ସଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍‌ସ : ଯନ୍ତ୍ରଣା ସହି ନ ପାରି ଆଖିବୁଜିଲେ ପ୍ରସୂତି

ନୀଳଗିରି : ରାଜ୍ୟ ସରକାର ପ୍ରସୂତିଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ ତାହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟୁଛି। ୧୦୨ ଓ ୧୦୮ ଆମ୍ବୁଲାନ୍‌ସ ସଠିକ୍ ସମୟରେ ପହଞ୍ଚି ନ ପାରିବାରୁ ବାଲେଶ୍ବର ନୀଳଗିରି ଅଞ୍ଚଳର ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ନୀଳଗିରି ଥାନା ଅଧୀନ କାଂଶ ପଞ୍ଚାୟତ କାଂଶ ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ବାସନ୍ତୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ବାମୀ ସଞ୍ଜୟ ବରହମପୁର, ଈଶ୍ବରପୁର, ନୀଳଗିରି, ରେମୁଣାର ‌୧୦୨ ଓ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ ସୁଦ୍ଧା ରାତି ୧୨ଟା ସୁଦ୍ଧା କେହି ପହଞ୍ଚି ନ ଥିଲେ। ପରେ ସ୍ବାମୀ ବେସରକାରୀ ଗାଡ଼ି ଆଣିବା ପାଇଁ ନେହୁରା ହୋଇଥିଲେ ବି କେହି ଆସି ନ ଥିଲେ। ରାତି ପ୍ରାୟ ୧୨ଟା ୪୫ ସମୟରେ ବାଲେଶ୍ବରର ୧୦୮ ଆମ୍ବୁଲାନ୍‌ସ ଯାଇ ସଞ୍ଜୟଙ୍କ ଘରେ ପହଞ୍ଚିଥିଲା। ଉକ୍ତ ଗାଡ଼ିରେ ବାସନ୍ତୀଙ୍କୁ ଧରି ସଞ୍ଜୟ ଓ ତାଙ୍କ ପରିବାର ଲୋକେ ନୀଳଗିରି ହସ୍‌ପିଟାଲରେ ପହଞ୍ଚିଥିଲେ। ହେଲେ ସେଠାରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଥାଉକି, ସଞ୍ଜୟ ୨୦୧୭ ମସିହାରେ ମୟୂରଭଞ୍ଜର କୁକୁଡ଼ାଗଡ଼ି ଗ୍ରାମରୁ ବାସନ୍ତୀଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର