ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ରେ ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନ ହାଇକୋର୍ଟରେ ଶୁଣାଣି ହେବାକୁ ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଶୁଣାଣି ପାଇଁ ଶ୍ରୀ ବିଶ୍ୱାଳଙ୍କ ଆବେଦନ ତାଲିକାଭୁକ୍ତ ହୋଇଛି।

୨୦୧୭, ସେପ୍ଟେମ୍ବର ୨୬ରେ ଖୋର୍ଦ୍ଧା ଦୌରା ଜଜ୍‌ ଅଦାଲତ ତାଙ୍କ ଜାମିନ ଖାରଜ କରିବା ପରେ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଛନ୍ତି। ଏଥି ସହିତ ସେ ଦର୍ଶାଇଛନ୍ତି ଯେ ସିସୋର କାରବାର ସହିତ ତାଙ୍କର କିଛି ସଂପର୍କ ନାହିଁ ଓ ଏହି ମାମଲାରେ ତାଙ୍କୁ ଫସାଇ ଦିଆଯାଇଛି। ଅଭିଯୋଗର ତଦନ୍ତ ସମୟରେ ତାଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରା ଉଚୁରା କରି ସାରିଛି। ସେ ଜଣେ ବିଧାୟକ ହୋଇଥିବା ବେଳେ ପଳାୟନ କରିବାର କୌଣସିି ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଯେ କୌଣସି ସର୍ତ୍ତ ରଖି ଜାମିନ ପ୍ରଦାନ କରାଯାଉ ବୋଲି ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ଗତ ମାସ ୧୮ତାରିଖରେ ସିବିଆଇ ଗିରଫ କରିଥିଲା। ଏହାପରେ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ସେପ୍ଟେମ୍ବର ୨୩ରେ ଖାରଜ କରିଥିଲେ। ଝାରପଡା ଜେଲରେ ଶ୍ରୀ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିିଟାଲ ଓ ପରେ ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଏସସିବିରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର