ସିଂହଦ୍ୱାର ସମ୍ମୁଖରେ ଆୟୋଜନ ହେବ ‘ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା’

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଖୁବ ଶୀଘ୍ର ‘ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଦିନକ ପରେ ଅର୍ଥାତ ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ପରିପୁଷ୍ଠ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ରବିବାର କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ। ପ୍ରତି ରବିବାର ସକାଳ ୬ଟା ୩୦ରୁ ଦେଢ ଘଣ୍ଟା ପାଇଁ ଏହି କାର୍ଯ୍ୟକ୍ରମ ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ।

ପ୍ରତି ରବିବାର ପ୍ରାତଃ ୬ଟା ୩୦ରେ ଶଙ୍ଖଧ୍ୱନୀ ମଧ୍ୟରେ ଶ୍ରୀମନ୍ଦିର ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯିବ। ତା’ପରେ ‘ଶ୍ରୀଜଗନ୍ନାଥାଷ୍ଟକମ୍‌’ ଆବୃତ୍ତି ହେବ। ପରେ ପରେ ଶ୍ରୀଗୀତଗୋବିନ୍ଦମ୍‌ର ଲଳିତ କାନ୍ତ ପଦାବଳୀ ଅନୁସରଣରେ ଓଡ଼ିଶାୀ ନୃତ୍ୟ, ଶ୍ରୀମଦ୍‌ ଭାଗବତ ଗୀତାର ୧/୨ଟି ଶ୍ଲୋକ ଓ ଏହାର ବ୍ୟାଖ୍ୟା, ସାମୂହିକ ଭଜନ ଏବଂ ଶେଷରେ ନାମ ସଂକୀତ୍ତନ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

ଏତଦ୍‌ ବ୍ୟତୀତ ଶ୍ରୀଗୀତଗୋବିନ୍ଦ ଆଧାରରେ ଓଡ଼ିଶୀ ନୃତ୍ୟ ପରେ ଗୋଟିଏ ରବିବାରରେ ଯୋଗାସନ/ଧ୍ୟାନ, ଦୁଇଟି ରବିବାରରେ ସ୍ତବସ୍ତୁତି ଏବଂ ଗୋଟିଏ ରବିବାରରେ ପାଲା କିମ୍ବା ଦାସକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତି ରବିବାର ରଙ୍ଗୋଲି, ଚିତ୍ରାଙ୍କନ ଏବଂ ଦୀପ ସଜ୍ଜା ଇତ୍ୟାଦି ମଧ୍ୟ ରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପ୍ରତି ମାସ ସଂକ୍ରାନ୍ତି ଦିନ ସନ୍ଧ୍ୟା ୭ଟାରୁ ୯ଟା ଯାଏଁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର