ଯାଜପୁରସଦର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଆଇନ ଗର୍ଭପାତ। ନର୍ସ କରାଇଲେ ଗର୍ଭପାତ। ମା’ ଏବଂ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେଲା । ଏହି ଘଟଣା ଜଣାପଡିବା ପରେ ମେଡିକାଲ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଛନ୍ତି। ଏ ସଂପର୍କରେ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁୁଜୁ ହୋଇଛି। ମୃତ୍ୟୁ ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ଯେ ରସୁଲପୁର ବ୍ଲକ୍ ବ୍ରହ୍ମବରଦା କୋଠଢ଼ିହ ଗ୍ରାମର ଜଣେ ଯୁବତୀ ସହ ସେହି ଗ୍ରାମର ପିଣ୍ଟୁ ଜେନାଙ୍କ ପ୍ରେମ ସଂପର୍କ ରହିଥିଲା। ପିଣ୍ଟୁ ହାଇଦ୍ରାବାଦ୍କୁ କାମ ଅନ୍ବେଷଣରେ ଯାଇଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣି ପରିବାରବର୍ଗ ଖବର ଦେଇଥିଲେ। ପିଣ୍ଟୁ ଏଠାରେ ପହଞ୍ଚିବା ପରେ ଗତ ୧୪ ତାରିଖ ଦିନ ସଂପୃକ୍ତ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ। ତେବେ ଯୁବତୀ ଗର୍ଭବତୀ ଥିବାରୁ ପିଣ୍ଟୁର ପରିବାର ଲୋକ ତାକୁ ବୋହୂ ରୂପେ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ଗର୍ଭପାତ ପରେ ବୋହୂ ରୂପେ ଗ୍ରହଣ କରିବେ ବୋଲି କହିଥିଲେ। ଯୁବତୀ ଜଣକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୯ ତାରିଖରେ ପିଣ୍ଟୁ ଭର୍ତ୍ତି କରିଥିଲେ। ଏପରିକି ଯୁବତୀର ମାମୁ ମଧ୍ୟ ସାଙ୍ଗରେ ଥିଲେ। ଗର୍ଭପାତ ପାଇଁ ଜଣେ ମହିଳା ଦଲାଲ ୬ ହଜାର ଟଙ୍କା ନେଇଥିଲେ। ସଂପୃକ୍ତ ଦଲାଲଙ୍କ ପ୍ରରୋଚନାରେ ଯୁବତୀ ଜଣକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ ପ୍ରସୂତି ବିଭାଗର ଦ୍ବିତୀୟ ମହଲାରେ ରଖି ଚିକିିତ୍ସା କରାଯାଇଥିଲା। ଚିକିତ୍ସା ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅନ୍ଧାରରେ ରହିଥିଲେ। ଗତକାଲି ଶନିବାର ରାତିରେ ମହିଳା ଦଲାଲ ଏବଂ ଜଣେ ନର୍ସ ଗର୍ଭପାତ କରାଇଥିଲେ। ଯୁବତୀ ଜଣକ ୬ ମାସର ଗର୍ଭବତୀ ଥିବାରୁ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ଯୁବତୀଙ୍କ ପରିବାର ପିଣ୍ଟୁ ଏବଂ ନର୍ସଙ୍କୁ ଦାୟୀ କରିଛନ୍ତି। ଅପର ପକ୍ଷରେ ପିଣ୍ଟୁ ସଂପୃକ୍ତ ଯୁବତୀଙ୍କ ପରିବାର ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।
ଏ ସଂପର୍କରେ ଅଭିଯୋଗ ପାଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅନୁପ କୁମାର ନାଥଶର୍ମା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ସ˚ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ଧର୍ମଶାଳା ଥାନା ଅଞ୍ଚଳର ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ। ଅପରପକ୍ଷରେ ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟ କରି ପୁଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରୁଛି।