ଝରିଗାଁ : ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ ଜନନୀ ଯାତନା ଭୋଗିଛନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ତେଣୁ ବାଇକ୍ରେ କାଦୁଅ ରାସ୍ତା ପାର କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କୁରୁଲୁଭଟ୍ଟା ଗ୍ରାମରେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, କୁରୁଲୁଭଟ୍ଟା ଗ୍ରାମର କାଳିଆମଣି ସାନ୍ତାଙ୍କ ପତ୍ନୀ ସନିଆ ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକ ଏସଂପର୍କରେ ସ୍ଥାନୀୟ ଅଶାକର୍ମୀଙ୍କୁ ସୂଚନା ଦେଇଥିଲେ। ପରେ ଆଶାକର୍ମୀ ୧୦୨ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ କୁରୁଲୁଭଟ୍ଟା ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା କାଦୁଅରେ ଭର୍ତି ହୋଇଯାଇଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇନଥିଲା। ଗାଁ ଠାରୁ ଗୋଟିଏ କିଲୋମିଟର ଦୂର ଧୁମାମ ଛକରେ ଅଟକି ଯାଇଥିଲା। ଖବର ପାଇ କାଳିଆମଣି, ଆଶାକର୍ମୀ ଓ ପରିବାର ଲୋକ ସନିଆଙ୍କୁ ଏକ ବାଇକ୍ରେ ବସାଇ ନେବାକୁ ସ୍ଥିର କରିଥିଲେ। କାଦୁଅ ରାସ୍ତାରେ ସନିଆଙ୍କୁ ବାଇକ୍ରେ ବସାଇ ଠେଲି ଠେଲି ଦୀର୍ଘ ୧କିଲୋମିଟର ରାସ୍ତା ପାର କରାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ସନିଆଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏହାର ୨୦ମିନିଟ୍ ପରେ ସନିଆ ଏକ ଶୁଶୁ ପୁତ୍ର ଜନ୍ମ ଦେଇଥିଲେ। ବର୍ତମାନ ଉଭୟ ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ପ୍ରକାଶ ଥାଉକି, କୁରୁଲୁଭଟ୍ଟା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବାରମ୍ବାର ମାଟି ପକାଯାଇ ମରାମତି କରାଯାଉଛି। କିନ୍ତୁ ରାସ୍ତା ଉପରେ ମୁରୁମ ପଡିନଥିବାରୁ ଏହି ରାସ୍ତା ବର୍ଷାରେ କାଦୁଅମୟ ହୋଇପଡିଛି। ଏଥିଯୋଗୁଁ ଗ୍ରାମବାସୀ ଯାତାୟାତ ସମୟରେ ହଇରାଣ ହେବା ସହ ଜରୁରୀ ସମୟରେ ଏଭଳି ଗର୍ଭବତୀ ତଥା ରୋଗୀଙ୍କୁ ବୋହି ବୋହି ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରୁଛନ୍ତି। ଝରିଗାଁ ବ୍ଲକର ଅନେକ ଗାଁକୁ ପକ୍କା ରାସ୍ତା ନଥିବାରୁ ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟିଆ, ବାଇକ୍ ଓ ସାଇକଲରେ ବୋହି ନେବାର ନଜିର ରହିଛି। ଏହାପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେବା ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚା ଜୋର ଧରିଛି।