ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବ : ପ୍ରଭାତ ପଟ୍ଟନାୟକଙ୍କୁ ‘ଉତ୍କଳରତ୍ନ’ ସମ୍ମାନ

କଟକ : ଓଡ଼ିଶାର ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବାରେ ଉତ୍କଳ ସାହିତ୍ୟର ଅନନ୍ୟ ଅବଦାନ ରହିଛି। ସାମୂହିକ ଅବଦାନ ସର୍ବଦା ସମାଜର ମଙ୍ଗଳ ସାଧିତ କରିଥାଏ ବୋଲି ଉତ୍କଳ ସାହିତ୍ୟ ସମାଜର ୧୧୬ତମ ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବରେ ‘ଉତ୍କଳରତ୍ନ’ ସମ୍ମାନରେ ସମ୍ମାନିତ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ ଶତାବ୍ଦୀ ଭବନଠାରେ ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଫେସର ପ୍ରଭାତ ପଟ୍ଟନାୟକଙ୍କୁ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ‘ଉତ୍କଳରତ୍ନ’ ସମ୍ମାନ ପ୍ରଦାନ କରିଥିଲେ। ସେ ପ୍ରଭାତ ପଟ୍ଟନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଓ ସାଧନାର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଉତ୍ସବରେ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’ ପ୍ରଦୀପ ଦାଶ, ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’ ଡକ୍ଟର ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ ଇଂ ମାୟାଧର ସ୍ୱାଇଁ, ‘ଗଙ୍ଗାଧର ମେହେର କବିତା ସମ୍ମାନ’ ହରପ୍ରସାଦ ପରିଛାପଟ୍ଟନାୟକ, ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସମ୍ମାନ’ ଡକ୍ଟର ବସନ୍ତ କୁମାର ପଣ୍ଡା, ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିିଆ, ‘ବୈଷ୍ଣବ ପାଣି କଳା ସମ୍ମାନ’ ଘନଶ୍ୟାମ ମହାପାତ୍ର, ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’ ବ୍ରଜମୋହନ ମିଶ୍ର, ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’ ଅଭିରାମ ବିଶ୍ୱାଳ, ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’ ମହୀମୋହନ ତ୍ରିପାଠୀ, ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’ ସୁପ୍ରଭା ରାୟ, ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’ ସୁରେନ୍ଦ୍ର କୁମାର ମହାରଣା, ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’ ନବୀନ ଦାସ, ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’ ମନୋରଞ୍ଜନ ସାହୁ, ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’ ରାସବିହାରୀ ବେହେରା, ‘ନବରୂପା ରାଜ ଗୀତିକବିତା ସମ୍ମାନ’ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ‘କବିଚନ୍ଦ୍ର ସଂଗୀତ ଗୁରୁ ସମ୍ମାନ’ ଏ. ମହେଶ୍ୱର ରାଓ, ‘ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ’ ଦୁଃଖିଶ୍ୟାମ ତ୍ରିପାଠୀ, ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’ ଡାକ୍ତର ସୁଦର୍ଶନ ପଟ୍ଟନାୟକ, ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’ ଦେବାଶିଷ ଚକ୍ରବର୍ତ୍ତୀ, ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ’ ରାଜୀବ ପାଣି, ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ ବିରଜା ରାଉତରାୟ, ‘ଦେବବ୍ରତ କର ପ୍ରକାଶକ ସମ୍ମାନ’ ଅଜୟ କୁମାର ମିଶ୍ର, ‘ନିରଞ୍ଜନ ଦାସ ଭାଷା ସମ୍ମାନ’ ହର ପ୍ରସାଦ ମିଶ୍ର, ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ’ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ପ୍ରକାଶିତ ’ପ୍ରତିଭା ପ୍ରଣାମ’ ଓ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଂପାଦିତ ’ଉତ୍କଳ ସାହିତ୍ୟ ସମାଜ ବକ୍ତୃତା ଓ ଅଭିଭାଷଣ’ ଉନ୍ମୋଚିତ ହୋଇଥିଲା। ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ। ମାନପତ୍ର ପାଠକରିଥିଲେ ବିଜୟ ମଲ୍ଲ, ଡକ୍ଟର ସ୍ନେହ ମିଶ୍ର, ଡକ୍ଟର ବୈଜୟନ୍ତୀ ମିଶ୍ର, ନିର୍ମାଲ୍ୟ ଓଝା, ରାଜୀବ କୁମାର ଷଡ଼ଙ୍ଗୀ, ତପନ କୁମାର ସ୍ୱାଇଁ, ବ୍ରହ୍ମାନନ୍ଦ ବିଶ୍ୱାଳ, ବିଶ୍ୱମିତ୍ରା ମିଶ୍ର, ସରୋଜିନୀ ମିଶ୍ର(ପଣ୍ଡା) ଓ ଦିବ୍ୟଜ୍ୟୋତି ପାଣି।

ଏହି ଉତ୍ସବରେ ଡକ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ, ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା, ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଂପାଦକୀୟ ସୂଚନା ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ମନୋଜ ପଟ୍ଟନାୟକ। ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଭକ୍ତିଗୀତ ଗାନ କରିଥିଲେ। ଉତ୍ସବ ପରିଚାଳନା କରିଥିଲେ ଡକ୍ଟର ସୁନାମଣି ରାଉତ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ତରୁଣ କୁମାର ସାହୁ, ସୁସ୍ମିତା ରଥ, ମୀନାକ୍ଷୀ ଦେବୀ, ଗାୟତ୍ରୀ ଦେବୀ ଓ ବ୍ରହ୍ମାନନ୍ଦ ମହାନ୍ତି। କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପୀତାମ୍ବର ମିଶ୍ର, ଗୌର ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ପୂର୍ବାହ୍ଣ ୯ଟାରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଉପସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଓ କବି ଡକ୍ଟର ରିତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ବିଷ୍ଣୁ ଚରଣ ମିଶ୍ର, ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ କବିତା ସଂଯୋଜନା ଓ ଉତ୍ସବ ପରିଚାଳନା କରିଥିଲେ। ଏଥିରେ ବିଶିଷ୍ଟ ଗୀତିକବି ଗୁରୁକୃଷ୍ଣ ଗୋସ୍ୱାମୀ ଓ ନରହରି ଦାଶଙ୍କ ବିୟୋଗରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର