କାଗଜପତ୍ର ନ ଥିବା କହି ଫେରାଇ ଦେଲେ ଡାକ୍ତର, ପରିତ୍ୟକ୍ତ ଶୌଚାଳୟ ନିକଟରେ ପିଲାଜନ୍ମ କରି ଆଖି ବୁଜିଲେ ମହିଳା

କାମାକ୍ଷାନଗର: କାଗଜପତ୍ର ନ ଥିବା କହି ଡାକ୍ତରଖାନା ଫେରାଇ ଦେବାରୁ ବୁଧବାର ସକାଳେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ର ଜଣେ ଗର୍ଭବତୀ ମହିଳା ଗୋଟାଏ ପରିତ୍ୟକ୍ତ ଶୌଚାଳୟ ନିକଟରେ ପିଲା ଜନ୍ମକରି ମୃତ୍ୟୁବରଣ କରିଛନ୍ତି।

ମୃତା ମହିଳା ହେଉଛନ୍ତି କାନ୍ତୁଲ ଗ୍ରାମପଞ୍ଚାୟତ ଅଞ୍ଚଳର ପୁଟିପାଳ ଗାଁର ପଞ୍ଚୁ ପଧାନଙ୍କ ୨୨ ବର୍ଷୀୟ ପତ୍ନୀ ଦାସେଇ ପଧାନ।

ତିନି ଦିନ ତଳେ ପରିବାର ଲୋକେ ଦାସେଇଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ଆଣିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତର କୁଆଡ଼େ କହିଲେ ତୁମର କାଗଜପତ୍ର ନାହିଁ , ତୁମେ ମରିଯାଅ – କିଛି କରି ହେବନାହିଁ।

ପାଖରେ ପଇସାପତ୍ର ନ ଥିବାରୁ ପରିବାର ଲୋକେ ଗତକାଲି ଦାସେଇଙ୍କୁ ଡାକ୍ତରଖାନାରୁ କରଗୋଳ ଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ନେଇଯାଇଥିଲେ। ସେଠାରେ ରାତିକ ରହି ପଇସାପତ୍ର ଯୋଗାଡ଼ କରି ପୁଣି ଡାକ୍ତରଖାନା ଯାଇଥାଆନ୍ତେ, କିନ୍ତୁ ଆଜି ସକାଳେ ପ୍ରସବ ବେଦନା ଜୋର୍‌ ହୋଇଥିଲା। ପରେ ପରେ ଗୋଟାଏ ପରିତ୍ୟକ୍ତ ଶୌଚାଳୟ ନିକଟରେ ଦାସେଇ ଗୋଟାଏ ପୁଅ ଜନ୍ମକରି ସବୁଦିନ ପାଇଁ ଆଖିବୁଜି ଦେଲେ।

ଖବର ପାଇ କଙ୍କଡ଼ାହାଡ଼ ବ୍ଲକ୍‌ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଏଏନ୍‌ଏମ୍‌ ମମତାମୀୟ ମହାପାତ୍ର ଘଟଣାସ୍ଥଳକୁ ଯାଇ ଆମ୍ବୁଲାନ୍‌ସ୍‌ ଡକାଇ ନବଜାତକକୁ କାମାକ୍ଷାନଗର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି।

କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମେଡିକାଲ୍‌ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ରତ୍ନାକର ସାମଲଙ୍କୁ ରିପୋର୍ଟ ମାଗିଛନ୍ତି।

ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି: ଗର୍ଭବତୀ ଦୁଇ ଦିନ ତଳେ ଡାକ୍ତରଖାନାକୁ ଆସିଥିଲେ ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ବିଶ୍ୱଜିତ ନନ୍ଦ ତାଙ୍କର ଚିକିତ୍ସା କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଶାକର୍ମୀଙ୍କ ସହ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଥିଲା। କିନ୍ତୁ ସେ ସେଠାକୁ ନ ଯାଇ କଙ୍କଡ଼ାହାଡ଼ ଅଞ୍ଚଳର ଗୋଟାଏ ଗାଁରେ ରହିଥିଲେ। ଆଜି ସକାଳୁ ଏମିତ ହୋଇଛି ଏବଂ ଏ ଘଟଣାର ଅନୁସନ୍ଧାନ କରାଯିବ।

ସମ୍ବନ୍ଧିତ ଖବର